ଜଟଣୀ: ସହକର୍ମୀଙ୍କୁ ମଦ ପିଆଇ ୯୧ ହଜାର ଟଙ୍କା ଲୁଟିନେବା ମାମଲାରେ ଜଟଣୀ ଥାନା ପୁଲିସ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମିନିଟ୍ରକ୍ ଚାଳକ ଡେଲାଙ୍ଗ ଅଞ୍ଚଳର ବିକ୍ରମ କେଶରୀ ମିଶ୍ର ଓରଫ୍ ହାପି(୨୯), ଜଟଣୀ ବାଲିଛକସାହିର ଅବ୍ଦୁଲ ସଲିମ୍(୨୮) ଓ ଜଟଣୀ ରାଜାବଜାର ଫକଡ଼ବସ୍ତିର ୱାହିଦ୍ ସାହା ଓରଫ୍ ୱାହୁ(୧୯)। ପୁଲିସ ସେମାନଙ୍କ ନିକଟରୁ ୭୩ ହଜାର ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ ଯେ ଜଟଣୀର ଶ୍ୟାମସୁନ୍ଦର ସୋନ୍ଥାଲିଆ ଜଣେ ଅଖା ବ୍ୟବସାୟୀ। ଅଭିଯୁକ୍ତ ହାପି ତାଙ୍କ ମିନିଟ୍ରକ୍ର ଡ୍ରାଇଭର। ଏପ୍ରିଲ୍ ୩୦ ତାରିଖ ଦିନ ଶ୍ୟାମସୁନ୍ଦରଙ୍କ ଗୋଦାମରୁ ହାପି ଅଖା ବୋଝେଇ ମିନିଟ୍ରକ୍ ନେଇ ପିପିଲି ଓ ଦାଣ୍ଡମୁକୁନ୍ଦପୁର ଯାଇଥିଲା। ମାଲିକ ଶ୍ୟାମସୁନ୍ଦର ହାପି ସହିତ ଆଉ ଜଣେ କର୍ମଚାରୀଙ୍କୁ ଟଙ୍କା ପଇସା ହିସାବ କରି ଆଣିବା ପାଇଁ ପଠାଇଥିଲେ। ସେମାନେ ଦାଣ୍ଡମୁକୁନ୍ଦପୁରରେ ନିତ୍ୟାନନ୍ଦ ଦତ୍ତ ଓ ପିପିଲିରେ ବାବୁଲି ସେଠୀଙ୍କୁ ଅଖା ଦେଇ ସେମାନଙ୍କଠାରୁ ୯୧ ହଜାର ଟଙ୍କା ଆଣି ଜଟଣୀ ଫେରୁଥିଲେ।
ଏକକାଳୀନ ୯୧ ହଜାର ଟଙ୍କା ଦେଖିବା ପରେ ଡ୍ରାଇଭର ହାପି ଉକ୍ତ ଟଙ୍କାତକ ହଡ଼ପ କରିବା ଯୋଜନା କରିଥିଲା। ଫୋନ୍ ଯୋଗେ ସେ ଅନ୍ୟ ଦୁଇ ଅଭିଯୁକ୍ତ ଅବ୍ଦୁଲ ଓ ୱାହିଦ୍କୁ ଯୋଗାଯୋଗ କରିଥିଲା। ପିପିଲିରୁ ଜଟଣୀ ଫେରିବା ବାଟରେ ସେମାନେ ଏକ ନିଛାଟିଆ ସ୍ଥାନ ଦେଖି ଗାଡ଼ିକୁ ଅଟକାଇଲେ। ହାପି ସେମାନଙ୍କୁ ତା’ର ସାଙ୍ଗ ବୋଲି କର୍ମଚାରୀଜଣଙ୍କୁ କହିଥିଲା। ସେଠାରେ ସେମାନେ ମିଶି ମଦ ପିଇଲେ। ସେମାନେ କର୍ମଚାରୀଙ୍କୁ ଚତୁରତାର ସହ ଅଧିକ ପରିମାଣର ମଦ ପିଆଇଦେଲେ ଏବଂ ନିଶାରେ ସେ ଗାଡ଼ି ଭିତରେ ହିଁ ଶୋଇପଡ଼ିଲେ। ଏହାପରେ ହାପି ଓ ତା’ର ଦୁଇ ସାଙ୍ଗ ଟଙ୍କାତକ ନେଇ ପଳାଇଥିଲେ। କର୍ମଚାରୀଜଣଙ୍କ ନିଦ ଭାଙ୍ଗିବା ପରେ ଚୋରି ହୋଇଥିବା ଜାଣିଥିଲେ ଏବଂ ମାଲିକ ଶ୍ୟାମସୁନ୍ଦରଙ୍କୁ ଫୋନ୍ କରି ଜଣାଇଥିଲେ। ଶ୍ୟାମସୁନ୍ଦର ଏନେଇ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନାନୁସାରେ ହାପି ଜଣେ ଧୂର୍ତ୍ତ ଚୋର ଏବଂ ଡେଲାଙ୍ଗ ଥାନାରେ ତା ନାଁରେ ମାମଲା ରହିଛି।