ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ନିଶା କାରବାର ଅଣାୟତ୍ତ ହେବାରେ ଲାଗିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ଅବକାରୀ ବିଭାଗ ପ୍ରାୟ ୯୨ କୋଟିରୁ ଊର୍ଧ୍ବ ଟଙ୍କାର ନିଶାଦ୍ରବ୍ୟ ଜବତ କରିଥିବା ବେଳେ ଏହି କାରବାରେ ସମ୍ପୃକ୍ତ ୨୩୪୮ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଜବତ ନିଶା ସାମଗ୍ରୀରେ ରହିଛି ବ୍ରାଉନ୍‌ସୁଗାର, ହେରୋଇନ୍‌ ଭଳି ମାରାତ୍ମକ ଜହର ସହ ଗଞ୍ଜେଇ, ଭାଙ୍ଗ ଓ କଫ୍‌ ସିରପ୍‌। ଦୁଇ ବର୍ଷ ପୂର୍ବର ରେକର୍ଡ ତୁଳନାରେ ନିଶା ମାମଲା ୧୨୬ ପ୍ରତିଶତ ଓ ଜବତ ନିଶାଦ୍ରବ୍ୟ ୮୫ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

Advertisment

ଗତ ୨୦୨୨ ମସିହାରେ ୪୪, ୬୩୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୨୯୪ଟି ମାମଲାରେ ୧୪୬୦ ଜଣଙ୍କୁ ଗିରଫ କରାଯାଇଥିଲା। ସେହିପରି ଗତ ୨୦୨୧ ମସିହାରେ ୨୯୦୩୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୫୭୫ଟି ମାମଲାରେ ୬୬୭ ଜଣଙ୍କୁ ଗିରଫ କରାଯାଇଥିଲା। ଗତ ୨୦୨୨ ମସିହାରେ ନିଶା ମାଫିଆଙ୍କଠାରୁ ୨୫ କେଜିରୁ ଅଧିକ ହେରୋଇନ୍ ଜବତ କରାଯାଇଥିବା ବେଳେ ୨୦୨୧ରେ ୧୦ କେଜିରୁ ଅଧିକ ହେରୋଇନ୍ ଜବତ ହୋଇଥିଲା। ସେହିପରି ୨୦୨୧ ମସିହାରେ ୨୨, ୪୮୯ କେଜି ଗଞ୍ଜେଇ ଜବତ ହୋଇଥଲା ବେଳେ ୨୦୨୨ ମସିହାରେ ୨୭, ୮୦୧ କେଜି ଗଞ୍ଜେଇ ଜବତ କରାଯାଇଥିଲା। ତେବେ ଚଳିତ ଫେବ୍ରୁଆରି ୩ତାରିଖରୁ ୯ତାରିଖ ମଧ୍ୟରେ ୨୦୨ଟି ମାମଲାରେ ୨୧୯ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧ କେଜି ୭୫୪ଗ୍ରାମ୍‌ର ବ୍ରାଉନ୍‌ସୁଗାର, ୩ ହଜାର ୬୩କେଜି ଗଞ୍ଜେଇ, ୨୦ଲିଟର କଫ୍‌ ସିରଫ୍‌ ଏବଂ ୬୭ଟି ଗାଡ଼ି ଜବତ କରାଯାଇଛି। ଏସବୁର ଆନୁମାନିକ ମୂଲ୍ୟ ୬ କୋଟି ୭୭ଲକ୍ଷ‌ ହେବ ବୋଲି ଆକଳନ କରାଯାଇଛି।