ଭୁବନେଶ୍ବର: ଆର୍ଥିକ ଅଚଳାବସ୍ଥା ଭିତରେ ଘାଣ୍ଟି ହେଉଛି ବିଏମ୍ସି। କେଉଁଠି ଉନ୍ନୟନ କାର୍ଯ୍ୟ ବାବଦ ଟଙ୍କା ଠିକାଦାରଙ୍କୁ ଦେଇ ପାରୁନି ତ କେଉଁଠି ପରିମଳ କାମରେ ନିୟୋଜିତ ଏଜେନ୍ସିଙ୍କୁ ଟଙ୍କା ଦେଇପାରୁନି। ଗତ ସରକାର ଅମଳରେ ବିନା ଅନୁମୋଦନରେ ପ୍ରାୟ ୩୦୦ କୋଟି ଟଙ୍କାର ଖର୍ଚ୍ଚ କଣ୍ଟା ଭଳି ତଣ୍ଟିରେ ଲାଖିଛି। କୌଣସି କାଗଜପତ୍ର ନ ଥିବାରୁ ରାଜ୍ୟ ସରକାର ଏହି ଅନୁଦାନ ମଞ୍ଜୁର କରୁନାହାନ୍ତି। ପରିଣାମ ସ୍ବରୂପ ରାଜଧାନୀରେ ବିକାଶ ଠପ୍ ହୋଇଗଲାଣି। ଠିକାଦାର, ଏଜେନ୍ସିମାନେ ବି ଟଙ୍କା ନ ପାଇବାରୁ ମୁଣ୍ଡ ଖାଇଲେଣି। କେବଳ ପରିମଳ କାମ ପାଇଁ କାହାର ୫ ମାସର ତ କାହାର ୩ ମାସର ଟଙ୍କା ବାକି ପଡ଼ିଛି।
ଏଭଳି ଆର୍ଥିକ ଅଚଳାବସ୍ଥା ଭିତରେ ବିଏମ୍ସି ବାଉଳା ହୋଇ ଜମା ପାଣ୍ଠିକୁ ଅବାଧରେ ଖର୍ଚ୍ଚ କରିବା ଆରମ୍ଭ କରିଦେଇଛି। ବ୍ୟାଙ୍କରେ ଯେଉଁ ଟଙ୍କା ଭବିଷ୍ୟତ ସୁରକ୍ଷିତ କରିବାକୁ ଜମା କରାଯାଇଥିଲା, ସେଥିରୁ କିସ୍ତି କିସ୍ତି କରି ଟଙ୍କା ଖର୍ଚ୍ଚ କରି ପ୍ରାୟ ୯୨ କୋଟି ଟଙ୍କା ଜମା ପାଣ୍ଠି ଖର୍ଚ୍ଚ କରି ସାରିଲାଣି। ଏଣୁ ଜମା ପାଣ୍ଠିରୁ ବିଏମ୍ସି ଖାତାକୁ ସୁଧ ଆସିବା ପରିମାଣ ବି କମିବାରେ ଲାଗିଛି। ବଡ଼କଥା ହେଉଛି, ଏଥିପାଇଁ କର୍ପୋରେସନ୍ର କୌଣସି ଅନୁମତି ଲୋଡ଼ାଯାଇନି। କର୍ପୋରେସନ୍ ଅଜାଣତରେ ମେୟର ଓ କମିସନର୍ଙ୍କ ଅନୁମୋଦନରେ ଏହାକୁ ଖର୍ଚ୍ଚ କରାଯାଇଛି। ଯାହାକୁ ଗଣ୍ଠି କରିଛନ୍ତି କର୍ପୋରେଟର୍। କେଉଁ ପରିସ୍ଥିତିରେ ଓ କାହା ଅନୁମତିରେ ଏତେ ଟଙ୍କା ଖର୍ଚ୍ଚ କରାଗଲା, ଜବାବ ମାଗିଛନ୍ତି।
୫୫ନମ୍ବର ୱାର୍ଡ କର୍ପୋରେଟର୍ ନୃପେଶ କୁମାର ନାୟକ ଗତ କର୍ପୋରେସନ୍ ବୈଠକରେ ଏହା ଉପରେ ସବିଶେଷ ଜବାବ ମାଗିଥିଲେ। ବିଗତ ବର୍ଷରେ ବିଏମ୍ସି ପ୍ରାୟ ୧ହଜାର କୋଟି ଟଙ୍କାର ଜମା ପାଣ୍ଠି(ଫିକ୍ସଡ ଡିପୋଜିଟ୍) ବିଭିନ୍ନ ବ୍ୟାଙ୍କରେ ଜମା କରିଥିଲା। କିନ୍ତୁ ୨୦୨୪ ମସିହା ପରଠାରୁ ବିଭିନ୍ନ ସମୟରେ ଏହାକୁ ଭଙ୍ଗାଯାଇ ଖର୍ଚ୍ଚ କରାଯାଇଛି। କେବେ, କାହିଁକି ଓ କେତେ ଟଙ୍କା ଜମା ପାଣ୍ଠିରୁ ଖର୍ଚ୍ଚ କରାଯାଇଛି, କିଏ ଏଥିପାଇଁ ଅନୁମତି ଦେଇଛି, ତାର ଉତ୍ତର ମାଗିଥିଲେ। ଏହାର ଜବାବରେ ବିଏମ୍ସି କହିଛି, ଜମା ପାଣ୍ଠିରୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)କୁ ସହରାଞ୍ଚଳ ବିକାଶ(ସିଆଇଡିଏଫ୍) ପାଇଁ ୩୫.୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ପ୍ରାୟ ୫୬ କୋଟି ଟଙ୍କା ନିଜେ ବିଏମ୍ସି, ରାଜଧାନୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ଖର୍ଚ୍ଚ କରିଛି। ଗୋଟିଏ ଥର ୨୫ କୋଟି ଟଙ୍କା ଓ ଅନ୍ୟଥର ୩୧କୋଟି ୩୧ଲକ୍ଷ ୧୯ହଜାର ୩୯୦ ଟଙ୍କା ଖର୍ଚ୍ଚ କରାଯାଇଛି। ଏପରି ସର୍ବମୋଟ ୯୧ କୋଟି ୮୪ ଲକ୍ଷ ୧୯ହଜାର ୩୯୦ ଟଙ୍କା ଜମା ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ଯାହା ତିନୋଟି ଜମା ପାଣ୍ଠିକୁ ଭାଙ୍ଗି ଖର୍ଚ୍ଚ କରାଯାଇଛି। ଖର୍ଚ୍ଚ କରାଯାଇଥିବା ଜମା ପାଣ୍ଠିରୁ ବାର୍ଷିକ ୭.୭୦ କୋଟି ଟଙ୍କା ସୁଧ ଆସୁଥିଲା। ମେୟର ଓ କମିସନର୍ ଏହି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେଇଛନ୍ତି। ଏବେ ଏଚ୍ଡିଏଫ୍ସି ବ୍ୟାଙ୍କ ବିବେକାନନ୍ଦ ମାର୍ଗ ଶାଖାରେ ୨୧୪କୋଟି ୧୨ଲକ୍ଷ ୬୪ହଜାର ୪୨୨ ଟଙ୍କାର ଏକ ଜମା ପାଣ୍ଠି ରହିଛି, ଯେଉଁଥିରୁ ବାର୍ଷିକ ୧୫କୋଟି ୧୩ଲକ୍ଷ ୭୩ହଜାର ୫୩୬ ଟଙ୍କା ସୁଧ ଆସୁଛି। କର୍ପୋରେଟର୍ ଶ୍ରୀ ନାୟକ କହିଛନ୍ତି ନଭେମ୍ବର ୬ ତାରିଖ ଗୁରୁବାର କର୍ପୋରେସନ୍ ବୈଠକର ବାକିଆ ପ୍ରଶ୍ନୋତ୍ତର କାଳ ଅନୁଷ୍ଠିତ ହେବ। କେଉଁ ପରିସ୍ଥିତିରେ ୯୨କୋଟି ଟଙ୍କା ଖର୍ଚ୍ଚ କଲେ, ନିଶ୍ଚିତ ଏଥିରେ ପ୍ରଶ୍ନ କରିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/untitled-9-2025-11-06-06-50-34.jpg)