୯୨ ପ୍ରତିଶତ ଲୋକେ ପ୍ରଦୂଷିତ ବାୟୁ ଗ୍ରହଣ କରୁଛନ୍ତି

ଓଡ଼ିଶା ପରିବେଶ ସମିତିର ପରିବେଶ ଦିବସ

ଭୁବନେଶ୍ବର: ଉନ୍ନତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ଯେଉଁ ବିକାଶର ଧାରା ଅବ୍ୟାହତ ରହିଛି ତାହା ପ୍ରଦୂଷଣ ମାଧ୍ୟମରେ ପ୍ରକୃତି ଓ ପରିବେଶର ଗୁଣାତ୍ମକ ମାନରେ ଅବକ୍ଷୟ ଆଣୁଛି। ଜାତିସଂଘ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ମୁତାବକ ବିଶ୍ବର ୯୨ ପ୍ରତିଶତ ଲୋକେ ପ୍ରଦୂଷିତ ବାୟୁ ନିଶ୍ବାସରେ ଗ୍ରହଣ କରୁଛନ୍ତି। ପରିଣାମ ସ୍ବରୂପ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଦେଶରେ ଦେଢ଼ ନିୟୁତ ଲୋକେ ମୃତ୍ୟୁବରଣ କରିଛନ୍ତି। ସହରାଞ୍ଚଳ ଓ ଶିଳ୍ପାୟନର କ୍ରମ ବୃଦ୍ଧି ଯୋଗୁ ଏହି ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଆଗାମୀ ପିଢ଼ିର ସୁରକ୍ଷା ସହ ଜୀବଜଗତ ଅନିଶ୍ଚିତ ବିପଦ ଆଡ଼କୁ ଠେଲି ହୋଇଯାଉଛି। ପରିବେଶ ସୁରକ୍ଷାକୁ ସଂପ୍ରତି ଜନ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି। ଓଡ଼ିଶା ପରିବେଶ ସମିତି ପକ୍ଷରୁ ଜେକେ ପେପର, ସ୍ପର୍ଶ, ସିଆଇଆଇ, ଆଇଜିବିସି, କ୍ଲାଇମେଟ୍‌ ରିଏଲିଟି ପ୍ରୋଜେକ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ପରିବେଶ ଦିବସ’ରେ ଅତିଥିମାନେ ଏହି ମତ ରଖିଛନ୍ତି।

ସମିତିର ଅଧ୍ୟକ୍ଷ ଡ.ସୁନ୍ଦର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାୟୁ ପ୍ରଦୂଷଣର ଭୟାବହତା ସମ୍ପର୍କରେ ଆ‌େଲୋକପାତ କରିଥିଲେ। ଆଇଆଇଟି ଭୁବନେଶ୍ବର ଏମେରିଟ୍‌ସର ପ୍ରଫେସର ଡ.ଉମାଚରଣ ମହାନ୍ତି ସମ୍ମାନିତ ଅତିଥି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବୈଜ୍ଞାନିକ ଡ.ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସମ୍ପାଦକ ଡ.ଜୟକୃଷ୍ଣ ପାଣିଗ୍ରାହୀ ସ୍ବାଗତ ଭାଷଣ ଏବଂ ଆବାହକ ପ୍ରଫୁଲ୍ଲ କୁମାର ଧଳ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଉଦ୍ଦିଦ ବିଜ୍ଞାନୀ ଡ.ରମେଶ ଚନ୍ଦ୍ର ମିଶ୍ରଙ୍କୁ ଚଳିତ ବର୍ଷର ପରିବେଶବିତ୍‌ ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ପ୍ରଫେସର ଉମାଚରଣ ମହାନ୍ତି, ଡ.ଅମ୍ବିକା ନନ୍ଦ, ଡ.ନରସିଂହ ପାଣିଗ୍ରାହୀ, କର୍ମା ଅନୁଷ୍ଠାନ, ବିଟ୍‌କେସ୍‌ ସଂସ୍ଥାକୁ ସମ୍ମାନିତ କରାଯାଇଥିଲା। ସିଆଇଆଇର ସିନି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର