ଭୁବନେଶ୍ବର: ଗତ କିଛି ଦିନ ହେବ ରାଜଧାନୀରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଏହି ସଂଖ୍ୟାରେ ହ୍ରାସ ଘଟିଛି। ୮ ଦିନର ବ୍ୟବଧାନ ପରେ ରାଜଧାନୀରେ ୩୦ରୁ କମ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦିନକରେ ରାଜଧାନୀରେ ୨୧ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୧୩ ତାରିଖରେ ରାଜଧାନୀରେ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଜୁଲାଇ ମାସ ଆରମ୍ଭରୁ ଆଜିର ଦିନ ପର୍ଯ୍ୟନ୍ତ ରାଜଧାନୀରେ ୯୨୦ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଏଥିରୁ ରାଜଧାନୀର କରୋନା ସ୍ଥିତି କେତେ ଗମ୍ଭୀର, ତାହା ଜଳଜଳ ହୋଇ ବାରି ହୋଇପଡ଼ୁଛି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ରେ ପହଞ୍ଚି ଯାଇଛି। ରାଜ୍ୟର ୨୭ଟି ଜିଲ୍ଲା ମଧ୍ୟରୁ ପ୍ରତ୍ୟେକ ଜିଲ୍ଲାରୁ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହୋଇ ନାହାନ୍ତି ତାହା ତୁଳନାରେ ରାଜଧାନୀର ସଂଖ୍ୟା ଅଧିକ ରହିଛି।
କରୋନା ଚିହ୍ନଟ ୨୧ଜଣଙ୍କ ମଧ୍ୟରୁ ୧୬ଜଣ ସଙ୍ଗରୋଧରୁ ବାହାରିଛନ୍ତି। ଏଥିରେ ୧୪ଜଣ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି। ତେବେ ମୁମ୍ବାଇ ଯାତ୍ରା କରିଥିବା କଳିଙ୍ଗ ନଗର କେ-୮ ଅଞ୍ଚଳର ୨୪ବର୍ଷର ଯୁବତୀ ଓ ଜଣେ ବର୍ଷକର ଶିଶୁ ରହିଛନ୍ତି। ସେହିପରି ୫ଜଣ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ସତ୍ୟନଗର କାଳୀ ମନ୍ଦିର ନିକଟ, କୋଳଥିଆ, ଘରୋଇ ହସ୍ପିଟାଲର କର୍ମଚାରୀ, ୨ଜଣ ଚନ୍ଦକା ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ନିକଟରୁ ଚିହ୍ନଟ ହୋଇଛନ୍ତି। ସେମାନେ କୌଣସି ହଟସ୍ପଟ୍ କିମ୍ବା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନ ଥିବା ବିଏମ୍ସି ପକ୍ଷରୁ ଜାରି ବୁଲେଟିନ୍ରେ ଦର୍ଶାଯାଇଛି। ତେଣୁ ସଂପୃକ୍ତ ଆକ୍ରାନ୍ତମାନେ କିଭଳି ପଜିଟିଭ୍ ହେଲେ, ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ରାଜଧାନୀରେ ଏବେ ସୁଦ୍ଧା ୬୨୫ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ତେବେ ଗତକାଲି ୪୯ଜଣ ରୋଗୀ ସୁସ୍ଥ ହେବା ଫଳରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଅପରପକ୍ଷରେ ଖୋର୍ଧା ଜିଲ୍ଲା ତୁଳନାରେ ରାଜଧାନୀରେ ସୁସ୍ଥ ହାର କମ୍ ରହିଛି। ଜିଲ୍ଲାରେ ସୁସ୍ଥ ହାର ୫୮ ପ୍ରତିଶତ ଥିବା ବେଳେ ରାଜଧାନୀରେ ସୁସ୍ଥ ହାର ୪୯ ପ୍ରତିଶତ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଏବେ ବି ୬୧୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୧ଜଣ ପ୍ରାଣ ହରାଇ ସାରିଲେଣି।
୩୦୬୪ ଜଣ ସଙ୍ଗରୋଧରେ, ରାଜଧାନୀକୁ ଫେରିଲେଣି ୧୫ ହଜାର
ଭୁବେନଶ୍ବର: ମାର୍ଚ୍ଚ ୨୪ରୁ କରୋନା ଜନିତ ଲକ୍ଡାଉନ୍ ହେବା ପରେ ଭୁବନେଶ୍ବରକୁ ବର୍ତ୍ତମାନ ସୁଦ୍ଧା ୧୫୦୦୧ ଜଣ ଲୋକ ଫେରିଛନ୍ତି। ବିଏମ୍ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୧,୯୪୪ ଜଣ ଭୁବନେଶ୍ବରକୁ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦୦୧ ଜଣ ଫେରିଛନ୍ତି। ଏଥିରୁ ୧୧,୯୩୭ଜଣ ଘରେ, ହୋଟେଲରେ ରହି ସଙ୍ଗରୋଧ ଅବଧି ପୂରଣ କରିଥିବା ବେଳେ ୩୦୬୪ଜଣ ଏବେ ବି ସଙ୍ଗରୋଧରେ ଅଛନ୍ତି। ଏବେ ସଙ୍ଗରୋଧରେ ରହିଥିବା ଲୋକ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଏବଂ ବହୁ ଲୋକ ସଙ୍ଗରୋଧ ନିୟମ ନମାନି ବାହାରେ ବୁଲୁଥିବାରୁ ବିଏମ୍ସି ପକ୍ଷରୁ ତାଗିଦ୍ କରାଯାଇଛି। ସଙ୍ଗରୋଧରେ ରହୁଥିବା ଲୋକ ବିଏମ୍ସି ନିୟମ ମାନି ରହିବାକୁ କୁହାଯାଇଛି। ନଚେତ୍ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।