ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ପଞ୍ଚମ ଦିନରେ ସର୍ବାଧିକ ପ୍ରାର୍ଥିପତ୍ର ଦାଖଲ ହୋଇଛି। ଗତ ୪ ଦିନ ମଧ୍ୟରେ ଯେତିକି ପ୍ରାର୍ଥିପତ୍ର ଦାଖଲ ହୋଇ ନଥିଲା, ଆଜି ଗୋଟିଏ ଦିନରେ ତା’ର ଦୁଇଗୁଣରୁ ଅଧିକ ଦାଖଲ ହୋଇଛି। ବିଭିନ୍ନ ରାଜନୈତିକ ଦଳ ଟିକେଟ୍ ବାଣ୍ଟି ନଥିଲେ ମଧ୍ୟ ପ୍ରାର୍ଥୀମାନେ ଦଳୀୟ ନେତା, ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବାଜା, ବାଣ, ନାଚ, ଗୀତରେ ପୂରା ରାଜଧାନୀ କମ୍ପି ଉଠିଥିଲା। ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଯାଏ, ସବୁଠି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।
ବିନା ଟିକେଟ୍ରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ଆଶାୟୀ
ଆଜି ଶେଷ ଦିନରେ ଅଧିକ ଭିଡ଼ ହେବ
ଶନିବାର ଯାଏ ରୁଦ୍ଧଦ୍ବାର ମନ୍ତ୍ରଣାରେ ସୀମିତ ଥିବା ରାଜଧାନୀ ରାଜନୀତି ଆଜି ହଠାତ୍ ପ୍ରାର୍ଥୀମାନଙ୍କ ଶୋଭାଯାତ୍ରା ସହ ସରଗରମ ହୋଇଉଠିଛି। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାରୁ ଆଜି ଭଳି ଦୃଶ୍ୟ ଦେଖିବାକୁ ମିଳିବ। ଦଳୀୟ, ସ୍ବାଧୀନ, ଅସନ୍ତୁଷ୍ଟ ଏବଂ ବିଜେଡି ଓ ବିଜେପିର ମେୟର୍ ପ୍ରାର୍ଥୀଙ୍କୁ ମିଶାଇ ଶତାଧିକ ପ୍ରାର୍ଥୀ ନାମାଙ୍କନ ଭରିବେ। ଏଥିପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଅପରପେକ୍ଷ ସବୁ ୱାର୍ଡରେ ଲଢ଼େଇର ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଯିବ। ତା’ପରେ ଆରମ୍ଭ ହେବ ପ୍ରଚାର ଓ ପ୍ରତିଶ୍ରୁତିର ପର୍ବ।
ରବିବାର ପଞ୍ଚମ ଦିନରେ ମେୟର୍ ପଦ ପାଇଁ ୪ଜଣ ଓ କର୍ପୋରେଟର୍ ପଦ ପାଇଁ ୯୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ପର୍ଯ୍ୟନ୍ତ କର୍ପୋରେଟର ପଦବି ପାଇଁ ୧୩୧ ଓ ମେୟର ପଦବି ପାଇଁ ୫ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ରବିବାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରୁ ବହୁ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବି ଦଳୀୟ ଟିକେଟ୍ ଦାଖଲ କରିପାରିନାହାନ୍ତି। ୯ ତାରିଖ ପର୍ଯ୍ୟନ୍ତ ଟିକେଟ୍ ଦାଖଲ କରିବାର ଅବଧି ରହିଛି। ଏଣୁ ଆଶାୟୀ ପ୍ରାର୍ଥୀମାନେ ଠିକ୍ ସମୟରେ ଟିକେଟ୍ ଦାଖଲ କରିବେ ବୋଲି କହିଛନ୍ତି। ଆଜି ବିଜେଡିରୁ ୨୦ଜଣ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ଭୁବନେଶ୍ବର ବିଜେଡି ସଂଗଠନର ହେଭିୱେଟ୍ ନେତାମାନେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଗଲା ବେଳେ ଶକ୍ତି ପ୍ରଦର୍ଶନ ପାଇଁ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ।
ବହୁ ସଂଖ୍ୟାରେ ମୋଟର୍ ସାଇକେଲ୍, କାର୍ ଓ ଅଟୋ ସେମାନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଶହଶହ ସଂଖ୍ୟାରେ ନେତା ଓ କର୍ମୀଙ୍କୁ ଏକାଠି କରି ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାରେ ସେମାନଙ୍କ ଶୋଭାଯାତ୍ରା ଗଲା ବେଳେ ବିଧାନସଭା ନିର୍ବାଚନର ଭ୍ରମ ସୃଷ୍ଟି ହୋଇଥିଲା। ଆଜି ତିନି ନିର୍ବାଚନମଣ୍ଡଳୀ ଅଧୀନସ୍ଥ ୱାର୍ଡଗୁଡ଼ିକର ବିଜେଡି ପ୍ରାର୍ଥୀ ଶୋଭାଯାତ୍ରାରେ ଯାଇଥିଲେ ବି ସେମାନଙ୍କ ସହ ତିନି ବିଧାୟକ କିମ୍ବା କୌଣସି ବରିଷ୍ଠ ନେତା ସାମିଲ ହୋଇ ନ ଥିଲେ।
୪୫ ନମ୍ବର ୱାର୍ଡର ଅମରେଶ ଜେନା, ୫୬ର କେ ଶାନ୍ତି, ୫୩ର ମହାମାୟା ସ୍ବାଇଁ, ୫୯ର ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଆଜି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏମାନଙ୍କ ବାଦ୍ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେଡିର ଅନ୍ୟ ପ୍ରାର୍ଥୀମାନେ ହେଲେ ୧ ନମ୍ବର ୱାର୍ଡର ମିହିର ରାଉତ, ୫ର ବିଜୟଲକ୍ଷ୍ମୀ ରାଉତ, ୯ର ସୂର୍ଯ୍ୟକାନ୍ତି ଜେନା, ୧୨ର ପ୍ରତିଭା ବେହେରା, ୨୭ର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ୩୪ର ପୁଷ୍ପାଞ୍ଜଳୀ ସେଠୀ, ୪୧ର କବିତା ସ୍ବାଇଁ, ୪୨ର ଆଶିଷ ପଟ୍ଟନାୟକ, ୪୩ର ଭରତ ଲେଙ୍କା, ୫୧ର ବିନୟିନୀ ଜେନା, ୫୭ର ସନ୍ତୋଷ ସିଂହ, ୫୮ର ପୁଷ୍ପା ଦାଶ, ୬୦ର ରାଜେନ୍ଦ୍ର ସମର୍ଥା, ୬୪ର ସକିବା ମୁସ୍ରଫ୍, ୬୫ର ରାଜେଶ ପାତ୍ର ଓ ୬୬ର ଛବି ଦାଶ। ବିଜେଡି ମେୟର ପ୍ରାର୍ଥୀଙ୍କ ସମେତ ଆଉ ୪୬ କର୍ପୋରେଟର୍ ପ୍ରାର୍ଥୀ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।
ସେହିଭଳି କଂଗ୍ରେସରୁ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ସମେତ ୨୦ ଜଣ କର୍ପୋରେଟର୍ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ପିସିସି ଉପ-ସଭାପତି ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ସୁବ୍ରତ ମହାପାତ୍ର ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଆଜି କଂଗ୍ରେସ ମେୟର ପ୍ରାର୍ଥୀଙ୍କ ବାଦ୍ ଆଉ ତିନି ଜଣ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନେ ହେଲେ ଓଜେପିରୁ ନିରୋଜ ନଳିନୀ ସାମଲ, ଆପ୍ରୁ ସରୋଜିନୀ ଖୁଣ୍ଟିଆ ଓ ବସ୍ତି ସୁରକ୍ଷା ମଞ୍ଚରୁ ହେନା ବାରିକ।
ବିଜେପିରୁ ମଧ୍ୟ ବହୁ ପ୍ରାର୍ଥୀ ଆଜି ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେମାନଙ୍କର ସହ ଭୁବନେଶ୍ବର ମଧ୍ୟର ବିଜେପି ନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ୬ ନମ୍ବର ୱାର୍ଡରୁ ଦାମୋଦର ବେହେରା, ୧୯ରୁ ବୈଜୟନ୍ତୀ ଜେନା, ୩୨ରୁ ପ୍ରଭାତ ମାର୍ଥା, ୪୧ରୁ ସୁରମା ବେହେରା, ୪୮ରୁ ସୁଚିତ୍ରା ପାତ୍ର, ୫୯ରୁ କୃଷ୍ଣଚନ୍ଦ୍ର ବଟୁ, ୬୨ରୁ ରଶ୍ମିତା ସେଠୀ ଓ ୬୭ରୁ ମଧୁସ୍ମିତା ପ୍ରଧାନଙ୍କ ସମେତ ୧୮ ଜଣ ବିଜେପିରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ରବିବାର ପ୍ରାର୍ଥିପତ୍ର ଦାଖଲ ସମୟରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଭିଡ଼ ନିୟନ୍ତ୍ରଣ କରିବାକୁ ଟ୍ରାଫିକ୍ କଟକଣା କରାଯାଇଥିଲା। ପାୱାର ହାଉସ୍ ଛକରୁ ନ’ ତାଲା ଦେଇ କୌଣସି ଗାଡ଼ି ଛଡ଼ା ଯାଉନଥିଲା। ପ୍ରାର୍ଥୀଙ୍କ ସହ ମାତ୍ର ୫ ଜଣ କାର୍ଯ୍ୟାଳୟ ଭିତରକୁ ଯିବାକୁ ନିୟମ କରାଯାଇଥିଲେ ମଧ୍ୟ ୫ରୁ ଅଧିକ ସମର୍ଥକ ପ୍ରାର୍ଥୀଙ୍କ ସହ ଯିବାକୁ ଚାହିବାରୁ ସେଠାରେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ହୋଇଥିଲା।