ଭୁବନେଶ୍ବର: ଯୋଜନାବଦ୍ଧ ଭାବେ ପାତ୍ରପଡ଼ା ଶିଳ୍ପାଞ୍ଚଳସ୍ଥିତ ଏକ ମଦ ବଟ୍ଲିଂ ପ୍ଲାଣ୍ଟରୁ ୫୬ ଲକ୍ଷ ଟଙ୍କାର ମଦ ଲୁଟି ନେଇଥିବା ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିଛି କମିସନରେଟ୍ ପୁଲିସ। ତମାଣ୍ଡୋ ଥାନା ପୁଲିସ ଅନୁଗୁଳରୁ ଏହି ଗ୍ୟାଙ୍ଗ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ତଥା ଟ୍ରକ୍ ମାଲିକ ଅନୁଗୁଳ ଜିଲ୍ଲା ହେମସରାପଦା ଅଞ୍ଚଳର ସୋନୁ କୁମାର ଜେନା(୩୩), ଟ୍ରକ୍ ହେଲ୍ପର ବୋଲଗଡ଼ ଶ୍ୟାମପୁର ଅଞ୍ଚଳର ଭାସ୍କର ଚନ୍ଦ୍ର ସାମନ୍ତରାୟ(୩୧) ଏବଂ ବିଶ୍ବଜିତ ମହାନ୍ତି(୧୯)। ତେବେ ଏହି ମାମଲାର ଅସଲ ଖଳନାୟକ ପ୍ରଦୀପ ମିଶ୍ର ଓ ନକଲି ଟ୍ରକ୍ ଚାଳକ ବୈରାଗୀ ଦେହୁରୀ ଫେରାର୍ ହୋଇଯାଇଛି।
ପୁଲିସ ସେମାନଙ୍କଠାରୁ ଲୁଟ୍ରେ ବ୍ୟବହୃତ ଟ୍ରକ୍ ଓ ଲୁଟ୍ ହୋଇଥିବା ମୋଟ ୯୫୦ ପେଟି ମଦରୁ ମାତ୍ର ୧୫୦ ପେଟି ଜବତ କରିଛି। ଅଭିଯୁକ୍ତମାନେ ୮ ଜଣ ବେପାରୀଙ୍କୁ ବାକି ୮୦୦ ପେଟି ମଦ ବିକି ଦେଇଥିବା ଜଣାପଡ଼ିଛି। ଚୋରା ମଦ କିଣିଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ସୋନୁ ନାମରେ ଅନୁଗୁଳ ଜିଲ୍ଲା ତଥା ସୀମାନ୍ତବର୍ତ୍ତୀ ଜିଲ୍ଲାରେ ହତ୍ୟା, ଡକାୟତି, ସଂଗଠିତ ଅପରାଧ, ଅପହରଣ ଭଳି ବହୁ ସଂଗିନ୍ ମାମଲା ଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ ଏହି ଗ୍ୟାଙ୍ଗର ସମସ୍ତଙ୍କୁ ଠାବ କରିବାକୁ ଅଭିଯୁକ୍ତମାନଙ୍କୁ ୪ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି।
ପୁଲିସ ସୂଚନାନୁସାରେ ଫେରାର୍ ପ୍ରଦୀପ ମିଶ୍ର ପୂର୍ବରୁ ଏକ ପରିବହନ ସଂସ୍ଥାରେ କାମ କରୁଥିବାରୁ ଏ ଦିଗରେ ତା’ର ଅଭିଜ୍ଞତା ଥିଲା। ସେ ବହୁ ଟ୍ରକ୍ର କାଗଜପତ୍ର କପି ନିଜ ପାଖରେ ରଖିଥିଲା। ସେହିଭଳି ଟ୍ରକ୍ ଚାଳକ ବୈରାଗୀର ମଧ୍ୟ ବିଭିନ୍ନ ପରିବହନ ସଂସ୍ଥା ସହ ସମ୍ପର୍କରେ ଥିଲା। ତେଣୁ ଜାଲ୍ କାଗଜପତ୍ର ବଳରେ ବିଭିନ୍ନ ସଂସ୍ଥାରେ ଗାଡ଼ି ଲଗାଇ ମାଲ୍ ହାଇଜାକ୍ କରିବାରେ ଏହି ଗ୍ୟାଙ୍ଗ୍ ବେଶ୍ ମାହିର୍ ଥିଲା। ମାଲିକ ସୋନୁର ଟ୍ରକ୍ ଏଭଳି ମାଲ୍ ହାଇଜାକ୍ କରିବାରେ ବ୍ୟବହୃତ ହେଉଥିଲା। ଏମିତି ଚୋରା କାରବାରରେ ଟ୍ରକ୍ ନିୟୋଜିତ ହେବା ବେଳେ ନମ୍ବର ପ୍ଲେଟ୍ ବଦଳାଇ ଦିଆଯାଉଥିଲା। ଏମିତିରେ ଏହି ଗ୍ୟାଙ୍ଗ୍ ମଦ, ଲୁହା ବିମ୍, ରଡ୍, ଆଲୁମିନିୟମ୍, ତମ୍ବା ଆଦି ଲୁଟି ନେଉଥିଲେ।
କେମିତି ଲୁଟିଥିଲେ
ଗତ ୫ ତାରିଖର ଘଟଣା। ଭଗବାନପୁର ଶିଳ୍ପାଞ୍ଚଳସ୍ଥିତ ଷ୍ଟାଇଲ୍ ଓରିଏଣ୍ଟାଲ୍ ବଟ୍ଲିଂ ପ୍ଲାଣ୍ଟରୁ ୯୫୦ ପେଟି ବିଦେଶୀ ମଦ ସମ୍ବଲପୁର ପଠାଯିବାର ଥିଲା। ଏଥିପାଇଁ ବଟ୍ଲିଂ ପ୍ଲାଣ୍ଟ ପକ୍ଷରୁ ୱେଲ୍କମ୍ ଏଣ୍ଟରପ୍ରାଇଜର୍ସ ନାମକ ପରିବହନ ସଂସ୍ଥା ସହ ଯୋଗାଯୋଗ କରାଯାଇଥିଲା ଏବଂ ୩ଟି ଟ୍ରକ୍ ବରାଦ ହୋଇଥିଲା। ୱେଲ୍କମ୍ ସଂସ୍ଥାର ଦୁଇଟି ଟ୍ରକ୍ ଥିଲା। ତେଣୁ ମ୍ୟାନେଜର ପ୍ରଭାତ ଆଉ ଏକ ଟ୍ରକ୍ ପାଇଁ ଖୋର୍ଦ୍ଧାର ଏକ ଟ୍ରକ୍ ୟୁନିୟନ୍ ସୁପରଭାଇଜର ସନ୍ତୁଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଏହି ଖବର କୌଣସି ସୂତ୍ରରୁ ପ୍ରଦୀପ କାନରେ ପଡ଼ିଥିଲା। ତୁରନ୍ତ ସେ ଟ୍ରକ୍ ମାଲିକ ସୋନୁ ସହ ଯୋଗାଯୋଗ କରିଥିଲା ଏବଂ ମାଲ୍ ହାଇଜାକ୍ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ ସୋନୁ ଓ ପ୍ରଦୀପ ୪ଟି ନୂଆ ସିମ୍ କାର୍ଡ ଆଣି ନୂଆ ମୋବାଇଲ୍ ଫୋନ୍ରେ ପକାଇଥିଲେ। ସେହି ନମ୍ବରରୁ ପ୍ରଦୀପ ସୁପରଭାଇଜର୍ ସନ୍ତୁଙ୍କୁ ଫୋନ୍ କରିଥିଲା। ଅଜଣା ଅଚିହ୍ନା ହୋଇଥିଲେ ବି ନିହାତି ଏକଏକ ଟ୍ରକ୍ ଦରକାର ଥିବାରୁ ସନ୍ତୁ ଧୂର୍ତ୍ତ ପ୍ରଦୀପକୁ ବିଶ୍ବାସ କରିଥିଲା।
ଏନେଇ ୱେଲ୍କମ୍ ସଂସ୍ଥାର ମ୍ୟାନେଜର୍ ପ୍ରଭାତଙ୍କ ସହ ଯୋଗାଯୋଗ କରିବାକୁ ସେ କହିଥିଲେ। ପ୍ରଭାତଙ୍କ ସହ ଯୋଗାଯୋଗ କରିବାରୁ ସେ ଟ୍ରକ୍ ଓ ଚାଳକର ସମସ୍ତ ତଥ୍ୟ ଦେବାକୁ ପ୍ରଦୀପକୁ କହିଥିଲେ। ଏହାପରେ ସୋନୁ ଓ ପ୍ରଦୀପ ଟ୍ରକ୍ ଚାଳକଙ୍କର ନକଲି ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଟ୍ରକ୍ର ଜାଲ୍ କାଗଜପତ୍ର ଆଦି ପ୍ରଭାତଙ୍କ ପାଖକୁ ହ୍ବାଟ୍ସଆପ୍ରେ ପଠାଇଥିଲେ। ପ୍ରଭାତ ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ଟ୍ରକ୍କୁ ଡିପୋରେ ଲଗାଇବାକୁ କହିଥିଲେ। ତେଣୁ ସୋନୁ ତା’ ଟ୍ରକ୍କୁ ଭଗବାନପୁର ଶିଳ୍ପାଞ୍ଚଳସ୍ଥିତ ବଟ୍ଲିଂ ପ୍ଲାଣ୍ଟକୁ ପଠାଇଥିଲେ। ଟ୍ରକ୍ରେ ମଦ ବୋଝେଇ ହୋଇଯିବା ପରେ ସେମାନେ ସମ୍ବଲପୁର ଯିବା ବଦଳରେ ଅନୁଗୁଳସ୍ଥିତ ସୋନୁ ଘରକୁ ଚାଲିଯାଇଥିଲେ। ସେଠାରେ ମଦ ପେଟିଗୁଡ଼ିକୁ ଗାଡ଼ିରୁ ବାହାର କରି ସୋନୁ ଘରେ ମହଜୁଦ କରିଥିଲେ। ଏଣେ ଟ୍ରକ୍ ସମ୍ବଲପୁରରେ ନ ପହଞ୍ଚିବାରୁ ସେଠିକା ଡିଲ୍ର ଡିପୋକୁ ଫୋନ୍ କରି ଜଣାଇଥିଲେ। ସେତେବେଳକୁ ଜଣାପଡ଼ିଥିଲା ଯେ ଜାଲ୍ ରେକର୍ଡପତ୍ର ଦେଇ କେହି ମଦ ହାଇଜାକ୍ କରିନେଇଛି। ଏନେଇ ୱେଲ୍କମ୍ ଏଣ୍ଟରପ୍ରାଇଜର୍ସ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ କରାଯାଇଥିଲା।
କେମିତି ଧରାପଡ଼ିଲେ
ଘଟଣା ଦିନ ଅର୍ଥାତ୍ ୫ ତାରିଖ ଦିନ ଏକ ଘରୋଇ ବସ୍ରୁ ୪ଟି ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଅବସ୍ଥାରେ ମିଳିଥିଲା। ବସ୍ ମାଲିକ ଉକ୍ତ ୪ ମୋବାଇଲ୍କୁ ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲେ। ଏଣେ ତମାଣ୍ଡୋ ଥାନା ପୁଲିସ ମଦ ଲୁଟ୍କୁ ନେଇ ଖୋଳତାଡ୍ କରୁଥିବା ବେଳେ ଏହି ମୋବାଇଲ୍ଗୁଡ଼ିକୁ ନେଇ ସନ୍ଦେହ ହୋଇଥିଲା। ପୁଲିସ ମଦ ଡିପୋ ସିସିଟିଭିରୁ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ସିସିଟିଭି ଫୁଟେଜ୍ରୁ ସଂଗୃହୀତ ଲୁଟେରାଙ୍କ ଫଟୋକୁ ବସ୍ କର୍ମଚାରୀମାନେ ଦେଖିବା ପରେ ୨ ଜଣଙ୍କୁ ଚିହ୍ନିପାରିଥିଲେ। ତେଣୁ ସୋନୁ ଗ୍ୟାଙ୍ଗ୍ ହିଁ ବସ୍ରେ ମୋବାଇଲ୍ ଛାଡ଼ିଥିବା ଓ ମଦ ଲୁଟିବାରେ ସମ୍ପୃକ୍ତ ବୋଲି ପୁଲିସକୁ ଠୋସ୍ ସୁରାକ ମିଳିଥିଲା। ଗତକାଲି ରାତିରେ ପୁଲିସ ଟିମ୍ ଅନୁଗୁଳରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ତା’ ଘରୁ ୧୫୦ ପେଟି ମଦ ଜବତ ହୋଇଥିଲା। ପରେ ଅନ୍ୟ ୨ଜଣ ଗିରଫ ହୋଇଥିଲେ।