ବିଏମ୍‌ସି ଅଞ୍ଚଳରୁ ୭ ଦିନରେ ୯୧ ସଙ୍ଗରୋଧ ଅଞ୍ଚଳ

ଭୁବନେଶ୍ୱର : ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୫୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ବିଏମ୍‌ସି ‌ଆଜି ୨୮ଟି ଜାଗାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଓ ୪ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରିଛି। ଏଭଳି ମୋଟ ୩୨ଟି ଜାଗାରେ କଟକଣା କରାଯାଇଛି। କ୍ରମାଗତ ଭାବେ ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ ବଢ଼ିବାରେ ଲାଗିଛି।

୭ ଦିନ ଭିତରେ ବିଏମ୍‌ସି ୯୧ଟି ସଙ୍ଗରୋଧ ଅଞ୍ଚଳ ଘୋଷଣା କରିଛି। ଏହି ଅଞ୍ଚଳ ଭିତରକୁ କିମ୍ବା ବାହାରକୁ କାହାରିକୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ଏଠାକୁ ସମସ୍ତପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଏମ୍‌ସିର ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଅନେକ ଜାଗାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟସେବା ଯୋଗାଇବା ଦିଆଯାଉନଥିବା ଅଭିଯୋଗ ହୋଇଛି। ସେଥିପାଇଁ ସଙ୍ଗରୋଧ ଅଞ୍ଚଳରୁ ବାହାରକୁ ଆସି କେତେକ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ପରିଲକ୍ଷିତ ହୋଇଛି। ସଙ୍ଗରୋଧ ଅଞ୍ଚଳ ଘୋଷଣା କରିଦେବା ପରେ କେହି ଜଗିବାକୁ ରହୁ ନାହାନ୍ତି କିମ୍ବା ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରଥମ ଓ ଦ୍ବିତୀୟ ଲହର ଭଳି ଏହି ଅଞ୍ଚଳ ଉପରେ ଗୁରୁତ୍ବ ଦିଆଯାଉନାହିଁ। ଏଠାରୁ କେହି ବାହାରକୁ ଗଲେ ମୋବାଇଲ ଟ୍ରାକ୍‌ କରି ଜାଣିବା ପାଇଁ ବ୍ୟବସ୍ଥା ରହିଛି। ହେଲେ ସେଭଳି ହେଉନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର