ଭୁବନେଶ୍ବର: ପୁଞ୍ଜିନିବେଶ ନାଁରେ ୯୮ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ଅନ୍ତଃରାଜ୍ୟ ସାଇବର ଠକକୁ ଉତ୍ତରପ୍ରଦେଶରୁ ଗିରଫ କରିଛି। ସେ ହେଲା ବିଜ୍‌‌ନୌର ରହିମ୍‌ପୁର ମହମ୍ମଦ ରସିଦ(୩୩)। ତାଠାରୁ ୩ଟି ଫୋନ, ୪ଟି ସିମ୍‌ ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ତେବେ ସେ କିଭଳି ଲୋକଙ୍କୁ ଫସାଉଥିଲା? କେତେ ରାଜ୍ୟରେ ସକ୍ରିୟ ଥିଲା? ଏନେଇ ସାଇବର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ଜଗ୍‌ମୋହନ ମୀନା ରୢାକେଟ୍‌ର ଗୁମର ଖୋଲିଛନ୍ତି।

Advertisment

ଡିସିପି ଜଗ୍‌ମୋହନ ମୀନାଙ୍କ ସୂଚନା ମୁତାବକ, ଗତ ଜୁନ୍‌ ମାସରେ ଜଣେ ବ୍ୟକ୍ତିଙ୍କ ହ୍ବାଟ୍‌ସଆପ୍‌କୁ ଏକ ଅଜଣା ନମ୍ବରରୁ ଲିଙ୍କ୍‌ ଆସିଥିଲା। ଲିଙ୍କ୍‌ ଖୋଲିବା ପରେ ତାଙ୍କୁ ବିଭିନ୍ନ ସ୍କିମ୍‌ରେ ପୁଞ୍ଜିନିବେଶ କରିବା ପାଇଁ ସାଇବର ଠକ ପ୍ରଲୋଭିତ କରିଥିଲେ। ଗ୍ରୁପ୍‌ରେ ଥିବା ସଦସ୍ୟମାନେ କିଭଳି ଅଳ୍ପ ପୁଞ୍ଜିନିବେଶ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ତାର ସ୍କ୍ରିନ୍‌ସଟ୍‌ ପକାଉଥିଲେ। ବ୍ୟକ୍ତିଙ୍କ ବିଶ୍ବାସ ଭାଜନ ପରେ ସାଇବର ଠକ ତାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଜୁନ୍‌ ୧୭ରୁ ଜୁଲାଇ ୧ ମଧ୍ୟରେ ୯୮ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ବ୍ୟକ୍ତିଙ୍କ ଆକାଉଣ୍ଟ ଓ ନମ୍ବରକୁ ବ୍ଲକ୍‌ କରିଦେଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ବ୍ୟକ୍ତି ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ପ୍ରଥମେ ୩୦ଲକ୍ଷ ଟଙ୍କା ଯାଇଥିବା ଆକାଉଣ୍ଟକୁ ଯାଞ୍ଚ ବେଳେ ରସିଦ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା।  ତଥ୍ୟ ମିଳିବା ପରେ ପୁଲିସର ଏକ ଟିମ୍‌ ୟୁପି ବିଜ୍‌ନୌର୍‌ସ୍ଥିତ ରସିଦର ଚୌଧୁରୀ କଣ୍ଟ୍ରାକ୍ଟର୍ସ ଓ ସପ୍ଲାୟର ଅଫିସ୍‌ରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ଜେରା ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ କମ୍ପ୍ୟୁଟର ଆପ୍ଲିକେସନ୍‌ରେ ସ୍ନାତକ ଡିଗ୍ରି ହାସଲ କରିଛି। ଯାହାର ଫାଇଦା ନେଇ ସେ ବିଭିନ୍ନ ଫେକ୍‌ ଆଇଡି, ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଥିଲା। ଲୋକଙ୍କୁ ଚୂନ ଲଗାଇବା ପାଇଁ ରୢାକେଟ୍‌ରେ ଯୁବକଙ୍କୁ ସାମିଲ କରିଥିଲା। ଏହାପରେ ସେ ଓଡ଼ିଶା ସମେତ ତେଲେଙ୍ଗାନା, କର୍ଣ୍ଣାଟକ, ୟୁପି, ମହାରାଷ୍ଟ୍ର ଆଦି ରାଜ୍ୟରେ ଜାଲ ବିଛାଇ କୋଟି କୋଟି ଟଙ୍କା ଚଳୁକରିଥିଲା। ଜେରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେହିପରି ଯେଉଁ ସବୁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା ତାର ତଥ୍ୟ ମଧ୍ୟ ପୁଲିସ ସଂଗ୍ରହ କରିଛି। ଗ୍ୟାଙ୍ଗରେ ସାମିଲ୍‌ ଥିବା ଅନ୍ୟ ସଦସ୍ୟଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଦରକାର ପଡ଼ିଲେ ରସିଦକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।