ପ୍ରଦର୍ଶିତ ହେଲା ଓଡ଼ିଆ ଝିଅ ଲିପିକାଙ୍କ ୨ ଚଳଚ୍ଚିତ୍ର

ନବମ ଭାରତୀୟ ଚଳଚ୍ଚିତ୍ର ଉତ୍ସବର ଦ୍ୱିତୀୟ ଦିବସ

ଭୁବନେଶ୍ୱର : ଇଡକଲ ଅଡିଟୋରିୟମରେ ଚାଲିଥିବା ନବମ ଭାରତୀୟ ଚଳଚ୍ଚିତ୍ର ଉତ୍ସବର ଦ୍ୱିତୀୟ ଦିବସରେ ଆଜି ୬ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ବିଭିନ୍ନ ଭାଷାର ଏହିସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ବାବୁଈଶ୍ୱର ପ୍ରସାଦଙ୍କ ପରିଚାଳନାରେ ଶବ୍ଦ ଓ ଛବିକୁ ନେଇ ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମେ ନିର୍ଦେଶକ ସୁରେଶ ସଙ୍ଗାଇହଙ୍କ ତାମିଲ ଚଳଚ୍ଚିତ୍ର ‘ଓରୁ କିଡାୟିନ କରୁନାଇମନ୍‌’ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ରଟି ଚେନ୍ନାଇ ଅନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି। ଏହାପରେ ପ୍ରଦର୍ଶିତ ହୋଇଥିଲା ୨୧ ମିନିଟ୍‌ର ଇଂରାଜୀ ଫିଲ୍ମ ‘ଓ୍ଵାଟରଫଲ୍‌’। ଏହା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ସାଉଥ୍‌ ଏସିଆ ଟୋରେଣ୍ଟୋ, ଆଇଏଫଏଫଆଇ, ଏମ୍‌ଆଇଏଫ୍‌ଏଫ୍‌ରେ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ ଲିପିକା ସିଂହ ଦରାଇ। ସେହିପରି ତାଙ୍କର ଅନ୍ୟ ଏକ ଓଡ଼ିଆ ଚଳଚ୍ଚିତ୍ର ‘ଡାହାଣୀକୁ ନେଇ ଗଳ୍ପ’ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ୫୩ମିନିଟ୍‌ର ଏହି ଫିଲ୍ମଟି ପୂର୍ବରୁ ସାଇନ୍ସ ଫିଲ୍ମ ଫେଷ୍ଟିଭାଲ କେରଳ, ଏମଆଇଏଫ୍‌ଏଫ୍‌, କୁଇନ୍‌ସିଟି ଫିଲ୍ମ ଫେଷ୍ଟିଭାଲ ମେରିଲ୍ୟାଣ୍ଡରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଡାହାଣୀକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ୱାସ କିପରି ସେମାନଙ୍କୁ ଅପରାଧ କରିବାକୁ ପ୍ରବର୍ତ୍ତାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରି ତାହାକୁ ଏଥିରେ ଦେଖାଯାଇଛି।

ଏହାପରେ ଦିବଙ୍ଗତ ନିର୍ଦେଶକ ଜୀ ଅରବିନ୍ଦଙ୍କ ମାଲୟାଲମ ଚଳଚ୍ଚିତ୍ର ‘କାଞ୍ଚନ ସୀତା’ ପ୍ରଦର୍ଶିତ ହୋଇଥିଲା। ୯୦ ମିନିଟ୍‌ର ଏହି ଚଳଚ୍ଚିତ୍ରଟି ପୌରାଣିକ ରାମାୟଣ ଗାଥା ଉପରେ ଆଧାରିତ ଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୧୯୭୭ରେ ଶ୍ରେଷ୍ଠ ନିର୍ଦେଶକ ଭାବେ ଜାତୀୟ ଫିଲ୍ମ ପୁରସ୍କାର ମିଳିଛି। ପରେ ନିର୍ଦେଶନା ନିଲାଞ୍ଜନ ଦତ୍ତଙ୍କ ‘ଦ ହେଡ୍‌ ହଣ୍ଟର’ ପ୍ରଦର୍ଶିତ ହୋଇଥିଲା। ଏହା ଜଣେ ବୃଦ୍ଧା ଆଦିବାସୀ ଜୀବନୀ ଉପରେ ଆଧାରିତ ଥିଲା। ୨୦୧୬ରେ ଏହା ଭାରତ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ କାନାଡ଼ା ଅନ୍ତର୍ଜାତୀୟ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲା। ଶେଷରେ ନିର୍ଦେଶକ ଜୟରାଜ ରାଜଶେଖରଙ୍କ ୮୨ ମିନିଟ୍‌ର ମାଲୟାଲମ ଚଳଚ୍ଚିତ୍ର ‘ଓଟାଲ’ ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ରଟି ୧୮୦୦ ଶତାବ୍ଦୀରେ ଦକ୍ଷିଣ ଭାରତର ଏକ ଛୋଟ ଗାଁର କାହାଣୀ ଉପରେ ଆଧାରିତ ଥିଲା। ଶେଷରେ ବିଭୁ ଭାଇ ଓ ଭରଦ୍ୱାଜ ପଣ୍ଡାଙ୍କ ପରିଚାଳନାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଆସନ୍ତାକାଲି ନିର୍ଦେଶକ ରାମ ରେଡିଙ୍କ କାନାଡ଼ା ଚଳଚ୍ଚିତ୍ର ‘ଥିଥି’ ପ୍ରଦର୍ଶିତ ହେବାକୁ ଥିବାବେଳେ ଭିଲେଜ ରକ୍‌ଷ୍ଟାରସ୍‌(ଆସାମୀ), ଜୀ ଅରବିନ୍ଦଙ୍କ ଦ ସର୍କସ ଟେନ୍ସ(ମାଲାୟଲମ), ଗୁରୁବିନ୍ଦର ସିଂହଙ୍କ ଚଉଠି କୂଟ(ପଞ୍ଜାବୀ) ଏବଂ ମନୁଙ୍କ ମୁଣ୍ଡ୍ରୋ ଆଇଲ୍ୟାଣ୍ଡ(ମାଲୟାଲମ) ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର