ନିର୍‌ତାର୍‌ରେ ୧୦୦ ଶଯ୍ୟା ବିଶିଷ୍ଟ କୋଠା ଉଦ୍‌ଘାଟିତ

କଣ୍ଟାପଡ଼ା: ସ୍ବାମୀ ବିବେକାନନ୍ଦ ପୁନର୍ବାସ ତାଲିମ୍‌ ଓ ଗବେଷଣା କେନ୍ଦ୍ର (ଏସ୍‌ଭି ନିର୍‌ତାର୍‌)ରେ ଆଜି ନବନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ କୋଠା ଓ ଚିକିତ୍ସା ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ତଥା ସାଂସଦ ଜେ.ପି. ନଡ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ, ସେ ସ୍ବାମୀ ବିବେକାନନ୍ଦଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏସ୍‌ଭି ନିର୍‌ତାର୍‌ର ନିର୍ଦ୍ଦେଶକ ଡାକ୍ତର ପତିପାବନ ମହାନ୍ତିଙ୍କ ସଭାପତିତ୍ବରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଜେପି ରାଷ୍ଟ୍ରପତି ତଥା ସାଂସଦ ଶ୍ରୀ ନଡ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ଅନୁଷ୍ଠାନକୁ ଅନ୍ତର୍ଜାତୀୟସ୍ତରରେ ୧ ନମ୍ବର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ଡାକ୍ତରମାନେ ହେଉଛନ୍ତି ଦ୍ବିତୀୟ ଭଗବାନ। ଡାକ୍ତରମାନେ ସଦାସର୍ବଦା ପରିଶ୍ରମ କରୁଛନ୍ତି ବୋଲି ସେ କହିବା ସହ ଆତ୍ମନିର୍ଭର ଭାରତ ସ୍ବପ୍ନକୁ ସାକାର କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସବରେ ଯୋଗଦେଇ ଏସ୍‌ଭି ନିର୍‌ତାର୍‌କୁ ଜାତୀୟସ୍ତରରୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବାର ପ୍ରତିଶ୍ରୁତି ଦେଇଥିଲେ। ଆହୁରି ମଧ୍ୟ କହିଥିଲେ ଯେ ଏହି ଅନୁଷ୍ଠାନକୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ।

ଡାକ୍ତରମାନେ ହେଉଛନ୍ତି ଦ୍ବିତୀୟ ଭଗବାନ: ନଡ୍ଡା
ନିର୍‌ତାର୍‌କୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ: ଧର୍ମେନ୍ଦ୍ର

ପରେ ଅତିଥିମାନେ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଅଙ୍ଗ ଓ ସହାୟତା ଉପକରଣ ବିତରଣ କରିବା ସହ ଅନୁଷ୍ଠାନରୁ ପ୍ରକାଶିତ ହେଉଥିବା ପୁନର୍ବାସ ଅନୁସନ୍ଧାନ ପତ୍ରିକାର ଉନ୍ମୋଚନ କରିଥିଲେ। ବିଭାଗୀୟ ସଚିବ ରାଜେଶ ଅଗ୍ରୱାଲ୍‌ ଓ ଯୁଗ୍ମ ସଚିବ ରାଜୀବ ଶର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିଭଳି, ଅନୁଷ୍ଠାନର ଉପନିର୍ଦ୍ଦେଶକ କିଶୋର ମହାପାତ୍ର, ପବିତ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆର୍‌ଇସିଏଲ୍‌ ନୂଆଦିଲ୍ଲୀର କାର୍ଯ୍ୟପାଳକ ଟିଏସ୍‌ସି ବୋଷ ଧନ୍ୟବାଦ ଦେଇଥିଲେ। ଉତ୍ସବରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ରପ୍ରସାଦ ପଣ୍ଡା, କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ନିଆଳି ନିର୍ବାଚନମଣ୍ଡଳୀ ନେତା ଛବି ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୪ ମହଲା ବିଶିଷ୍ଟ ଏହି ପୁନର୍ବାସ କୋଠା ପାଇଁ ୧୬ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିପରି ପିଲାଙ୍କ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟରେ ଚିକିତ୍ସା ଉଦ୍ୟାନ ଓ ୫ ଫୁଟ୍‌ ଉଚ୍ଚ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର