ଭୁବନେଶ୍ବର: ରାଜଧାନୀରେ ଆଲୋଡ଼ନ। ଅନଲାଇନ୍ ଗେମ ଖେଳି ୧୨ବର୍ଷର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିଛି, ଖାରବେଳନଗର ଅଞ୍ଚଳରେ। ମୃତକ ହେଲେ ଯଶୋବନ୍ତ ରାଉତରାୟ। ସେ କଟକର ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଛାତ୍ରଙ୍କ ପରିବାର ଓ କ୍ୟାପିଟାଲ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଯଶୋବନ୍ତଙ୍କ ପରିବାରଲୋକ ଭୁବନେଶ୍ବରରେ ରୁହନ୍ତି। ସେ କଟକରେ ରହୁଥିବା ତାଙ୍କ ଦାଦାଙ୍କ ପାଖରେ ରହି ପାଠ ପଢ଼ନ୍ତି। କିଛି ଦିନ ହେଲା ନିଜ ଘରକୁ ଆସିଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘରେ ଅନେକ ସମୟରେ ମୋବାଇଲରେ ଅନ୍ଲାଇନ୍ ଗେମ୍ ଖେଳୁଥିଲେ। ଯାହାକୁ ପରିବାରଲୋକ ବାରଣ କରୁଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲରେ ଗେମ୍ ଖେଳୁଥିଲେ। ଯଶୋବନ୍ତ ତାଙ୍କର ଜଣେ ସାଙ୍ଗଙ୍କ ସହ ଗୋଟିଏ ରୁମ୍ରେ ଶୋଇଥିଲେ। ଆଜି ସକାଳୁ ଅନ୍ୟ ଏକ ରୁମ୍ରେ ଛାତରେ ଲାଗିଥିବା ହୁକରେ ଗାମୁଛାରେ ଓହଳି ପଡ଼ିଥିବା ପରିବାରଲୋକ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।
ମାତ୍ର ୧୨ବର୍ଷର ଛାତ୍ର ଯଶୋବନ୍ତ କାହିଁକି ଆତ୍ମହତ୍ୟା କଲେ, ତାହାର କାରଣ ଖୋଜିବା ଆରମ୍ଭ କରିଛି ପୁଲିସ। ଅନଲାଇନ ଗେମ୍ ବା ବେଟିଂ ଖେଳି ହାରିବା ପରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍ ସନ୍ଦେହ କରି ଖୋଳତାଡ଼ ଚଳାଇଛି। ପରିବାରଲୋକ କିନ୍ତୁ ପୁଲିସ ନିକଟରେ ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ଦର୍ଶାଇ ନାହାନ୍ତି। ଅନେକ ସମୟରେ ସେ ଚୁପଚାପ୍ ରୁହନ୍ତି ବୋଲି କହିଛନ୍ତି। ତେଣୁ ସେ ମାନସିକ ଚାପରେ ରହୁଥିବା ମଧ୍ୟ ସନ୍ଦେହ କରାଯାଉଛି। ମାନସିକ ଚାପ ପଛରେ ଅତ୍ୟଧିକ ସ୍ମାର୍ଟ ମୋବାଇଲ ଫୋନ୍ ବ୍ୟବହାର ଓ ଅନଲାଇନ୍ ଗେମ୍ ମଧ୍ୟ ଏକ କାରଣ ହୋଇଥାଇପାରେ ବୋଲି କୁହାଯାଉଛି। ପୁଲିସ ତଦନ୍ତରୁ ସବୁ କିଛି ସ୍ପଷ୍ଟ ହେବ। ଏ ସଂକ୍ରାନ୍ତରେ ଖାରବେଳନଗର ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
ଏ ସମ୍ପର୍କରେ ସାଇବର୍ ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳଙ୍କ କହିବା ଅନୁସାରେ, ଅନଲାଇନ୍ ବେଟିଂ ଏବେ ଏକ ଟ୍ରେଣ୍ଡ ପାଲଟି ଯାଇଛି। ଯୁବପିଢ଼ି ଓ ବିଶେଷକରି ଛାତ୍ରଛାତ୍ରୀ ଏହି ମାୟାରେ ପଡ଼ି ଯାଇଛନ୍ତି। ଲକଡାଉନ୍ ସମୟରେ ବହୁଳ ମାତ୍ରାରେ ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁଁ ଅନଲାଇନ୍ ବେଟିଂ ଗେମ୍ ମଧ୍ୟ ବଢ଼ି ଚାଲିଛି। ଘରେ ବସି ଟଙ୍କା ରୋଜଗାର ନିଶା ଘାରିଛି। ସେହିପରି କେତେକ ହଜାର ହଜାର ଟଙ୍କା ବାଜି ଲଗାଇ ହାରିବା ପରେ ନିଜ ଜୀବନ ହାରୁଛନ୍ତି। ଆଇପିଏଲ୍ ଫାଣ୍ଟାସି ନାଁରେ ମଧ୍ୟ ବେଟିଂ ଚାଲିଛି। ବହୁଳ ମାତ୍ରାରେ ମୋବାଇଲ ଫୋନ୍ ବ୍ୟବହାର ଅବସାଦ ବଢ଼ାଉଛି ଓ ପିଲା ମାନସିକସ୍ତରରେ ଚାପଗ୍ରସ୍ତ ହୋଇ ରହୁଛନ୍ତି। ସେମାନଙ୍କର ଯଥେଷ୍ଟ କାଉନସେଲିଂର ଆବଶ୍ୟକତା ରହିଛି। ସେହିପରି ଛାତ୍ରଛାତ୍ରୀଙ୍କ ମୋବାଇଲ ଫୋନ୍ ବ୍ୟବହାର ଉପରେ ଅଭିଭାବକ କଟକଣା ଲଗାଇଲେ ଏଭଳି ଘଟଣା କମି ପାରିବ।
ଉଲ୍ଲେଖଯୋଗ୍ୟ, ଏହି ଘଟଣା ନୂଆ ନୁହେଁ। ପ୍ରାୟ ଦୁଇବର୍ଷ ତଳେ ପଟିଆ ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ବ୍ଲୁ-ହ୍ବେଲ ଗେମ୍ ଖେଳି ଶେଷ ସୋପାନରେ ପହଞ୍ଚିବା ପରେ ଚେନ୍ନାଇରେ ଏକ ହସ୍ପିଟାଲ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅନଲାଇନ୍ ବେଟିଂ ଗେମ୍ ଖେଳି ଟଙ୍କା ହରାଇବା ପରେ କଟକ, ଜଗତସିଂହପୁର ଓ ଅନ୍ୟ କେତେକ ଅଞ୍ଚଳରେ ଆତ୍ମହତ୍ୟା କରିବାର ନଜିର ରହିଛି। ଏହି ଘଟଣା ଏବେ ଚ୍ୟାଲେଞ୍ଜ ପାଲଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/56dg4j56d4g56j4d56gjjjjjjjjjjjjjjjjjjjjjjjjjj.jpg)