ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ସାଲିଆସାହି ଭିତର ଦେଇ ହିଁ ଯିବ। ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରଭାବିତ ହେବାକୁ ଥିବା ୨୭ଟି ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ଶହେ କୋଟିରୁ ଅଧିକ ଟଙ୍କା ଦିଆଯିବ। ସାଲିଆସାହିରେ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ କରାଯିବ। ବିଡିଏ, ବିଏମ୍ସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏଦିଗରେ କାର୍ଯ୍ୟ କରିବେ। ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ବିଏମ୍ସି ରୂପରେଖ ପ୍ରସ୍ତୁତ କରିବ। ବିଡିଏ ଓ ବିଏମ୍ସି ମିଳିତ ଭାବେ ରାସ୍ତା ପାଇଁ ଆବଶ୍ୟକୀୟ ଜମିରୁ ଉଚ୍ଛେଦ କରିବା ପରେ ପୂର୍ତ୍ତ ବିଭାଗ ରାସ୍ତା କାମ ଆରମ୍ଭ କରିବ। ବିଡିଏ ଉପାଧ୍ୟକ୍ଷ ଏନ୍. ଥିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ୨୦୦ ଫୁଟିଆ ରାସ୍ତା କାମ ସମ୍ପର୍କରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏକାମ୍ରକାନନ ଛକରୁ ହତିଆସୁଣି ପଡ଼ିଆ ମଧ୍ୟରେ ସାଲିଆସାହି ଭିତରେ ୮୭୭ ମିଟର କାମ ଆଗେଇପାରୁ ନାହିଁ। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ଦୁଇ ବର୍ଷ ହେଲା ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତାରେ ଥିବା ୨୭ଟି ଘରୋଇ ଜମି ମଧ୍ୟରୁ ୪ଟିର ପଞ୍ଜୀକରଣ ଇତିମଧ୍ୟରେ ଶେଷ ହୋଇଛି। ବାକି ରହିଥିବା ୨୩ଟି ଘରୋଇ ଜମି ଦଖଲ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୫ ସୁଦ୍ଧା ଘରୋଇ ଜମି ପଞ୍ଜୀକରଣ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଜମି ମିଳିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଘରୋଇ ଜମି ଥିବା ୨୫୦ ମିଟର ରାସ୍ତା କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ମାର୍ଚ୍ଚ ୧୫ ସୁଦ୍ଧା ୨୭ ଘରୋଇ ଜମି ଦଖଲ ହେବ
କ୍ଷତିପୂରଣ ବାବଦରେ ଦିଆଯିବ ଶହେ କୋଟିରୁ ଅଧିକ
ବସ୍ତିବାସିନ୍ଦାଙ୍କୁ ପ୍ରଥମେ ଥଇଥାନ, ତା’ପରେ ଉଚ୍ଛେଦ
ତିନି ବର୍ଷ ହେଲା ଆଗେଇପାରୁନି ୮୭୭ ମିଟର କାମ
ସାଲିଆସାହି ଜମି ହାତେଇବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ। ତା’ପରେ ଯାଇ ବସ୍ତି ଭିତରେ ରାସ୍ତା କାମ ଆରମ୍ଭ ହେବ। ତେବେ ବସ୍ତିବାସିନ୍ଦାଙ୍କୁ କେଉଁଠାରେ ଓ କେବେ ସୁଦ୍ଧା ଥଇଥାନ କରାଯିବ ସେନେଇ ବିଏମ୍ସି ଓ ବିଡିଏ ପଦକ୍ଷେପ ନେବେ। ରାସ୍ତା ଯିବାକୁ ଥିବା ଅଞ୍ଚଳରେ ଶତାଧିକ ପରିବାର ପ୍ରଭାବିତ ହେବାକୁ ଥିବାରୁ ସେମାନଙ୍କୁ ଆବାସ ଗୃହରେ ଥଇଥାନ କରିବାକୁ ଯୋଜନା ହୋଇଛି। ନିକଟରେ ଆଉ କୌଣସି ଖାଲି ସ୍ଥାନ ନ ଥିବାରୁ ସେଠାରେ ଘର କରି ଯୋଗାଇବା ସମ୍ଭବପର ନୁହେଁ। ତେଣୁ ବୁଦ୍ଧବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକରେ ଉଚ୍ଛେଦ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯାଇପାରେ ବୋଲି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ତେବେ ବିଡିଏ ଓ ବିଏମ୍ସିର ଅଧିକାରୀମାନେ ଏଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।
ଅନ୍ୟପକ୍ଷରେ ସାଲିଆସାହିରେ ପଶିବା ଏବେ ବି ପ୍ରଶାସନ ପାଇଁ ବଡ଼ ଆହ୍ବାନ ପାଲଟିଛି। ମାସେ କି ବର୍ଷେ ନୁହେଁ, ୫ ବର୍ଷ ହେଲା ବସ୍ତିବାସିନ୍ଦା ଏହି ରାସ୍ତାକୁ ବିରୋଧ କରି ଚାଲିଛନ୍ତି। ସାଲିଆସାହିରେ ପ୍ରବେଶ କରିବାକୁ ପ୍ରଶାସନ ବାରମ୍ବାର କଳବଳ କୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ। ବାରମ୍ବାର ପୁଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଛନ୍ତି। ଦୁଇ ବର୍ଷ ହେଲା ହାତିଆଶୁଣି ପଡ଼ିଆଠାରୁ ଗୋଟିଏ ମିଟର ବି ରାସ୍ତା ନିର୍ମାଣ ହୋଇପାରି ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ବସ୍ତିବାସିନ୍ଦାଙ୍କ ସୁରକ୍ଷା, ଜମି ପଟ୍ଟା ପ୍ରଦାନ ପରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ କୌଣସି ପଟ୍ଟା ମିଳି ନାହିଁ। ଏବେ ବସ୍ତିବାସିନ୍ଦାଙ୍କୁ ଉଠାଇବାକୁ ପ୍ରଶାସନ ଯେଉଁ ଯୋଜନା କରିଛି ତାହା କେତେଦୂର ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।