ଭୁବନେଶ୍ବରରେ ଖୋଲିବ ୨୬ଶଯ୍ୟା ବିଶିଷ୍ଟ ପାଲିଆଟିଭ୍‌ କେୟାର୍‌

ଚନ୍ଦ୍ରଶେଖରପୁର: କ୍ୟାନସର୍‌, ପାରାଲିସିସ୍‌, ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ମାରାତ୍ମକ ରୋଗକୁ କେବଳ ଔଷଧ ଭଲ କରିପାରେନାହିଁ। ଔଷଧକୁ ବାଦ୍‌ ଦେଇ ବହୁତ କିଛି ଅଛି, ଯାହା ମଣିଷକୁ ରୋଗରୁ ବି ଶୀଘ୍ର ମୁକ୍ତି ଦିଏ। ସୁସ୍ଥ ଓ ନିରୋଗ ରଖେ। ଅନେକ ବ୍ୟକ୍ତିଙ୍କ ପାଖରେ ଅର୍ଥ ଅଛି, କିନ୍ତୁ ତାକୁ ବିନିଯୋଗ କରିବାର ସୁଯୋଗ ନାହିଁ। ଅନେକ ବୟସାଧିକ୍ୟ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ସବୁ ଥାଇ ବି ସେମାନେ ଅଲୋଡ଼ା। ଆହା ପଦେ କହିବାକୁ କେହି ନାହିଁ। ଶରୀରପୀଡ଼ାରେ ଆଉଁସି ଦେବାକୁ ତାଙ୍କ ପାଖରେ କାହାର ହାତ ପହଞ୍ଚୁନାହିଁ। ରୋଗ ନଥାଇ ବି ସେମାନଙ୍କ ଜୀବନ ରୋଗଠାରୁ ଅଧିକ ଯନ୍ତ୍ରଣାଦାୟକ ହୋଇପଡ଼ିଛି। ସେହିଭଳି ଯନ୍ତ୍ରଣାର ଉପଶମ ପାଇଁ ରାଜଧାନୀରେ ମୁଣ୍ଡ ଟେକିଛି ରିହାବିଲିଟେସନ୍ ଓ ପାଲିଆଟିଭ୍‌ କେୟାର ପ୍ରାଇଭେଟ୍ ଲିମିଟେଡ୍‌। ହୋଟେଲ ମେ’ ଫେୟାର୍‌ରେ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ପାଲିଆଟିଭ୍‌ କେୟାର୍‌ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଡାକ୍ତରମାନେ ଏପରି ମତବ୍ୟକ୍ତ କରିଛନ୍ତି।

ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ ଡାକ୍ତର ଯୋଗଦେଇ ଆଲୋଚନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ଭେଷଜ ବିଶେଷଜ୍ଞ ଡାକ୍ତର ଦୁର୍ବା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ତଥା କ୍ୟାନସର୍ ବିଶେଷଜ୍ଞ ଡାକ୍ତର ଦେବାଶିଷ ଆଚାର୍ଯ୍ୟ ଓ ଆମେରିକାର ପ୍ରତିଷ୍ଠିତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କଲ୍ୟାଣ ରଥ ଯୋଗଦେଇ ମତ ରଖିଥିଲେ। କ୍ୟାନସର୍, ପାରାଲିସିସ୍, ମସ୍ତିଷ୍କାଘାତ ଓ ହୃଦ୍‌ଘାତ ଭଳି ରୋଗରେ ପୀଡ଼ିତ ପ୍ରାୟ ୪୦ ପ୍ରତିଶତ ରୋଗୀଙ୍କୁ ଏହି ଚିକିତ୍ସାର ଆବଶ୍ୟକତା ରହିଥିବା ବେଳେ ଓଡ଼ିଶାରେ ଆଜି ଯାଏ ଏହା ଉପରେ ଗୁରୁତ୍ବ ଦିଆଯାଇନାହିଁ। ପାଲିଆଟିଭ୍‌ ଚିକିତ୍ସା ମାଧ୍ୟମରେ ସଂକଟାପନ୍ନ ରୋଗୀଙ୍କୁ ମାନସିକ ଉପଶମ ପ୍ରଦାନ କରାଯିବା ସହ ଅତ୍ୟଧିକ ଔଷଧ ସେବନରୁ ମୁକ୍ତି ଦିଆଯାଇପାରିବ ବୋଲି ଅତିଥିମାନେ କହିଥିଲେ। ଏଣୁ ବିଦେଶ ଭଳି ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଏଭଳି ଚିକିତ୍ସା ଉପଲବ୍ଧ କରିବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ଏହାକୁ ବିଚାରକୁ ନେଇ ରାଜ୍ୟରେ ପ୍ରଥମଥର ପାଇଁ ୨୬ ଶଯ୍ୟା ବିଶିଷ୍ଟ ରିହାବଲେସନ୍‌ ଓ ପାଲିଆଟିଭ୍‌ କେୟାର୍‌ ସେଣ୍ଟର୍‌ ନନ୍ଦନବିହାର, ରଘୁନାଥପୁର ଇଣ୍ଡିଆନ୍ ଅଏଲ୍ ସମ୍ମୁଖରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବାଲୁଙ୍କେଶ୍ବର ରଥ ଉପସ୍ଥିତ ଥିଲେ। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ପରିଚାଳନା ନିର୍ଦ୍ଦେଶକ ବାଲୁଙ୍କେଶ୍ବର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର