ଉଦ୍ୟାନ ନିର୍ଦେଶାଳୟରୁ ଧ୍ବଂସ ପାଇବ ୫୦ ବର୍ଷର ଗଛ, ୨୦ ଏକର ବନାଞ୍ଚଳରେ ଅଟ୍ଟାଳିକା ଛିଡ଼ା କରିବାକୁ ମସୁଧା
ଆଗରୁ ବି ଜୟଦେବ ବାଟିକାରେ ହୋଇଥିଲା ହସ୍ତକଳା ସଂଗ୍ରହାଳୟ ପରିକଳ୍ପନା
ଭୁବନେଶ୍ବର: ସହରରେ ନଗର ବନ ଯୋଜନା ପାଇଁ ରୂପରେଖ ପ୍ରସ୍ତୁତ ହେଉଛି। ଅପର ପାର୍ଶ୍ବରେ ସହରର ୨୦ ଏକର ବନାଞ୍ଚଳରେ ଉଚ୍ଚ ଅଟ୍ଟାଳିକା ଛିଡ଼ା କରିବାକୁ ଖୋଦ୍ ସରକାର ମସୁଧା କରୁଛନ୍ତି। ରାଜଧାନୀରେ ସବୁଜିମାର ଛାତି ଚିରି ଏପରି ଏକ କଂକ୍ରିଟ୍ ଜଙ୍ଗଲର ପରିକଳ୍ପନା କରାଯାଇଛି। ଉଦ୍ୟାନ ନିର୍ଦେଶାଳୟ ପରିସରର ପ୍ରାୟ ୨୬ ଏକର ଜମି ମଧ୍ୟରୁ ୨୦ ଏକର ୧୯୨ ଡେସିମିଲ ଜମିକୁ ସାଧାରଣ ପ୍ରଶାସନ (ଜିଏ)କୁ ହସ୍ତାନ୍ତର କରିବାକୁ ଉଦ୍ୟାନ ବିଭାଗର ସହ ନିର୍ଦେଶକଙ୍କୁ ଗତ ୧୩ ତାରିଖରେ ଚିଠି କରାଯାଇଛି। ଏନେଇ ଆଜି ମାପ ଚୁପ ବି କରାଯାଇଛି। ଏହା ହେଲେ ପରିସରରେ ଥିବା ୧୧ଶହ ଆମ୍ବ ଗଛ ସାଙ୍ଗକୁ ଅନ୍ୟ ଫଳ ଗଛ ଓ ଅର୍କିଡ୍କୁ ମିଶାଇ ୮ହଜାରରୁ ଅଧିକ ଗଛ ବଳି ପଡ଼ିବ। ଉଦ୍ୟାନ ନିର୍ଦେଶାଳୟ ପରିସରରେ ଥିବା ପ୍ଲଟ୍ ନମ୍ବର ୮୮୨, ୮୮୩ ଓ ୮୮୪ର ୫ଏକର ୭୭୫ ଡିସିମିଲ ଜମିକୁ ଛାଡ଼ି ବାକି ସବୁ ଜମିରେ ସରକାର କଂକ୍ରିଟ୍ ଜଙ୍ଗଲ ଛିଡ଼ା କରିବାକୁ ଯୋଜନା କରୁଥିବା ବେଳେ ପରିବେଶବିତ୍ ଏହାକୁ ଘୋର ବିରୋଧ କରିଛନ୍ତି। ହେଲେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପରୀକ୍ଷା ନିରୀକ୍ଷା ପରେ ସାଧାରଣ ପ୍ରଶାସନକୁ ଜମି ହସ୍ତାନ୍ତର ପାଇଁ ସହମତି ଜଣାଇଛି। ଏଣେ ପ୍ଲଟ୍ ନମ୍ବର ୪ର ୮୧ ଡିସିମିଲ୍ ଓ ୫ ନମ୍ବର ପ୍ଲଟ୍ର ୨ ଏକର ୨୧ ଡିସିମିଲ୍ ଜମି ଜଙ୍ଗଲ କିସମ ଥିଲେ ହେଁ ଏହାର କିସମ ପରିବର୍ତନ କରି ନେବାକୁ ଚକ୍ରାନ୍ତ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଛ ସଂଖ୍ୟା ଦୃଷ୍ଟିରୁ ଯେତିକି ମୂଲ୍ୟବାନ ତା’ଠୁ ଅଧିକ ଗଛର ସମୟ ସୀମା। ପରିବେଶ ବିଜ୍ଞାନୀ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଏହି ପରିସରରେ ୫୦ରୁ ଶହେ ବର୍ଷ ତଳର ଗଛ ଅଛି। ବହୁ ପୂର୍ବରୁ ଏହା ଚନ୍ଦକା ଜଙ୍ଗଲର ଅଂଶବିଶେଷ ଥିଲା। କାଳକ୍ରମେ ଜନବସତି ଗଢ଼ି ଉଠିବା ସହ କିଛି ପୁରୁଣା ଗଛ ଏଯାବତ ରହିଛି। ସହରର ପରିବେଶ ସନ୍ତୁଳନରେ ଏହାର ଅବଦାନକୁ ଅସ୍ବୀକାର କରାଯାଇପାରିବ ନାହିଁ। ଯେତେବେଳେ ଦେଶର ୨ଶହ ସହରରେ ପୁନେର ୱାର୍ଜେ ଜଙ୍ଗଲକୁ ନମୁନା ଭାବେ ନିଆଯାଇ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଖସଡ଼ା ପ୍ରସ୍ତୁତ ହେଉଛି ସେତେବେଳେ ସହରରେ ସଂରକ୍ଷିତ ବନାଞ୍ଚଳକୁ ମୂଳରୁ ଧ୍ବଂସ କରିଦେବା ଦୁର୍ଭାଗ୍ୟର ବିଷୟ। ଆବାସିକ, ବାଣିଜ୍ୟିକ କମ୍ପ୍ଲେକ୍ସ କିମ୍ବା ଉଚ୍ଚ ଅଟ୍ଟାଳିକା ଛିଡ଼ା କରିବା ପାଇଁ ରାଜଧାନୀରେ ଅନେକ ସ୍ଥାନ ରହିଛି। ସେଠାରେ ଏସବୁର ପରିକଳ୍ପନା କରାଯାଇପାରିବ। ମାତ୍ର ଯେଉଁଠି ଘଞ୍ଚ ଅରଣ୍ୟ ରହିଛି ସେଠାରେ ଅନ୍ତତଃ ତା’ର ସୁରକ୍ଷା କରାଯିବା ନିତାନ୍ତ ଆବଶ୍ୟକ। ତାପମାତ୍ର, ଜଳବାୟୁ ନିୟନ୍ତ୍ରଣ, ପ୍ରଦୂଷଣ ହ୍ରାସ, ଅମ୍ଳଜାନ ପ୍ରଦାନ ଓ ଅଙ୍ଗାରକାମ୍ଳ ଗ୍ରହଣରେ ମଧ୍ୟ ଏହାର ଭୂମିକା ରହିଛି। ଏହାକୁ ଧ୍ବଂସ କରିଦେବା ଫଳରେ ଏହାର କୁପ୍ରଭାବ ସହର ଉପରେ ପଡ଼ିବ। ତେଣୁ ତୁରନ୍ତ ଏ ଦିଗରେ ପୁନର୍ବିଚାର କରାଯାଉ। ଯଦି ଏହା ନ କରି ସରକାର ଏଠାରେ ନିଜର ଯୋଜନାକୁ ରୂପ ଦିଅନ୍ତି ତେବେ ବିକାଶ ଓ ପ୍ରକୃତି ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରହିବ ନାହିଁ।
ସହରରେ ଜୈବ ବିବିଧତା ଧୀରେଧୀରେ ହ୍ରାସ ପାଉଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ପରିବେଶ ଓ ଜଙ୍ଗଲ କ୍ଷେତ୍ର ପ୍ରତି ଯତ୍ନବାନ ହେବା ପରିବର୍ତେ ଏଗୁଡ଼ିକୁ କାଟିଦେବା ବିଡ଼ମ୍ବନାର ବିଷୟ ବୋଲି କହିଛନ୍ତି ପରିବେଶ ବିଜ୍ଞାନୀ ତଥା ଓଡ଼ିଶା ପରିବେଶ ସମିତିର ସଭାପତି ଏସ୍.ଏନ୍ ପାତ୍ର। ସେ କହିଛନ୍ତି, ରାଜଧାନୀରେ ବହୁ ଜାଗା ଅବରୋଧ ହୋଇ ରହିଛି। ସେଗୁଡ଼ିକରୁ ଜବରଦଖଲ ଉଚ୍ଛେଦ କରାଯାଇ ସେଠାରେ ଉଚ୍ଚ ଅଟ୍ଟାଳିକା ଛିଡ଼ା କରାଯାଇପାରିବ। ଏଠାରେ ବହୁ ପ୍ରାସାଦ ନିର୍ମାଣ ହେଲେ ପୁଣି ସେହିଭଳି ଏକ ଜଙ୍ଗଲାଞ୍ଚଳ ସୃଷ୍ଟି ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ସରକାର ଏହାର ପୁନର୍ବିଚାର କରନ୍ତୁ।
ଆଗରୁ ବି ଜୟଦେବ ବାଟିକାରେ ହୋଇଥିଲା ହସ୍ତକଳା ସଂଗ୍ରହାଳୟ ପରିକଳ୍ପନା
ପୂର୍ବରୁ ଜୟଦେବ ବାଟିକାର ୧୭ ଏକର ଜଙ୍ଗଲମୟ ଜମିକୁ ହସ୍ତକଳା ସଂଗ୍ରହାଳୟ ନିମନ୍ତେ ବ୍ୟବହାର କରିବାକୁ ସରକାର ଅଣ୍ଟା ଭିଡ଼ିଥିଲେ। ମାତ୍ର ପରିବେଶବିତ୍ଙ୍କ ବିରୋଧ ଓ ଜନସ୍ବାର୍ଥ ମାମଲା ରୁଜୁ ହେବା ପରେ ସରକାର ଏହି ନିଷ୍ପତ୍ତିରୁ ଓହରି ଗଙ୍ଗନଗରରେ ହସ୍ତକଳା ସଂଗ୍ରହାଳୟ ନିର୍ମାଣ କରିଥିଲେ। କେବଳ ସେତିକି ନୁହେଁ, କଳିଙ୍ଗ ଷ୍ଟୁଡିଓ ଭଳି ସବୁଜିମା ପରିବେଶରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସରକାରଙ୍କୁ ଚିଠି କରି ପ୍ରସ୍ତାବ ଦିଆଯାଇଥିଲା।