ଭୁବନେଶ୍ବର: ବୈକୁଣ୍ଠଧାମ ଆଶ୍ରମ ଉଚ୍ଛେଦ ହେବା ପରେ ମଠକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସରକାରୀ ଜମିରେ ଆସର ଜମାଇଥିବା ଏହି ମଠ ବିବାଦକୁ ଆସିବା ପରେ ଏହା ପଛର ସତ ଧରାପଡ଼ିଥିଲା। ସରକାରୀ ବିଭାଗ ନାଁରେ ହାଇକୋର୍ଟଙ୍କୁ ମିଛ କହିଥିବା ପ୍ରମାଣ ମିଳିବା ପରେ ଏହା ଉଚ୍ଛେଦ ହୋଇଥିଲା। ଏହା ପରେ ମଠମାନଙ୍କର ଖୋଳତାଡ଼ ଆରମ୍ଭ ହୋଇଥିଲା। ଜଣାପଡ଼ିଥିଲା କି ବୈକୁଣ୍ଠଧାମ କେବଳ ଭାତ ହାଣ୍ଡିରୁ ଗୋଟିଏ। ଏଭଳି ୧୭ ମଠ ୩୧ ଏକର ସରକାରୀ ଜମି ମାଡ଼ି ବସିଛନ୍ତି। କେବଳ ମାଡ଼ି ବସି ନାହାନ୍ତି ବରଂ ବିବାହ, ବ୍ରତ, ଜନ୍ମଦିନ ପାଳନ ପାଇଁ ଏହି ସରକାରୀ ଜମିକୁ ଭଡ଼ାରେ ଲଗାଇ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି। କେତେକ ମଠରେ ମଉଜ ମଜଲିସ୍‌ ଚାଲିଛି। କୋଠାଘର ତିଆରି ହୋଇ ଭଡ଼ାରେ ଲାଗିଛି। ଭକ୍ତଙ୍କ ନାମରେ ଲୋକ ଭଡ଼ାରେ ରହୁଛନ୍ତି। ପ୍ରତିଟି ଘଟଣାକୁ ତର୍ଜମା କରାଗଲେ ଏଥିରେ ମଠର କୌଣସି ତ୍ରୁଟି ଥିବା ଦେଖାଯାଉ ନାହିଁ। ବରଂ ସରକାରୀ ବିଭାଗ ଏହାକୁ ଉଚ୍ଛେଦ କରିବାକୁ ମନ ବଳାଉନାହିଁ। ମୋଟା ଅଙ୍କର ହାତଗୁଞ୍ଜା ନେଇ କିଛି ତଳିଆ ଗାଦିମଡ଼ା କର୍ମଚାରୀ କୋର୍ଟ ଆଦେଶ ଚାପି ଦେଇଛନ୍ତି। ଫଳରେ ଅଧିକାରୀଙ୍କ ସହ ସରକାର ବଦଳିଗଲେ ବି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ। 

Advertisment

୮ଟିର ଉଚ୍ଛେଦ ଆଦେଶ ହୋଇଛି
ଏକାଧିକ ମାମଲା ଲଢ଼ୁନି ‘ଜିଏ’

ତପୋବନ ଅଞ୍ଚଳରେ ସରକାରୀ ଜମିରେ ରହିଛି ସନ୍ଥ ଆଶାରାମଜୀ ଆଶ୍ରମ। ୨୦୧୧ ମସିହାରେ ଏହାକୁ ଉଚ୍ଛେଦ ପାଇଁ ନୋଟିସ୍‌ ଦିଆଯିବା ପରେ ଆଶ୍ରମ ସୁରକ୍ଷା ଲୋଡ଼ି କୋର୍ଟ ଯାଇଥିଲା। ୨୦୧୨ ମସିହା ନଭେମ୍ବର ୨୦ ତାରିଖରେ କୋର୍ଟ ଆଶ୍ରମକୁ ସୁରକ୍ଷା ଯୋଗାଇଥିଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଆଦେଶ ହୋଇଥିଲା। ଏଭଳି ଆଦେଶ ଆସିବା ପରେ ସାଧାରଣ ପ୍ରଶାସନ ବିଭାଗ ନିରବ ହୋଇଯାଇଥିଲା। ୭ ବର୍ଷ ଯାଏଁ ୧୧ଥର ଶୁଣାଣି ହୋଇଥିଲେ ମଧ୍ୟ ଜିଏ ବିଭାଗ ସୁରକ୍ଷା ହଟାଇବାକୁ କୌଣସି ଉଦ୍ୟମ କଲାନାହିଁ। ୨୦୧୯ ଏପ୍ରିଲ୍‌ ୪ ତାରିଖରେ ହାଇକୋର୍ଟ ୨୦୧୨ ମସିହାରେ ମିଳିଥିବା ସୁରକ୍ଷା ହଟାଇବା ସହ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସେବେଠାରୁ ବା ୬ ବର୍ଷ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଆଦେଶକୁ ଜିଏ ବିଭାଗ ଚାପି ଦେଇଛି। 

ଏହି ଅଞ୍ଚଳରେ ସରକାରୀ ଜମିରେ ବାବାଜୀ ଚିତ୍ତବିନୋଦ ଦାସ ମଠ ରହିଛି। ୨୦୧୩ ମସିହାରେ ଏହାକୁ ଉଚ୍ଛେଦ ପାଇଁ ନୋଟିସ ହେବା ପରେ ମାମଲା ହାଇକୋର୍ଟ ଯାଇଥିଲା। ମଠ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଦେଶ ଦେବାପାଇଁ ହୋଇଥିବା ପ୍ରାର୍ଥନା କୋର୍ଟ ଶୁଣିବା ସହ ସୁରକ୍ଷା ଯୋଗାଇ ଦେଇଥିଲେ। ୨୦୧୮ ପର୍ଯ୍ୟନ୍ତ ଏହି ମାମଲାରେ ୨୯ଟି ଶୁଣାଣି ହୋଇଥିଲା। ୨୦୧୮ ମସିହା ନଭେମ୍ବର ୨୬ ତାରିଖରେ ହୋଇଥିବା ଶୁଣାଣିରେ କୋର୍ଟ ଆଦେଶ ଦେଇଥିଲେ କି ୨ ସପ୍ତାହ ମଧ୍ୟରେ ଆବେଦନକାରୀ ମଠ ଖାଲି କରି‌ବେ। ଏବଂ ୧୦ ଦିନ ମଧ୍ୟରେ ଆବେଦନକାରୀ ଲିଜ୍‌ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବେ। ମଠ ସମ୍ପୃକ୍ତ ଜମିର ଲିଜ୍‌ ପାଇଁ ଜିଏ ବିଭାଗକୁ ଆବେଦନ କରିଥିଲା। ୨ ସପ୍ତାହ ମଧ୍ୟରେ ମଠ ଖାଲି କରି‌ବା ଆଦେଶ ଥିବାରୁ ମଠ ପୁଣି ଥରେ କୋର୍ଟ ଯାଇଥିଲା। ୨୦୧୯ ଏପ୍ରିଲ୍‌ ୧୬ ତାରିଖରେ କୋର୍ଟ ଉଭୟପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଆଦେଶ ଦେଇଥିଲେ। ଜିଏ ବିଭାଗ ନା ଜମି ଦେଲା ନା କୋର୍ଟରୁ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚାହିଲା! ୬ ବର୍ଷ ପୂରିଗଲା, ଏହି ମାମଲାରେ ଆଉ ଶୁଣାଣି ହେଉନି। ମଠ ସରକାରୀ ସମ୍ପତ୍ତି ଉପଭୋଗ କରୁଥିବା ବେଳେ ଜିଏ ବିଭାଗ ମଧ୍ୟ ଏ ଦିଗରେ କୌଣସି ଉଦ୍ୟମ କରୁନାହିଁ। ସେହିଭଳି ପତିତପାବନ କଳ୍‌କୀ ରାମ୍‌ ସେବାଶ୍ରମ ଉଚ୍ଛେଦ ପାଇଁ ନୋଟିସ୍‌ ହେବା ପରେ କର୍ତ୍ତୃପକ୍ଷ ସିଭିଲ୍‌ ଜଜ୍‌ (ସିନିୟର ଡିଭିଜନ୍‌)ଖୋର୍ଦ୍ଧା, ଭୁବନେଶ୍ବର କୋର୍ଟ ଯାଇଥିଲେ। ୨୦୧୨ ମସିହାରେ ଆବେଦନ ହେବା ପରେ ଶୁଣାଣି ଚାଲିଥିଲା। ଏଥିରେ ଜିଏ ବିଭାଗ ପକ୍ଷ ହୋଇଥିଲା। କୌଣସି ଅନ୍ତରୀଣ ଆଦେଶ ହୋଇନଥିଲେ ମଧ୍ୟ ଜିଏ ବିଭାଗ କୌଣସି ପଦକ୍ଷେପ ନେଉନାହିଁ। ୧୩ ବର୍ଷ ହେଲା ମାମଲା ଗଡ଼ୁଛି। ଏସବୁ ସହ ଅନ୍ୟ ସମସ୍ତ ମଠର ଏଭଳି ସ୍ଥିତି। ପ୍ରତ୍ୟେକ କ୍ଷେତ୍ରରେ ଆଶ୍ରମ ବା ମଠ କର୍ତ୍ତୃପକ୍ଷଙ୍କର କୌଣସି ତ୍ରୁଟି ନାହିଁ। ବରଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଜିଏ ବିଭାଗ ଆଗକୁ ବଢ଼ିନାହିଁ। ୮ଟିରେ ଉଚ୍ଛେଦ ଆଦେଶ ହୋଇଛି। ବାକିଗୁଡ଼ିକରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉ ନାହିଁ।