ଭୁବନେଶ୍ବର: ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଥିବା ବିଏମ୍‌ସି ଗାଡ଼ି ଆଜି ଦୁର୍ଘଟଣାର ଶିକାର ହୋଇଛି। ଆଜି ସକାଳେ ଆବର୍ଜନା ସଂଗ୍ରହ କରିବାକୁ ଯାଉଥିବା ବେଳେ ବଡ଼ଗଡ଼ କେନାଲ ରୋଡ୍‌ ସନ୍ତୋଷୀ ବିହାର ଛକରେ ଭାରସାମ୍ୟ ହରାଇ ଦୟାୱେଷ୍ଟ କେନାଲ୍‌ ଭିତରକୁ ପଶି ଯାଇଥିଲା। ଗାଡ଼ିରେ ଥିବା ସ୍ବଚ୍ଛସାଥୀ ଡେଇଁ ପଡ଼ି ଜୀବନ ବଞ୍ଚାଇଥିବା ବେଳେ ପଙ୍କ ଭିତରୁ ଚାଳକଙ୍କୁ ଉଦ୍ଧାର କରାଯାଇଛି। ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଯାଉଥିବାରୁ ଏହି ଅଘଟଣ ଘଟିଛି। ପ୍ରାୟ ତିନିଘଣ୍ଟା ପରେ କ୍ରେନ୍‌ ଜରିଆରେ ଗାଡ଼ିକୁ ପାଣିରୁ ଉଠାଯାଇଛି। ବ୍ରେକ୍‌ ଫେଲ୍‌ ହେବାରୁ ଗାଡ଼ି ନିୟନ୍ତ୍ରଣରେ ରହିନଥିବା ଚାଳକ କହୁଥିବା ବେଳେ ଗାଡ଼ି ସମ୍ପୂର୍ଣ୍ଣ ଠିକ୍‌ ଥିବା ବିଏମ୍‌ସି କହିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି। ଉଭୟଙ୍କ ମଧ୍ୟରୁ କେହି ଗୁରୁତର ଆହତ ହୋଇନାହାନ୍ତି। ଗାଡ଼ି ଦୁର୍ଘଟଣାର ଶିକାର ହେବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଆବର୍ଜନା ସଂଗ୍ରହ ପ୍ରଭାବିତ ହୋଇଛି।

Advertisment

ବିପଦ ଆଣିଲା ଦ୍ରୁତଗତି
ପଙ୍କ ଭିତରୁ ଚାଳକ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ସ୍ବଚ୍ଛ ସାଥୀ
କାର୍ଯ୍ୟାନୁଷ୍ଠାନ ଶୂନ

ବେପରୁଆ ଗାଡ଼ି ଚାଳନା ଯୋଗୁ ବିଏମ୍‌ସିର ଆବର୍ଜନା ସଂଗ୍ରହ ପ୍ରଭାବିତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଚାଳକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତାଙ୍କୁ ନିଯୁକ୍ତି ଦେଇଥିବା ତଥା ଆବର୍ଜନା ସଂଗ୍ରହ ପାଇଁ ବିଏମ୍‌ସିଠାରୁ ସ୍ବୀକୃତିପ୍ରାପ୍ତ ହୋଇଥିବା ଏନ୍‌ଜିଓ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ସକାଳ ସାଢ଼େ ୮ଟା ବେଳେ ଏହି ଅଘଟଣ ଘଟିଛି। ଗାଡ଼ିଟି ବଡ଼ଗଡ଼ ପଟୁ ଆସୁଥିଲା। ସନ୍ତୋଷୀ ବିହାର ଛକରେ ଡାହାଣ ପଟକୁ ଗାଡ଼ି ବୁଲାଉଥିବା ବେଳେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା। ସମ୍ପୃକ୍ତ ସ୍ବଚ୍ଛସାଥୀ ଓ ସ୍ଥାନୀୟ ଲୋକେ ମିଶି ଚାଳକଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ଖବର ପାଇ ବିଏମସି ଦକ୍ଷିଣ ପୂର୍ବ ଜୋନର ଜୁନିଅର ସାନିଟାରି ଏକ୍ସପର୍ଟ, ସାନିଟାରି ଇନ୍ସପେକ୍ଟର ଓ ସ୍ବଚ୍ଛ ସାଥୀଙ୍କୁ ନେଇ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଗାଡ଼ି ଯାଞ୍ଚ କରିବା ପରେ ଗାଡ଼ି ଖରାପ ନଥିବା ଜାଣିବାକୁ ପାଇଥିଲେ। ଚାଳକଙ୍କ ଅସାବଧାନତା କାରଣରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜେଡ୍‌ଡିସି ପ୍ରିୟବ୍ରତ ପାଢ଼ୀ କହିଥିଲେ। ଏହି ଗାଡ଼ି ପରିଚାଳନା ଦାୟିତ୍ବ ନେଇଥିବା ଜୀବନ ବିକାଶ ଏନ୍‌ଜିଓକୁ ଜବାବ ତଲବ କରାଯାଇଛି।