ନିଶା ପାଇଁ ଅଶାନ୍ତ ରାଜଧାନୀ: ଫେଲ୍ ମାରୁଛି ପୁଲିସ ଯୋଜନା

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ଭୁବନେଶ୍ବରରେ ବ୍ରାଉନ୍‌ସୁଗାର, କୋକେନ୍‌ ଓ ଚରସ୍ ଭଳି ନିଶା କାରବାର ବଢ଼ିବାରେ ଲାଗିଛି। ଫଳରେ ଚୋରି, ଛିନ୍‌ତାଇ ଓ ଲୁଟ୍‌ ଭଳି ମାଳମାଳ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। ଏବେ ନୂଆ ଓ ସଂଗିନ୍ ଅପରାଧ ଘଟିବା ଆରମ୍ଭ ହେଲାଣି। କଥା ମୁଣ୍ଡ ଗଡ଼ିବା ଯାଏ ଗଲାଣି। ତେଣୁ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ରାଜଧାନୀ ଆଗକୁ ଆହୁରି ଭୟଙ୍କର ଚିତ୍ର ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏଣେ ପୁଲିସ ରାଜଧାନୀକୁ ନିଶାମୁକ୍ତ ସହର କରିବାକୁ କରୁଥିବା ସବୁ ଉଦ୍ୟମ ତଥା ଯୋଜନା ଫେଲ୍‌ ମାରୁଛି। ପୁଲିସ ମିତ୍ର, ବସ୍ତିକୁ ଚାଲ ଭଳି ପୁଲିସ ଯୋଜନା ବି କିଛି କାମ କରୁନି ବୋଲି ଅଭିଯୋଗ ଉଠିଲାଣି।

ସୂଚନା ମୁତାବକ ଗତ ୨ବର୍ଷ ମଧ୍ୟରେ ରାଜ୍ୟରୁ ପ୍ରାୟ ୫୭କେଜି ବ୍ରାଉନ୍‌ସୁଗାର ଓ ୧୧୧ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ ହୋଇଛି। ଏହି ସମୟ ଭିତରେ କେବଳ ଭୁବନେଶ୍ବରରୁ ୧୫ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏହାଛଡ଼ା ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ବହୁ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଛି। ତେଣୁ ଏସ୍‌ଟିଏଫ୍‌ର ତଥ୍ୟରୁ ସ୍ପଷ୍ଟ ଯେ ରାଜଧାନୀରେ ବ୍ରାଉନ୍‌ସୁଗାର କାରବାର ବହୁ ମାତ୍ରାରେ ବଢ଼ିଛି। ବଡ଼ କଥା ହେଉଛି, ଏହି ନିଶା କାରବାରର ପେଣ୍ଠ ହେଉଛି ବସ୍ତି। ନିଶାମାଫିଆମାନେ ବସ୍ତିରେ ଡେରା ପକାଉଛନ୍ତି।

ଏବେ ବସ୍ତିରେ ମହିଳାମାନେ ଏହି ବେପାରର ମଙ୍ଗ ଧରିଥିବା ବିଭିନ୍ନ ସମୟରେ ହୋଇଥିବା ଚଢ଼ଉରୁ ଦେଖିବାକୁ ମିଳିଛି। ମାତ୍ର ପରିତାପର କଥା, କମିସନରେଟ୍‌ ପୁଲିସ ନିଶା ମାଫିଆଙ୍କୁ ସାବାଡ୍‌ କରିବାକୁ ପ୍ରସ୍ତୁତ କରୁଥିବା ଯୋଜନା କାମ କରୁନାହିଁ। ପୁଲିସ ମିତ୍ର ହେଉ କି ବସ୍ତିକୁ ଚାଲ ଅଭିଯାନ ହେଉ, ଏହି ନିଶା କାରବାର ରୋକିବା ସମ୍ଭବ ହେଉନାହିଁ। ଗତକାଲି ୟୁନିଟ୍‌-୮ ନାରାୟଣୀ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡର ଏହାର ନଗ୍ନ ନମୁନା। ନିଶା କାରବାର କରୁଥିବା ଜଣେ ଯୁବତୀଙ୍କଠାରୁ ବଟି ନେଉଥିବା କୁଖ୍ୟାତ ଅପରାଧୀ ଚନ୍ଦୁ ଶେଷରେ ଯୁବତୀଙ୍କ ହାତରେ ବଳିପଡ଼ିଯାଇଛି। ପୁରୁଷବନ୍ଧୁ କାହ୍ନା ସହ ମିଶି ରଞ୍ଜୁ ଫାଉଡ଼ା ଓ ରଡ୍‌ରେ ପିଟିପିଟି ଚନ୍ଦୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଚନ୍ଦୁ ହତ୍ୟା ପୂର୍ବରୁ ଏନେଇ ବହୁଥର ଗଣ୍ଡଗୋଳ ହୋଇଥିଲେ ବି ପୁଲିସ କାନରେ ଏହା ପଡ଼ିନଥିଲା କିଭଳି ବୋଲି ପ୍ରଶ୍ନ ଉଠିଛି। ଉକ୍ତ ବସ୍ତିର ପୁଲିସ ମିତ୍ର କ’ଣ କରୁଥିଲେ ବୋଲି କୁହାଯାଉଛି। ସେହିଭଳି କିଛିଦିନ ତଳେ ସାଲିଆସାହି ନୀଳଚକ୍ରନଗର ବସ୍ତିରେ ନିଶା କାରବାରକୁ ବିରୋଧ କରିବାକୁ ଯାଇ ନୀଳାଞ୍ଚଳ ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିପକାଇଥିଲେ। ତେବେ ସୌଭାଗ୍ୟକୁ ନୀଳାଞ୍ଚଳ ବଞ୍ଚି ଯାଇଥିଲେ।

ରାଜଧାନୀରେ ନିଶା କାରବାରର ପେଣ୍ଠସ୍ଥଳୀ

ଏକଦା ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ଥିଲା ବ୍ରାଉନ୍‌ସୁଗାର କାରବାରର ପେଣ୍ଠ। କିନ୍ତୁ ଏବେ ଏହି କାରବାର ପୂରା ରାଜଧାନୀକୁ ବ୍ୟାପି ଯାଇଛି। ଗତ କିଛି ବର୍ଷ ଭିତରେ ଏହି କାରବାରର କାୟା ରାଜଧାନୀର ସୀମା ସରହଦ ଡେଇଁ ଉପକଣ୍ଠ ଗାଁଗହଳିକୁ ମାଡ଼ି ଯାଇଛି। ଏବେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ, ବରମୁଣ୍ଡା ଗାଁ, ଟେଲ୍‌କୋ ଛକ, ସାଲିଆସାହି, ନାରାୟଣୀ ବସ୍ତି, ରୁଚିକା ମାର୍କେଟ୍, ମୁଣ୍ଡା ବସ୍ତି, ଫାଳିକିଆ ବସ୍ତି, ଫାୟାରଷ୍ଟେସନ୍ ବସ୍ତି, ପଣ୍ଡାକୁଦିଆ, ତାରିଣୀ ବସ୍ତି, ନୀଳଚକ୍ରନଗର, ଗୋଦାମ ସାହି, ସୁଗାର୍ କଲୋନି, ଲେପ୍ରୋସି କଲୋନି, ୟୁନିଟ୍-୬ ପିଚୁକୁଳି ବସ୍ତି, ନୀଳପାଣିଟାଙ୍କି ବସ୍ତି, ଭରତପୁର, କପିଳପ୍ରସାଦ ଉପରସାହି, ଚକେଇସିଆଣି, ସୁନ୍ଦରପଦା, କାକରୁଦ୍ରପୁର, କେଦାରପଲ୍ଲୀ, ଲିଙ୍ଗିପୁର, କାର୍ଗିଲ ବସ୍ତି, କଳ୍ପନାସ୍ଥିତ ପିଏଚ୍‌ଡି ବସ୍ତି, ଆଦିବାସୀ ଗାଁ, ଘାଟିକିଆ, ଡୁମୁଡୁମା ରଘୁନାଥନଗର ଓ ଖଣ୍ଡଗିରି ବରବାରି ବସ୍ତି ଭଳି ବହୁ ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ହେଉଛି।

ସମ୍ବନ୍ଧିତ ଖବର