ସ୍ବପ୍ନ, ସଂକଳ୍ପର ଉତ୍ସବ: ଉତ୍ସାହିତ ଜନତା, ଚାରିଆଡ଼େ ଜାମ୍‌

ଆଜି ଜନତା ମଇଦାନରେ ପ୍ରଧାନମନ୍ତ୍ରୀ, ସୌରାଷ୍ଟ୍ରମନ୍ତ୍ରୀ, ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଶପଥଗ୍ରହଣ ଉତ୍ସବରେ ଯେଉଁ ଭବ୍ୟଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅନେକ ଦିନଯାଏ ରାଜଧାନୀ ସମେତ ରାଜ୍ୟବାସୀଙ୍କର ମନେ ରହିବ। ସେ ମୁଖ୍ୟ ସମାରୋହ ଆଢୁଆଳରେ ଘଟିଥିବା କିଛି ଖଟା-ମିଠା ଘଟଣାକୁ ନେଇ ଏହି ସ୍ବତନ୍ତ୍ର ପୃଷ୍ଠା

ବନ୍ଦେ ଉତ୍କଳ ଜନନୀ…
ଶପଥ ଗ୍ରହଣ ଉତ୍ସବ ପ୍ରାରମ୍ଭରେ ବାଦ୍ୟଯନ୍ତ୍ର ଧୂନରେ ଜାତୀୟ ସଙ୍ଗୀତ ପରିବେଷିତ ହୋଇଥିଲା। ମଞ୍ଚ ଉପରେ ଓ ତଳେ ଉପସ୍ଥିତ ସମସ୍ତ ଜନତା ଛିଡ଼ା ହୋଇ ଜାତୀୟ ସଙ୍ଗୀତକୁ ସମ୍ମାନ ଦେଇଥିଲେ। ଏହା ଶେଷହେବା କ୍ଷଣି ବାଦ୍ୟ ଧୂନ୍‌ରେ ଓଡ଼ିଶାର ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷିତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସିପଡ଼ିଥିଲେ। ଏହା ଦେଖିବା କ୍ଷଣି ଗୃହମନ୍ତ୍ରୀ ଅମିତ୍‌ ସାହା ତାଙ୍କ ନିକଟକୁ ଆସି ଓଡ଼ିଶାର ସଙ୍ଗୀତ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ସମସ୍ତେ ମିଳିତ ଭାବେ ରାଜ୍ୟ ସଙ୍ଗୀତକୁ ସମ୍ମାନ ଜଣାଇ ଛିଡ଼ା ହୋଇଥିଲେ। ସେହିପରି ଉତ୍ସବ ଆରମ୍ଭ ପୂର୍ବରୁ ମୁଖ୍ୟ ମଞ୍ଚରେ ଓଡ଼ିଶାର ପାରମ୍ପରିକ ନୃତ୍ୟ ପରିବେଷିତ ହୋଇଥିଲା।

ବସ୍ତିବାସିନ୍ଦାଙ୍କ ଦୁଃଖ ଶୁଣିଲେ
ଭୁବନେଶ୍ବର: ମୈତ୍ରୀବିହାରରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ନିକଟରେ ଥିବା ବସ୍ତିକୁ ଯାଇଥିଲେ। ଟିଣଛାତ ଘରେ ରହୁଥିବା ସୀତା ହେମ୍ରମ୍‌ଙ୍କ ଘରେ ପହଞ୍ଚି ତାଙ୍କ ସୁଖଦୁଃଖ ବୁଝିଥିଲେ। ସୀତା କହିଥିଲେ, ‘‘ନୂଆ ମୁଖ୍ୟମନ୍ତ୍ରୀ ଆମ ଘରକୁ ଆସୁଥିବା ଜାଣିପାରି ନ ଥିଲୁ। ହଠାତ୍‌ ଆସିବା ଆମେ ବୁଝିପାରିଲୁ ନାହିଁ। ତାଙ୍କୁ ବସାଇଲୁ। ପାଣି ପିଇବାକୁ ଦେଲୁ। ବସ୍ତିର ସମସ୍ୟା ସମ୍ପର୍କରେ ଅବଗତ କରାଇଛୁ। ଆଶା ରଖିଛୁ, ସେ ଆମ ସମସ୍ୟାଗୁଡ଼ିକର ସମାଧାନ କରିବେ।’’
ଅନ୍ୟପକ୍ଷରେ ସୀତା ଓ ସେଠାକାର ବସ୍ତିବାସିନ୍ଦାଙ୍କ ସମସ୍ୟା ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ବସ୍ତିରେ ଜମି, ପାନୀୟ ଜଳ ଓ ଡ୍ରେନ୍‌ ସମସ୍ୟା ବିଷୟରେ ଶୁଣିଛି। ସେମାନେ ଆଦିବାସୀ ହେଉଥିବାରୁ ସାନ୍ତାଳି ଓ ଆଲଚିକ୍‌ ଭାଷାରେ ଗୁହାରି କରିଥିଲେ। ସାନ୍ତାଳି ପରିବାରରୁ ଆସିଥିବାରୁ ମୁଁ ମଧ୍ୟ ତାଙ୍କୁ ସାନ୍ତାଳି ଭାଷାରେ ଉତ୍ତର ରଖିଛି। ସେମାନଙ୍କ କଷ୍ଟ କିଭଳି ଦୂର ହେବ ସେନେଇ ଆଲୋଚନା କରିଛି। ରାଜ୍ୟ ସରକାର ଏହାକୁ ଗଭୀର ଭାବେ ନେବେ। ଜନଜାତିଙ୍କ ସାମଗ୍ରିକ ବିକାଶକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସେମାନଙ୍କୁ ବିଶ୍ବାସ ନେଇ ବିକାଶ କରିବାକୁ ହେବ। ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ହୋଇଥିବାରୁ ଲୋକଙ୍କ ବିକାଶ କାମକୁ ତ୍ବରାନ୍ବିତ କରିବୁ।
ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସମୟରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଲ୍ୟାର୍ପଣ କରିବା ପରେ ସେଠାରେ ଉପସ୍ଥିତ ଆଦିବାସୀ ମହିଳାମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେମାନଙ୍କ ପରମ୍ପରା ଅନୁଯାୟୀ ସ୍ବାଗତ କରିଥିଲେ। ଏକ ଥାଳିରେ ତାଙ୍କ ପାଦ ଥୋଇବା ପରେ ମହିଳା ଜଣକ ପାଣିରେ ପାଦ ଧୋଇ ଦେଇଥିଲେ। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ସାଙ୍ଗରେ ଥିବା ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମାନ ଢଙ୍ଗରେ ସ୍ବାଗତ କରିବା ସହ ପ‌ାଦ ଧୋଇଥିଲେ।

ଉପହାର ଆଣିଥିଲେ, ନିରାଶ ହେଲେ
ରାଜ୍ୟର କୋଣ ଅନୁକୋଣରୁ ଉତ୍ସବ ସ୍ଥଳକୁ ଆସିଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଭିନ୍ନ ଉପହାର ଆଣି ଆସିଥିଲେ। କାହା ହାତରେ ମହାପ୍ରଭୂଙ୍କ ଫଟୋ ଚିତ୍ର ଥିଲା ତ ଆଉ କାହା ହାତରେ ମା’ ତାରିଣୀଙ୍କ ଫଟୋ। ପୁରୀରୁ ଆସିଥିବା ସେବାୟତମାନେ ତୁଳସୀ ମାଳ ଧରି ଉତ୍ସବ ସ୍ଥଳରେ ପହଞ୍ଚିଥିଲେ। କେହି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ଆଙ୍କନ କରି ଆଣିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ପ୍ରାୟ ୫୦ ହଜାର ଲୋକଙ୍କ ଉପସ୍ଥିତିରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରୁଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ସୀମା ରହି ନ ଥିଲା। ମାତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ବହୁ ଲୋକ ନିରାଶ ହୋଇ ଫେରିଥିଲେ।

ଆକର୍ଷଣରେ ମୋଦୀ, ଯୋଗୀ, ହିମନ୍ତ


ଦେଶର ଅନେକ ନେତା ସାମିଲ ହୋଇଥିଲେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୋଦି, ଯୋଗୀ ଓ ହିମନ୍ତ। ବିମାନବନ୍ଦରଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଟିକିଏ ଝଲକ ପାଇବାକୁ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ। ପୁଲିସର ଟ୍ରାଫିକ୍‌ କଟକଣା ଲାଗିଥିଲେ ମଧ୍ୟ ଲୋକେ ଗଳିକନ୍ଦିରେ ଛିଡ଼ା ହୋଇ ସେମାନଙ୍କୁ ଗାଡ଼ି ଭିତରୁ ଦେଖିଥିଲେ। ଯୋଗୀଙ୍କ ଗାଡ଼ି ଅତିକ୍ରମ କରିବା କ୍ଷଣି ଜୟ ଶ୍ରୀ ରାମ ଧ୍ବନୀରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବଶର୍ମା ଏଥର ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ କରିଥିଲେ। ଏକାଧିକ ନିର୍ବାଚନୀ ସଭାରେ ବିଚକ୍ଷଣ ଭାଷଣ ପ୍ରଦାନ କରି ଓଡ଼ିଶା ଲୋକଙ୍କ ନିକଟତର ହୋଇପାରିଛନ୍ତି। ଏହି ତିନି ନେତା ମଞ୍ଚରେ ପହଞ୍ଚିବା କ୍ଷଣି ତଳେ ଉପସ୍ଥିତ ଲୋକେ ‘ଜୟ ଶ୍ରୀରାମ’, ‘ଜୟ ଜଗନ୍ନାଥ’ କହି ସ୍ବାଗତ କରିଥିଲେ।

ଚନ୍ଦ୍ରଶେଖରପୁର: ଶପଥ ଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନକୁ ଏକ ପ୍ରକାର ସିଲ୍‌ କରାଯାଇଥିଲା। କୌଣସି ପ୍ରକାର ଯାନବାହାନକୁ ସଭାସ୍ଥଳୀ ଦିଗକୁ ଛାଡ଼ି ଦିଆଯାଉ ନଥିଲା। କେବଳ ପାସ୍ ଥିବା ଗାଡ଼ି ଓ ଲୋକମାନଙ୍କୁ ପୁଲିସ ଛାଡ଼ୁଥିଲା। ସୁରକ୍ଷା ଦୃଷ୍ଟିରୁ ଚାରିଦିଗରୁ ଜନତା ମୈଦାନକୁ ଯୋଡୁଥିବା ସମସ୍ତ ରାସ୍ତା ସିଲ୍‌ ହୋଇଥିଲା। ‌ନାଲ୍‌କୋ ଦିଗରୁ ଯାଉଥିବା ଗାଡ଼ିଗୁଡ଼ିକୁ ମୈଦାନ ନିକଟରେ ଲୋକଙ୍କୁ ଛାଡ଼ି ସିଧା ୨୦୦ ଫୁଟିଆ ରାସ୍ତାରେ ପାର୍କିଂ ପାଇଁ ପଠାଇ ଦିଆଯାଉଥିଲା। ସେହିଭଳି ସୈନିକ ସ୍କୁଲ ଦିଗରୁ ଆସୁଥିବା ଗାଡ଼ିକୁ ଆପୋଲୋ ହସ୍ପିଟାଲ ଛକରେ ବ୍ଲକ୍‌ କରାଯାଇ ପାର୍କିଂ ପାଇଁ ସୈନିକ ସ୍କୁଲ ପଡ଼ିଆ କ୍ୟାମ୍ପସକୁ ପଠାଯାଉଥିଲା। ୨୦୦ ଫୁଟିଆ ରାସ୍ତା ଦିଗରୁ ଆସୁଥିବା ଗାଡ଼ିକୁ ମଧ୍ୟ ବ୍ଲକ୍ କରାଯାଇ ସାଲିଆସାହି ନୂଆରାସ୍ତା ଦେଇ ନୂଆପଲ୍ଲୀ ଦିଗକୁ ପଠାଯାଉଥିଲା। ହଜାର ହଜାର ସଂଖ୍ୟାରେ ଲୋକ ଆସୁଥିବାରୁ ଅନେକ ଗାଡ଼ିକୁ ଡ଼ମଣା ଛକରୁ ମଞ୍ଚେଶ୍ବର ଦିଗକୁ ଡ଼ାଇଭର୍ଟ କରାଯାଇ ଟ୍ରାଫିକ୍ ନିୟନ୍ତ୍ରଣ ହୋଇଥିଲା। ସମାନ ରୂପରେ ଅନେକ ଗାଡ଼ିକୁ ଶୈଳଶ୍ରୀବିହାର, ନୀଳାଦ୍ରିବିହାର ଓ ‌ଓମ୍‌ଫେଡ୍‌ ଛକ ଦେଇ ଡ଼ାଇଭର୍ଟ କରାଯାଇଥିଲା।

ଏପରି କରିବା ପରେ ମଧ୍ୟ ଟ୍ରାଫିକ୍ ସମସ୍ୟା ‌ଦୂର ହୋଇ ନଥିଲା। ନନ୍ଦନକାନନ-ଜୟଦେବବିହାର ରାସ୍ତାରେ ଟ୍ରାଫିକ୍ ଜାମ୍‌ ହେବାରୁ ଶତାଧିକ ଗାଡ଼ି ଜୟଦେବ ବିହାର, ଡମଣା, ପଟିଆ ଓ କିଟ୍‌ ଛକରେ ବହୁ ସମୟ ଧରି ରାସ୍ତାରେ ସ୍ଥିର ହୋଇ ଛିଡ଼ା ହୋଇଥିଲା। ଅନେକ ସ୍ଥାନରେ ସୃଷ୍ଟି ହୋଇଥିବା ଜାମ୍‌ କାରଣରୁ ଏକାଧିକ ଆମ୍ବୁଲାନ୍ସ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଆଚାର୍ଯ୍ୟବିହାର ଓଭରବ୍ରଜ୍‌, ଜୟଦେବବିହାର ଓଭରବ୍ରିଜ୍‌, ଏଜି ସ୍କୋୟାର, ନୂଆପଲ୍ଲୀ ଭଳି ଏକାଧିକ ସ୍ଥାନରେ ଆମ୍ବୁଲାନ୍ସ ବହୁ ସମୟଧରି ଅଟକି ରହିଥିଲା। ବହୁ କସରତ ପରେ ପୁଲିସ ଆମ୍ବୁଲାନ୍ସ ପାଇଁ ବାଟ କାଢ଼ିଥିଲା। କାର୍ଯ୍ୟକ୍ରମ ଆରମ୍ଭ ବେଳେ, ଅର୍ଥାତ୍‌ ‌ରାଜଭବନରୁ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମୈଦାନ ଅଭି‌ମୁଖେ ଯିବା ବେଳେ ସମସ୍ତ ଆଉଟ୍‌ ପୋଷ୍ଟକୁ ସମ୍ପର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ତେଣୁ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଅଧଘଣ୍ଟା ପାଇଁ ଭୀଷଣ ଟ୍ରାଫିକ୍ ଜାମ୍‌ ସୃଷ୍ଟି ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରାୟ ରାତି ୮ଟା ପର୍ଯ୍ୟନ୍ତ ସଭାସ୍ଥଳୀର ଆଖପାଖ ଅଞ୍ଚଳରେ ଆଉଥରେ ଟ୍ରାଫିକ୍ ଜାମ୍‌ ଦେଖିବାକୁ ମିଳିଥିଲା। ଉତ୍ସବ ପାଇଁ ଗ୍ରାମଞ୍ଚଳରୁ କର୍ମୀ, ନେତାଙ୍କୁ ନେଇ ଆସିଥିବା ଶହ ଶହ ବସ୍‌, ବୋଲେରୋ, କାର୍‌ ଚାରିଆଡ଼େ ଛାଇଯାଇଥିଲା। ଗାଡ଼ିଗୁଡ଼ିକ ପାର୍କିଂ ପାଇଁ ସହରର ବିଭିନ୍ନ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଗୋଟିଏ ସମୟରେ ଶହ ଶହ କାର୍‌ ଆସିବାରୁ ଜନତା ମଇଦାନର ୨ ନମ୍ବର ଓ ୩ ନମ୍ବର ଗେଟ୍‌ ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା। ଲୋକେ ଫୁଟପାଥ୍‌ରେ ଗାଡ଼ି ପାର୍କିଂ କରି ଉତ୍ସବରେ ସାମିଲ ହେବାକୁ ଚାଲି ଯାଇଥିଲେ।

ବଦଳିଲା ନବୀନଙ୍କ ପ୍ରୋଫାଇଲ୍‌
ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍। ସୋସିଆଲ ମିଡିଆ ‘ଏକ୍ସ’ ଓ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ୍‌ ବଦଳାଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରୋଫାଇଲରେ ରହିଥିଲା। ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ଅପ୍‌ଡେଟ୍‌ ହୋଇଛି।
ବିଭାଗୀୟ ୱେବସାଇଟ୍‌ ପରିବର୍ତ୍ତନ
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୱେବସାଇଟ୍‌ରେ ଏବେ ନୂଆରୂପ ନେଇଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପରେ ୱେବସାଇଟ୍‌ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଥାନିତ କରାଯାଇଛି। କେତେକ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ମଧ୍ୟ ସ୍ଥାନିତ କରିଛନ୍ତି। ମନ୍ତ୍ରୀମାନେ ଶପଥ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗ ବଣ୍ଟନ ହୋଇ ନ ଥିବାରୁ କାହାରି ଫଟୋକୁ ଦିଆଯାଇ ନାହିଁ।

ସୁରକ୍ଷା ବାରିକେଡ୍‌ ଡେଇଁଗଲେ
ଶପଥ ଗ୍ରହଣ ଉତ୍ସବ ଶେଷ ହେବା କ୍ଷଣି ଜନତା ମଇଦାନର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିଲା। ଯିଏ ଯୁଆଡ଼େ ପରିଲେ ଧାଇଁଥିଲେ। ସୁରକ୍ଷା ବାରିକେଡ୍‌କୁ କେହି ବି ଖା‌ତିର କରି ନ ଥିଲେ। ଏମିତିକି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଇଦାନ ବାହାରକୁ ଆସିବା ସମୟରେ ହଟହଟା ହେବାକୁ ପଡ଼ିଥିଲା। ସାଧାରଣ ଲୋକଙ୍କ ଉତ୍ସାହ ଏମିତି ଥିଲା ‌‌ଯେ ସେମାନେ ସୁରକ୍ଷା ଗାଡ଼ି ଆଡ଼କୁ ଧାଇଁ ଆସିଥିଲେ।‌ ଯେଉଁଥିପାଇଁ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ ନିକଟରେ ଗାଡ଼ିଗୁଡ଼ିକ ଫଶି ରହିଥିଲା। କେହି କାହାରିକୁ ଅତିକ୍ରମ କରି ଯାଇପାରି ନ ଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ନାକେଦମ ହେବାକୁ ପଡ଼ିଥିଲା। ଲୋକଙ୍କୁ ଅଟକାଇବାକୁ ଯାଇ ପୁଲିସ ଜୋର ଜବରଦସ୍ତ ଫାଟକ ବନ୍ଦ କରିଦେବାରୁ ଦୁଇ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି।

ବିମାନବନ୍ଦରରେ ଓହ୍ଲାଇଲା ୧୬ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବିମାନକୁ ମିଶାଇ ଆଜି ଗୋଟିଏ ଦିନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ୧୬ଟି ସ୍ବତନ୍ତ୍ର ବିମାନ ଅବତରଣ କରିଛି। ଏକ ନମ୍ବର ଟର୍ମିନାଲରେ ମୁଖ୍ୟମନ୍ତ୍ରୀମାନେ ଅବତରଣ କରିବା ପରେ ସେମାନଙ୍କୁ ସୁରକ୍ଷାରେ ନିଆଯାଇଥିଲା। ଯେଉଁ ବାଟ ଦେଇ ସେମାନେ ବାହାରୁଥିଲେ ତାହାକୁ ନୋ ମେନ୍‌ ଲ୍ୟାଣ୍ଡ ଭାବେ ଘୋଷଣା କରାଯାଇଥିଲା। ଦ୍ବିତୀୟ ଟର୍ମିନାଲରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଥିଲା। ସେଠାରେ ୫ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଥିଲେ। ବିମାନବନ୍ଦରର ୮ଟି ବେ’କୁ ଭିଆଇପିଙ୍କ ବିମାନ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିମାନ ପାଇଁ ୩ଟି ବେ’ ରହିଥିଲା। ପକ୍ଷୀଙ୍କଠାରୁ ବିମାନଗୁଡ଼ିକୁ ସୁରକ୍ଷା ଦେବାକୁ ଆଜି ୧୦ଟି ସ୍ବତନ୍ତ୍ର ଦଳକୁ ନିୟୋଜିତ କରାଯାଇଥିଲା। ଏଠାରେ ମୋଟ ୧୮ଟି ବେ’ ରହିଛି। ପ୍ରତିଦିନ ପ୍ରାୟ ୪୫ଟି ବିମାନ ଅବତରଣ କରିବା ସହ ଉଡାଣ କରୁଛି।

ସମ୍ବନ୍ଧିତ ଖବର