ଭୁବନେଶ୍ବର: ଆଜି ନୂଆପଲ୍ଲୀ ଥାନାରେ ଶିଶୁ ଅନୁକୂଳ ପ୍ରକୋଷ୍ଠ ଉଦ୍ଘାଟିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ ସିଂ ଅତିଥି ଭାବେ ଯୋଗଦେଇ ଏହି ପ୍ରକୋଷ୍ଠକୁ ଉଦ୍ଘାଟନ କରିଥିଲେ। ତଦନ୍ତ ବେଳେ ଜେରାର ସମ୍ମୁଖୀନ କିମ୍ବା ଅଭିଯୋଗ କରିବାକୁ ଅଭିଭାବକଙ୍କ ସହ ଆସୁଥିବା ଶିଶୁଙ୍କ ଉପରେ ଥାନାକୁ ନେଇ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ, ସେଇ ଉଦ୍ଦେଶ୍ୟରେ ଏହି ପ୍ରକୋଷ୍ଠ ଖୋଲା ଯାଇଛି। ପିତାମାତା କିମ୍ବା ଅଭିଭାବକ ଅଭିଯୋଗ ଦାଖଲ କିମ୍ବା ତଦନ୍ତର ସମ୍ମୁଖୀନ ବେଳେ ଶିଶୁମାନେ ଏହି ପ୍ରକୋଷ୍ଠରେ ସମୟ ଅତିବାହିତ କରିବେ।
ଏଥିପାଇଁ ଉକ୍ତ ପ୍ରକୋଷ୍ଠରେ ପିଲାଙ୍କ ପାଇଁ ବିଭିନ୍ନ ଖେଳ ସାମଗ୍ରୀ ଓ ପଢ଼ା ବହି ଉପଲବ୍ଧ କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ କ୍ୟାପିଟାଲ୍ ଓ ମହିଳା ଥାନାରେ ଏହି ପ୍ରକୋଷ୍ଠ ଥିବା ବେଳେ ଏହା ରାଜଧାନୀର ତୃତୀୟ ଥାନା। କାର୍ଯ୍ୟକ୍ରମରେ ଏସିପି ସଞ୍ଜୀବ ଶତପଥୀ, ଆଇଆଇସି ବିଶ୍ବରଂଜନ ସାହୁଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।