ବାଲିପାଟଣା: ସମ୍ପ୍ରତି ବନମାଳୀପୁର ଚୋରା ମଦ ବେପାରୀମାନଙ୍କ ଭିତରେ ଚାଲିଛି ତୀବ୍ର ପ୍ରତିଯୋଗିତା। ଗାଁ ମଝିରେ ଖୋଲିଛି ମଦ ଦୋକାନ ଓ ଗାଁ ଦାଣ୍ଡ ପାଲଟିଛି ମଦୁଆଙ୍କ ଆସରସ୍ଥଳ। ବାରମ୍ବାର ଅଭିଯୋଗ କରିବା ପରେ ବି ନା ପୁଲିସ ପ୍ରଶାସନ ଶୁଣୁଛି ନା ଅବକାରୀ ବିଭାଗ କର୍ଣ୍ଣପାତ କରୁଛି। ତେଣୁ ଆଜି ୧୦ଖଣ୍ଡ ମୌଜାର ଲୋକେ ବାଲିପାଟଣା ଥାନା ଘେରଉ କରିଥିଲେ। ମଦ ବେପାରୀଙ୍କୁ ଗିରଫ କରିବା ସହ ସ୍ଥାୟୀ ଭାବେ ମଦ ବେପାର ବନ୍ଦ କରିବାକୁ ଦାବିକରି ଥାନା ଦୁଆରେ ଧାରଣା ଦେଇଥିଲେ। ପୁଲିସ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଭାକରସାହି ଓ ମଝିହରା ପଞ୍ଚାୟତର ଦଣ୍ଡାସାହି, ବିଶ୍ୱାଳସାହି, ଦଳିତସାହି, ଅମୃତମଣୋହିପାଟଣା, ଗୋଲାମହମ୍ମଦପାଟଣା, ରୟତ ପାଟଣା, ମଝିହରାବସ୍ତି, ଡେରାସାହି, ସାରଙ୍ଗଧର ସାହୁପାଟଣା, ନୂଆସାହି, ପତିତପାବନପାଟଣା ଆଦି ଗାଁରୁ ଲୋକେ ଥାନା ଘେରଉରେ ସାମିଲ ହୋଇଥିଲେ। ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁସାରେ ସାରଙ୍ଗଧର ସାହୁପାଟଣାରେ ୩ଟି ପରିବାର ପ୍ରତିଯୋଗିତାରେ ମଦ ବିକ୍ରି କରୁଛନ୍ତି। ଘରେ ବିପୁଳ ପରିମାଣର ଚୋରା ମଦ ରଖୁଛନ୍ତି। ମଦୁଆଙ୍କ ପାଇଁ ଚାଖଣା ଦୋକାନ ମଧ୍ୟ ଖୋଲି ଦେଇଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳର ନିଶାଡ଼ିମାନେ ଦିନରାତି ସବୁବେଳେ ଏଠାରେ ଆସର ଜମାଉଛନ୍ତି। ନିଶାରେ ଚୁର୍ ହେବା ପରେ କିଏ ଗାଁ ଦାଣ୍ଡରେ ଗଡ଼ିଲାଣି ତ ଆଉ କିଏ ଗାଳିମନ୍ଦ କଲାଣି। ସେହିଭଳି କିଛି ମଦ୍ୟପ ମହିଳା ଓ ଯୁବତୀମାନଙ୍କୁ ଅଶ୍ଳୀଳ କମେଣ୍ଟ କରୁଛନ୍ତି। ଫଳରେ ଏବେ ପରିସ୍ଥିତି ଏମିତି ହୋଇଛି ଯେମିତି ମହିଳା ଓ ଯୁବତୀମାନଙ୍କ ପାଇଁ ଗାଁ ଦାଣ୍ଡ ମନା। ବିରୋଧ କଲେ ରାଗରେ ନିଶାଡ଼ିମାନେ ରାତିରେ ଘରକୁ ଢେଲା ମାଡ଼ କରୁଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ରାମଚନ୍ଦ୍ର ବେହେରା ଘର ଅଗଣାକୁ କେହି ଦୁର୍ବୃତ୍ତ ମଦବୋତଲ ଫୋପାଡ଼ିଥିଲା। ସୌଭାଗ୍ୟକୁ ମଦବୋତଲ କାହା ଦେହରେ ବାଜିନଥିଲା। ଏନେଇ ଶ୍ରୀ ବେହେରା ଦାଣ୍ଡକୁ ଯାଇ ପଚରାଉଚରା କରିବାରୁ ଜଣେ ମଦ ବେପାରୀ ପାଲଟା ଗାଳିମନ୍ଦ କରିବା ସହ ବିଭିନ୍ନ ଧମକ ଦେଇଥିଲା।