ଭୁବନେଶ୍ବର: ସ୍ବତନ୍ତ୍ର କଳା, ହସ୍ତତନ୍ତ, ସଂସ୍କୃତି ଓ ପ୍ରାକୃତିକ ବିଭବ ପାଇଁ ସାରା ବିଶ୍ବ୍ରରେ ଓଡ଼ିଶା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ତେଣୁ ପ୍ରକୃତିର ଏହି ଗନ୍ତାଘରକୁ ସୁରକ୍ଷିତ ରଖିବା ସହିତ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ସହ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଓଡ଼ିଶା ରାଜ୍ୟ ଟୁରିଷ୍ଟ ଗାଇଡ୍ ଆସୋସିଏସନ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ବିଶ୍ବ ପର୍ଯ୍ୟଟନ ଦିବସରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ବିକାଶ କରିବାକୁ ହେଲେ କିଛି ବିନାଶ କରିବାକୁ ପଡ଼େ। କିନ୍ତୁ ପର୍ଯ୍ୟଟନ ଶିଳ୍ପରେ ଏଭଳି ପରିଲକ୍ଷିତ ହୁଏ ନାହିଁ। ତେଣୁ ଏହି ଶିଳ୍ପକୁ ବିସ୍ତାରିତ କରିବା ପାଇଁ ଅତୀତକୁ ସୁରକ୍ଷିତ କରିବା ଆବଶ୍ୟକ। ଆମର ଆଚରଣ ଓ ଉଚ୍ଚାରଣରେ ଯଦି ପର୍ଯ୍ୟଟକଙ୍କ ମନ ଜିଣି ପାରିଲେ ରାଜ୍ୟକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ବିଧାୟକ ବାବୁ ସିଂହ ଉଦ୍ଘାଟକ ଭାବେ ଯୋଗଦେଇ କହିଥିଲେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସାରା ବିଶ୍ବବିଦିତ। ରାଜ୍ୟର ପର୍ଯ୍ୟଟନକୁ ବିଶ୍ବବ୍ୟାପୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଉଦ୍ୟମ ଚାଲିଛି ବୋଲି ସେ କହିଥିଲେ। ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ମହାଲେଖାକାର(ଅଡିଟ୍ ୧) ସୁବୁ ଆର ଯୋଗଦେଇ କହିଥିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ଅଛି। ହେଲେ ଏହାକୁ ଶିଳ୍ପରେ ପରିଣତ କରିବା ପାଇଁ ସରକାରୀ ସ୍ତରରୁ ପ୍ରୟାସ ହେବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଏଏସ୍ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ଯୋଗଦେଇ ରାଜ୍ୟର ଅପୂର୍ବ ଐତିହ୍ୟସ୍ଥଳୀର ବର୍ଣ୍ଣନା କରିଥିଲେ। ଅନ୍ୟତମ ଅତିଥି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଯୋଗଦେଇ ରାଜ୍ୟର ଯେଉଁ କ୍ଷେତ୍ରଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଯାଇଛି ତାକୁ ଆଗକୁ ଆଣିବା ଆମର ଦାୟିତ୍ଵ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ସନତ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରି ଗାଇଡ୍ମାନଙ୍କୁ ସ୍ବାସ୍ଥ୍ୟ ବୀମା ପ୍ରଦାନ ସହିତ ବରିଷ୍ଠ ଗାଇଡମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯାଉ ବୋଲି ଦାବି ଉପସ୍ଥାପନା କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଟ୍ରାଭେଲ ଲିଙ୍କ ପ୍ରାଇଭେଟ ଲିମିଟେଡର ମୁଖ୍ୟ ବେଞ୍ଜାମିନ ସାଇମନ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ବିରଞ୍ଚି ମିଶ୍ର, ଫ୍ରାଙ୍କଲିନ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ଆଲୋକ କୁମାର କର, ଆଇଆଇଟିଟିଏମ୍ର ନୋଡାଲ ଅଫିସର ସବିର ହୁସେନ, ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଡିନ ସୁଶାନ୍ତ ରଞ୍ଜନ ଚଇନି, ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ଆଇଏଚ୍ଏମ୍ର ସମ୍ବିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପର୍ଯ୍ୟଟନ, ଶିଳ୍ପ, କଳା ଓ ସଂସ୍କୃତି ଆଦି ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା କମଳ କିରଣ କରିଥିବା ବେଳେ ଉପସଭାପତି ବିଶ୍ବେଶ୍ବର ଦାସ ଧନ୍ୟବାଦ ଦେଇଥିଲେ।