ଭୁବନେଶ୍ବର: ରାଜ୍ୟ ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଦୁର୍ନୀତି କରିବାରେ ଲାଗି ପଡ଼ିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ। ଏବେ ଓଡ଼ିଶାରେ ଦୁର୍ନୀତିଯୁକ୍ତ ସରକାର ଚାଲିଛି। ଯାହାର ଏକମାତ୍ର କାମ ହେଉଛି ଓଡ଼ିଆ ଲୋକଙ୍କୁ ଶୋଷଣ କରିବା ଓ ରାଜ୍ୟକୁ ଲୁଟ୍ କରିବା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଉପସଭାପତି ଦେବାଶିଷ ପଟ୍ଟନାୟକ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ୩୦% ପିସି ସରକାର ଓ ବିଜେଡି-ବିଜେପି ଗଠବନ୍ଧନ ସଂପର୍କିତ ପ୍ଲାକାର୍ଡ ଦେଖାଇଥିଲେ। ସେ କହିଥିଲେ, ସରକାରୀ କାର୍ଯ୍ୟାଳୟରେ ଜନସାଧାରଣଙ୍କୁ ବଟି ନ ଦେଲେ କାମ ହେଉନାହିଁ। କେନ୍ଦ୍ରୀୟ ସ୍ତରରେ ସରକାରୀ ବାବୁମାନେ କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଇଡିର କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି, ସେହି ଇଡି କାର୍ଯ୍ୟାଳୟର ଜଣେ ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ବଟି ନେଉଥିବା ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ହୋଇଛି। ଡବଲ୍ ଇଞ୍ଜିନ୍ ସରକାରରେ ଚାଲିଛି ଡବଲ୍ ଦୁର୍ନୀତି।
ଗତ ୧୨ ମାସ ହେବ ସରକାର ରହିଲା ପରେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ କାହିଁକି ଏତେ ବିଳମ୍ବ କରାଗଲା ? ରଜନୀ ମହାନ୍ତି କହିଥିଲେ, ବର୍ଷ ବର୍ଷ ଧରି ଦୁର୍ନୀତି କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆ ସରକାର ପ୍ରଥମ ଦିନରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରଥମ ବର୍ଷ କାର୍ଯ୍ୟକାଳ ସରିବା ଉପରେ ଏହି ଦୁର୍ନୀତିଗ୍ରସ୍ତଙ୍କ ଚିଠା ଗଲା କୁଆଡ଼େ ? ସେମାନଙ୍କ ପାଖରୁ ମୋଟା ଅଙ୍କର ପାଣ୍ଠି ଦଳ ପାଇଁ ସଂଗ୍ରହ କରିବା ସହିତ ବିଭାଗୀୟ ମନ୍ତ୍ରୀ ଓ ଶାସନ ମୁଖ୍ୟଙ୍କ ଭିତରେ ବାଣ୍ଟ ହୋଇଗଲା କି ? ଦୁର୍ନୀତି କରି କୋଟି କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି କେବଳ ଚାକିରି କାଳର ଶେଷ ଦିନରେ ହିଁ କାହିଁକି ଧରା ପଡ଼ୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ଦେଓ ଉପସ୍ଥିତ ଥିଲେ।