ବାଲିଅନ୍ତା ବଜାର: କୁଶଭଦ୍ରା ନଦୀ ମହାତ୍ମା ସେତୁ ଏବେ ଅସାମାଜିକତତ୍ତ୍ବମାନଙ୍କ ଆଡ଼ାସ୍ଥଳ ପାଲଟିଛି। ଲାଇଟ୍‌ ଅଭାବରୁ ରାତିରେ ବ୍ରିଜ୍‌ ଉପର ଅନ୍ଧାରିଆ ରହୁଥିବାରୁ ବିଭିନ୍ନ ପ୍ରକାର ଅସାମାଜିକତତ୍ତ୍ବମାନଙ୍କ ଭିଡ଼ ଜମୁଛି। ନିଶାଡ଼ି ଯେତିକି ଲୁଟେରା ସେତିକି। ସେହିଭଳି ବ୍ରିଜ୍‌ ଉପରେ ଓ ଦୁଇ ମୁଣ୍ଡରେ ବୁଲା ଗୋରୁ ଶୋଇ ରହୁଥିବାରୁ ଗାଡ଼ିଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ଏବଂ ଏହା ନିତିଦିନିଆ କଥା ହୋଇଗଲାଣି। ବ୍ରିଜ୍‌ରେ ଲାଗିଥିବା ସୌର ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ଏଭଳି ସ୍ଥିତି ଉପୁଜିଛି। ତୁରନ୍ତ ବ୍ରିଜ୍‌କୁ ସ୍ଥାୟୀ ଭାବେ ଆଲୋକୀକରଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
ସେତୁ ନିର୍ମାଣ ହେବା ପରେ ପରେ ଆଲୋକୀକରଣ ପାଇଁ ସୌର ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା।

Advertisment

ପ୍ରଥମରୁ ବେଶ୍ ସୁନ୍ଦର ଦେଖାଗଲା ଏହି ଲାଇଟ୍‌। ମାତ୍ର ବର୍ଷକ ପରେ ଗୋଟିଏ ଗୋଟିଏ କରି ଲାଇଟ୍‌ ଅଚଳ ହେବାରେ ଲାଗିଲା। ଏବେ ହାତଗଣତି କିଛି ଲାଇଟ୍‌ ଜଳୁଛି। ତେଣୁ ସଂଜ ବୁଡ଼ୁବୁଡ଼ୁ ଅନ୍ଧାର ସୁଯୋଗ ନେଉଛନ୍ତି ଅପରାଧୀମାନେ। ନିଶାଡ଼ିମାନେ ନିଶା ସେବନ କରିବାକୁ ଏହି ଅନ୍ଧାରିଆ ବ୍ରିଜ୍‌କୁ ଉପଯୁକ୍ତ ସ୍ଥାନ ମନେକରୁଥିବା ବେଳେ ଲୁଟେରାମାନେ ଛିନ୍‌ତାଇ କରିବାକୁ ସୁଯୋଗ ପାଉଛନ୍ତି। ବଡ଼କଥା ହେଉଛି ପ୍ରେମୀଯୁଗଳଙ୍କ ଭିଡ଼ ଅପରାଧ ଘଟଣା ବଢ଼ିବାକୁ ସୁଯୋଗ ସୃଷ୍ଟି କରୁଛି। ଏବେ ଯେତିକି ବି ଲାଇଟ୍‌ ଜଳୁଛି, ଅଧିକ ରାତି ହେଲେ ଲିଭିଯାଉଛି। ସୌର ସେଲ୍‌ ସବୁ ପୁରୁଣା ହୋଇଯାଇଥିବାରୁ ବଦ୍ୟୁତ୍ ଶକ୍ତି ସଂଚୟ କ୍ଷମତା କମିଗଲାଣି। ଏମିତିରେ ଆଲୋକୀକରଣ ବ୍ୟବସ୍ଥା ଅକାମୀ ହେବା କାରଣରୁ ଜନସାଧାରଣଙ୍କ ପାଇଁ ଯାତାୟାତ କରିବାରେ ବହୁ ଅସୁବିଧା ହେଉଛି। ରାସ୍ତାର ଉଭୟ ପଟେ ବୁଲାଗୋରୁ ଶୋଇ ରହୁଥିବାରୁ ଆହୁରି ସମସ୍ୟା ହେଉଛି।

ପ୍ରତି ହାଟ ପାଳିରେ ଜନଗହଳି ଦିନ ଦୁର୍ଘଟଣା ଘଟୁଛି। କୁଶଭଦ୍ରା ନଦୀ ଉପରେ ନିର୍ମିତ ଏହି ସେତୁଟି ପୁରୁଣା ଜଗନ୍ନାଥ ସଡ଼କକୁ ସଂଯୋଗ କରୁଛି। ପ୍ରତିଦିନ ଏହି ରାସ୍ତାରେ ଲୋକେ ପୁରୀ, କୋଣାର୍କ, ପିପିଲି, ବାଳକାଟି ବଜାରକୁ ଯାତାୟାତ କରୁଛନ୍ତି। ସ୍ଥାନୀୟ ବାଲିଅନ୍ତା, ବେଣୁପୁର, ଭିଙ୍ଗାରପୁର, କାକରୁଦ୍ରପୁର, ପ୍ରତାପରୁଦ୍ରପୁର ପଞ୍ଚାୟତର ଲୋକମାନେ ଏହି ସେତୁ ଦେଇ ବାଲିଅନ୍ତା ଥାନା, ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉତ୍ତରା, ଧଉଳିକୁ ଯାଇଥାନ୍ତି। କିନ୍ତୁ ଏବେ ଅନ୍ଧାର ପାଇଁ ବ୍ରିଜ୍‌ ଉପରେ ଯାତାୟାତ ଆଉ ସୁରକ୍ଷିତ ହୋଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଆଗକୁ ପାର୍ବଣଋତୁ ଆସୁଥିବାରୁ ଏହି ସେତୁରେ ଗହଳଚହଳ ବୃଦ୍ଧି ପାଇବ। ଅନ୍ଧାରର ସୁଯୋଗ ନେଇ ଅସାମାଜିକତତ୍ତ୍ଵମାନେ ଯାତ୍ରୀଙ୍କୁ ହଇରାଣ ହରକତ କରିବେ। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଆଲୋକୀକରଣ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ସ୍ଥାନୀୟ ସରପଞ୍ଚ କୃଷ୍ଣକେଶବ ଆପଟ ଏବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି।