ଭୁବନେଶ୍ବର: ରଙ୍ଗ ବେରଙ୍ଗର ଫୁଲ ସାଙ୍ଗକୁ ବଉଳି ଆସୁଥିବା ଆମ୍ବର ବାସ୍ନା ପୂରା ପରିବେଶରେ ଭରି ଯାଉଥିଲା। ନୂଆ, ପୁରୁଣା ସୃଜନଶିଳ୍ପୀଙ୍କ ଘଣ୍ଟାଘଣ୍ଟା ଆଲୋଚନା ଶୀତୁଆ ଅପରାହ୍ଣରେ ଉଷ୍ମତା ଭରି ଦେଉଥିଲା। ସୂର୍ଯ୍ୟ ଢଳିବା ସହ ସମୟ ଗଡ଼ି ଚାଲିଥିଲା, ହେଲେ ଆଲୋଚନାର ଏହି ମହାର୍ଘ୍ୟ ପର୍ବରୁ କାହାରି ମନ ଭରୁ ନଥିଲା। ଆଲୋଚନା ଏତେ ବାସ୍ତବବାଦୀ ଥିଲା ଯେ ଲାଗୁଥିଲା ଯେମିତି ଗପର ଚରିତ୍ରମାନେ ଏହି ପରିବେଶ ଭିତରେ ଆତଯାତ କରୁଛନ୍ତି। ନିଜ ନିଜ ଭିତରେ କଥାବାର୍ତ୍ତା ହେଉଛନ୍ତି। କଥାକାରର ନିଜସ୍ବ ପରିଶ୍ରମ ଓ ତା’ର ଭଲ ଧାଡ଼ିଗୁଡ଼ିକର ଉଚ୍ଚାରଣ, ସମସ୍ତଙ୍କ ମନରେ ଭିନ୍ନ ଅନୁଭବ ଆଣି ଦେଉଥିଲା। ‘କଥା’ର ବର୍ଷ-୨୦୨୨ର ସମସ୍ତ ଲେଖକ, ଲେଖିକା ଓ ନବପ୍ରତିଭାମାନଙ୍କୁ ନେଇ ପ୍ରଥମଥର ପାଇଁ ଅଡ଼ଶପୁର ‘ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟ’ରେ ଆୟୋଜିତ ‘କଥା ଅନ୍ତରଙ୍ଗ ତଥା ସ୍ବପ୍ନ ସୃଜନ ଓ ସଂକଳ୍ପର ସମାବେଶ’ କାର୍ଯ୍ୟକ୍ରମରେ ଏମିତି ଏକ ଅଭୁଲା ପରିବେଶ ଦେଖିବାକୁ ମିଳିଥିଲା।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟଅତିଥି ‘କଥା’ର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସଂପାଦକ କଥାକାର ଗୌରହରି ଦାସ ଓ କଲେଜର ପ୍ରତିଷ୍ଠାତା ସଭାପତି ତ୍ରିଲୋଚନ କାନୁନ୍ଗୋ, ଅଧ୍ୟକ୍ଷ ପ୍ରଫେସର୍ ଅରୁଣ ନାୟକ ପ୍ରମୁଖ ସାରଗର୍ଭକ ଆଲୋଚନା କରିଥିଲେ। ଏଥିରେ ‘କଥା’ ପତ୍ରିକାର ଆଦ୍ୟ ସମୟର ଗାଥା ଓ ସଂଘର୍ଷ, ଗଣତନ୍ତ୍ରରେ ସାହିତ୍ୟର ଭୂମିକା, ସାହିତ୍ୟିକମାନଙ୍କ ଆଭିମୁଖ୍ୟ ଆଦିକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା, ଯାହା ଉପସ୍ଥିତ ଲେଖିକ ଲେଖିକାଙ୍କୁ ମୁଗ୍ଧ କରିଥିଲା। ସେହିଭଳି ଦ୍ବିତୀୟ ଅଧିବେଶନରେ ମହାବିଦ୍ୟାଳରେ ଥିବା ପୁଷ୍ପ ଉଦ୍ୟାନରେ କଥାଶିଳ୍ପୀମାନଙ୍କୁ ନେଇ କଥାରେ ପ୍ରକାଶିତ ଗଳ୍ପ ଉପରେ ଆଲୋଚନା ହୋଇଥିଲା। ଏଥିରେ ୨୦୨୨ ମସିହାରେ କଥାରେ ପ୍ରକାଶିତ କେତେକ ବଛାବଛା ଗପକୁ ନେଇ ବିଭିନ୍ନ କଥାକାର ନିଜ ନିଜର ମତବ୍ୟକ୍ତ କରିଥିଲେ।
ସାହିତ୍ୟାନୁରାଗୀଙ୍କ ଏକ ପୂର୍ଣ୍ଣାଙ୍ଗ ପରିବାର
କଥା ଅନ୍ତରଙ୍ଗ ଏକ ଅନନ୍ୟ କାର୍ଯ୍ୟକ୍ରମ। ଦୁଇ ପିଢ଼ିର ଲେଖକଙ୍କୁ ଏଠି ଏକାଠି ଦେଖିବାର ସୁଯୋଗ ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କ ଭିତରେ ଏଠି ଏକ ଯୋଗସୂତ୍ର ସମ୍ଭବ ହୋଇପାରିଛି। ତରୁଣ ପିଢ଼ିର ଲେଖକଙ୍କ ମନର କଥାକୁ ଶୁଣିବାକୁ ମିଳିଲା। ତରୁଣମାନେ ନିଜ ହୃଦୟକୁ ଛୁଇଁଥିବା କଥା ବ୍ୟକ୍ତ କରିଥିଲେ। ସେହିଭଳି ପ୍ରବୀଣମାନେ ମଧ୍ୟ ପିଲାମାନଙ୍କ ପାଇଁ ଅନେକ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସାହିତ୍ୟାନୁରାଗୀଙ୍କ ଏକ ପୂର୍ଣ୍ଣାଙ୍ଗ ପରିବାର ଭଳି ମନେ ହେଲା।
ସରୋଜିନୀ ସାହୁ, ଗାଳ୍ପିକା
ଅଭିଭୂତ କଲା ଆତିଥେୟତା
କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ। ପ୍ରଥମଥର ପାଇଁ କଥାର ଗାଳ୍ପିକ ଓ ପାଠକମାନଙ୍କ ଏହି ସମାବେଶକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କଲି। ଆଜିର ଏହି ସଭାରେ ମଞ୍ଚାସୀନ ଅତିଥିମାନଙ୍କ ଅଭିଭାଷଣ ଚମତ୍କୃତ କଲା। ପରବର୍ତ୍ତୀ ପର୍ଯ୍ୟାୟରେ ଗଳ୍ପ ପଠନ ସମାବେଶରେ ଜଣେ ଗାଳ୍ପିକ/ପାଠକ ଆଉ ଜଣଙ୍କର ଗଳ୍ପ ବାବଦରେ ଆଲୋଚନା କରିବାର ପ୍ରକ୍ରିୟାଟି ଥିଲା ଅଭିନବ। ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଶେଷକରି ଛାତ୍ରଛାତ୍ରୀମାନଙ୍କର ସହଯୋଗ ଏବଂ ଅତିଥିଚର୍ଯ୍ୟା ସମସ୍ତଙ୍କୁ ଅଭିଭୂତ କଲା।
ସୀତେଶ ତ୍ରିପାଠୀ, ଗାଳ୍ପିକ
ବିରଳ କାର୍ଯ୍ୟକ୍ରମ
କଥା ଅନ୍ତରଙ୍ଗ ଏକ ଐତିହାସିକ କାର୍ଯ୍ୟକ୍ରମ। ଏହା କେବଳ ଓଡ଼ିଶାରେ ନୁହେଁ, ସାରା ଭାରତ ବର୍ଷରେ ବିରଳ ବୋଲି କୁହାଯିବ। ଲେଖକ ଓ ପାଠକମାନଙ୍କର ଗୋଟିଏ ମଞ୍ଚରେ ଯେଉଁ ଭାବର ଆଦାନପ୍ରଦାନ ହେଲା, ତାହା ଭବିଷ୍ୟତରେ ସାହିତ୍ୟ ଓ ସାହିତ୍ୟିକମାନଙ୍କୁ ନୂଆ ଦିଗ ଦେଖାଇବ। ଏପରି କାର୍ଯ୍ୟକ୍ରମରେ ମୁଁ ଭାଗ ନେଇ ପାରିଥିବାରୁ ନିଜକୁ ଗୌରବାନ୍ବିତ ମନେ କରୁଛି।
ଅରବିନ୍ଦ ରାୟ, ଗାଳ୍ପିକ
କଥା ଅନ୍ତରଙ୍ଗର ଆୟୋଜନ ଏକ କୃତଜ୍ଞତା
ଏ କାର୍ଯ୍ୟକ୍ରମ ‘କଥା’ ପ୍ରତି ମୋର କୃତଜ୍ଞତା। କଥା ପତ୍ରିକାରେ ଦୀର୍ଘ ଦିନ ଧରି ଗଳ୍ପ ଲେଖି ମୁଁ ପରିଚିତି ପାଇଛି। ଓଡ଼ିଶାରେ ଏଭଳି ଏକ ପରିକଳ୍ପନା ସଂପୂର୍ଣ୍ଣ ନୂଆ। ଏହାର ଆୟୋଜକ ହୋଇଥିବାରୁ ମୁଁ ଖୁବ୍ ଖୁସି। ଓଡ଼ିଆ ଗଳ୍ପ ଜଗତରେ ‘କଥା’ ନିଶ୍ଚିତ ଭାବେ ଏକ ଆନ୍ଦୋଳନ, ଏଥିରେ ଦ୍ବିରୁକ୍ତି ନାହିଁ। କେବଳ ଗଳ୍ପକୁ ଭିତ୍ତିକରି ଏଭଳି ଏକ ପତ୍ରିକା ଦୀର୍ଘ ଦିନ ଧରି ଲୋକପ୍ରିୟତାର ଶୀର୍ଷରେ ରହିବା, ଏହାର ସଫଳତାକୁ ସୂଚାଏ। କଥା ସହ ଯେତେଥର ସମ୍ପୃକ୍ତ ହେବାର ସୌଭାଗ୍ୟ ମିଳେ, ସେତେଥର ମନେପଡ଼େ, ଆଦ୍ୟ ତାରୁଣ୍ୟରେ କଥାର ପ୍ରଥମ ବର୍ଷର ନବପ୍ରତିଭା ବିଶେଷାଙ୍କରେ ମୋ’ ଗଳ୍ପ ପ୍ରକାଶନ। ହିରଣ୍ମୟୀ ମିଶ୍ର, ଗାଳ୍ପିକା