ଦିନକ ପରେ ରମାଦେବୀ ସମାବର୍ତ୍ତନ ଉତ୍ସବ: ୪ ମହିଳା ପାଇବେ ସମ୍ମାନସୂଚକ ଡକ୍ଟରେଟ୍‌

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଉତ୍ସବରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଅଧ୍ୟକ୍ଷତା କରିବାକୁ ଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ ନାହିଁ। ଏହି ଅବସରରେ ଦେଶର ୪ଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯିବ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ସୌମ୍ୟା ସ୍ବାମୀନାଥନ୍‌ଙ୍କୁ ଡି.ଏସ୍‌ସି ଡିଗ୍ରି, ସାହିତ୍ୟ ଓ ସମାଜସେବା ପାଇଁ ପୂର୍ଣ୍ଣମାସୀ ଜାନୀ, ସମାଜସେବା ଓ ମହିଳା ସଶକ୍ତୀକରଣ ଲାଗି ସୁନିତା କ୍ରିଷ୍ଣନ୍‌, କଳା ଓ ସଂସ୍କୃତି କ୍ଷେତ୍ର ଲାଗି ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଡି.ଲିଟ୍‌ ଡିଗ୍ରି ପ୍ରଦାନ କରାଯିବ ବୋଲି କୁଳପତି ପ୍ରଫେସର୍‌ ଅପରାଜିତା ଚୌଧୁରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଉତ୍ସବରେ ସାମିଲ ହେବେ ନାହିଁ ମୁଖ୍ୟମନ୍ତ୍ରୀ
ପୁଲିସ ଅକ୍ତିଆରରେ କ୍ୟାମ୍ପସ

୨୦୨୨ ମସିହା ପାଇଁ ୨୨ଜଣ ଛାତ୍ରୀଙ୍କୁ ସମାବର୍ତ୍ତନ ଉତ୍ସବରେ ସ୍ବର୍ଣ୍ଣପଦକ ଦିଆଯିବ। ଯେଉଁଥିରେ ପିଜି ବିଭାଗର ଶ୍ରେଷ୍ଠ ୧୫ଜଣ ଛାତ୍ରୀ, ୪ଜଣ ଶ୍ରେଷ୍ଠ ବିଜ୍ଞାନ ଗ୍ରାଜୁଏଟ୍‌, କଳାର ଶ୍ରେଷ୍ଠ ଗ୍ରାଜୁଏଟ୍‌, ବାଣିଜ୍ୟର ଶ୍ରେଷ୍ଠ ଗ୍ରାଜୁଏଟ୍‌ ଓ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ୍‌ ଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ମିଳିବ। ବି.ଏଡ୍‌ର ଟପର୍‌ଙ୍କୁ ବି ସ୍ବର୍ଣ୍ଣପଦକ ଦିଆଯିବ। ଦୁଇଜଣ ଛାତ୍ରୀଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯିବ। ରାଷ୍ଟ୍ରପତି ଓ କୁଳାଧିପତି ମିଳିବ ଭାବେ ଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରିବେ ବୋଲି କୁଳପତି ପ୍ରଫେସର ଚୌଧୁରୀ ସୂଚନା ଦେଇଛନ୍ତି।

ଉତ୍ସବ ଅବସରରେ ମୋଟ ୭୪୩୦ଜଣ ଛାତ୍ରୀଙ୍କ ଡିଗ୍ରି ବୁକ୍‌ରେ ଦସ୍ତଖତ କରାଯିବ। ଯେଉଁଥିରେ ପିଏଚ୍‌ଡିର ଦୁଇ, ଏମ୍‌.ଫିଲ୍‌ର ୧୭, ମାଷ୍ଟର ଡିଗ୍ରି(ଏମ୍‌ଏ/ଏମ୍‌.ଏସ୍‌ସି/ଏମ୍‌.କମ୍‌)ର ୭୪୭, ବି.ଏଡ୍‌ର ୯୨ ଓ ଯୁକ୍ତ୩ ଡିଗ୍ରି(ବିଏ/ବିଏସ୍‌ସି/ବିକମ୍‌)ର ୬୫୭୨ଜଣ ରହିଛନ୍ତି। ସିଣ୍ଡିକେଟ୍‌, ଏକାଡେମିକ୍‌ କାଉନସିଲ୍‌, ନିମନ୍ତ୍ରିତ ଅତିଥି, ବିଶ୍ବବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀମାନେ ଉତ୍ସବରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟ କୁଳସଚିବ ଶ୍ୟାମଳୀ ମହାପାତ୍ର, ପିଜି କାଉନ‌ସିଲ୍‌ ଅଧ୍ୟକ୍ଷ ଚଣ୍ଡୀ ଚରଣ ରଥ, ପ୍ରଫେସର୍‌ ସସ୍ମିତା ମହାନ୍ତି, ପ୍ରଫେସର୍‌ ମଧୁସ୍ମିତା ପତି, ଲୋକ ସମ୍ପର୍କ ଅଧିକାରୀ ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ପୂର୍ଣ୍ଣ କ୍ୟାମ୍ପସ୍‌ ଏବେ ପୁଲିସ ନିଜ ଅକ୍ତିଆରକୁ ନେଇଛି। ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ରମାଦେବୀ ପ୍ରେକ୍ଷାଳୟରେ ୨୪ଘଣ୍ଟିଆ ପହରା ଦିଆଯାଇଛି। ଏବେଠାରୁ ବନ୍ଧୁକଧାରୀ ପୁଲିସ ମୁତୟନ ହୋଇଛି। ପ୍ରେକ୍ଷାଳୟରେ ତାଲା ପଡ଼ିଛି। ଭିତରକୁ କାହାକୁ ବି ପ୍ରବେଶ ଲାଗି ଅନୁମତି ଦିଆଯାଉନାହିଁ। କ୍ୟାମ୍ପସର ସୌନ୍ଦର୍ଯ୍ୟୀକରଣକୁ ବି ଗୁରୁତ୍ବ ଦିଆଯାଇଛି। ଏକାଡେମିକ୍‌ ବିଲ୍‌ଡିଂ ସମ୍ମୁଖ ଭାଗ ଖାଲି ସ୍ଥାନରେ ଘାସ ଗାଲିଚା ବିଛା ଯାଇଛି। ପ୍ରବେଶ ପଥରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁଠି ଫୁଲର ସମ୍ଭାର। ପ୍ରେକ୍ଷାଳୟ ପଛ ପାର୍ଶ୍ବରେ ଗାଡ଼ିଗୁଡ଼ିକ ପାର୍କିଂ ଲାଗି ବ୍ୟବସ୍ଥା ହୋଇଛି। ଆଲୋକମାଳାରେ ଝଲସୁଛି ସାରା କ୍ୟାମ୍ପସ।

ସମାବର୍ତ୍ତନ ଉତ୍ସବକୁ ସାମ୍ବାଦିକଙ୍କୁ ମନା

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ବାରଣ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଉଥିବା ବେଳେ କାହିଁକି ସାମ୍ବାଦିକଙ୍କୁ ଅନୁମତି ଦିଆଯାଇନାହିଁ ବୋଲି ପ୍ରଶ୍ନର ଉତ୍ତରରେ କୁଳପତି ପ୍ରଫେସର ଚୌଧୁରୀ କହିଲେ ଉପରୁ ଅର୍ଡର ଆସିଛି। କାରଣ ସମ୍ପର୍କରେ କିଛି ଜାଣିନାହୁଁ। ସାମ୍ବାଦିକଙ୍କୁ ପ୍ରବେଶ ଲାଗି ଅନୁମତି ନ ‌ଦେବାକୁ ଆମକୁ ନିର୍ଦ୍ଦେଶ ଆସିଛି। ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବି ସାମ୍ବାଦିକଙ୍କ ପ୍ରବେଶ ଲାଗି ଅନୁମତି ନ ଦେବାକୁ କୁହାଯାଇଥିଲା। ତେଣୁ ଆମେ ନିମନ୍ତ୍ରଣ କରିନଥିଲୁ। ଉଚ୍ଚ କର୍ତ୍ତୃପକ୍ଷ ଯାହା ନିଷ୍ପତ୍ତି ନେଉଛନ୍ତି, ଆମେ ତାହାକୁ ପାଳନ କରୁଛୁ। ଏଠାରେ ପ୍ରଶ୍ନ ଉଠୁଛି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଉପରୁ କିଏ ନିର୍ଦ୍ଦେଶ ଦେଇଛି? ସାମ୍ବାଦିକଙ୍କ ଉପରେ କାହିଁକି ଏତେ କଟକଣା? ଏହା ପଛରେ କିଏ? ୪ର୍ଥସ୍ତମ୍ଭ ସ୍ବରକୁ ଚାପିବା ପଛରେ କାହାର ଏଭଳି ଷଡ଼ଯନ୍ତ୍ର? ଭାରତର ରାଷ୍ଟ୍ରପତି ଓଡ଼ିଶାର ଝିଅ। ହେଲେ ତାଙ୍କ କାର୍ଯ୍ୟକ୍ରମର ଖବର ସଂଗ୍ରହ କରିବାକୁ ସାମ୍ବାଦିକଙ୍କୁ ଅନୁମତି ମିଳୁ ନ ଥିବାରୁ ବରିଷ୍ଠ ସାମ୍ବାଦିକମାନେ ନାପସନ୍ଦ କରିଛନ୍ତି। ସେମାନଙ୍କ କହିବା କଥା, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ସମ୍ବାଦିକଙ୍କୁ ଯେଉଁଭଳି ଦୂରେଇ ରଖାଯାଉଛି ତାହା ଇତିହାସରେ ଲିପିବଦ୍ଧ ହୋଇ ରହିବ। କେବଳ ଏହି ଗୋଟିଏ ଘଟଣା ନୁହେଁ, ଯେଉଁଭଳି ଭାବେ ସାମ୍ବାଦିକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ବାରଣ କରାଯାଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଓଡ଼ିଶାରେ ସାମ୍ବାଦିକଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରି ଦିଅନ୍ତୁ। ସରକାର ନିଜେ ସାମ୍ବାଦିକତା କରନ୍ତୁ।

୧୧ରେ ୨୦୨୧ର ସ୍ବର୍ଣ୍ଣପଦକ

୨୦୨୧ ମସିହାର ସ୍ବର୍ଣ୍ଣପଦକଗୁଡ଼ିକ ଆସନ୍ତା ୧୧ ତାରିଖରେ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର ରମାଦେବୀ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବର୍ଣ୍ଣପଦକ ବଣ୍ଟନ କରାଯିବ। କିଏ ଅତିଥି ହେବେ ସେନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ୨୦୨୧ ସୁଦ୍ଧା ସମସ୍ତ ଛାତ୍ରୀଙ୍କୁ ଡିଗ୍ରି ସାର୍ଟିଫିକେଟ୍‌ ପ୍ରଦାନ କରାଯାଇସାରିଥିବା କୁଳପତି ସୂଚନା ଦେଇଛନ୍ତି।

ସହପାଠିନୀଙ୍କୁ ଭେଟିବେ

ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ରାଷ୍ଟ୍ରପତି ନିଜ ସହପାଠିନୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ୩୦ଜଣ ସହପାଠିନୀଙ୍କୁ ନିୟନ୍ତ୍ରଣପତ୍ର ପଠାଯାଇଛି। ସେହିପରି ନ୍ୟୁ-ଆଲୁମିନି(୨୦୧୫ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବା ପରଠାରୁ) ତଥା ୨୦୧୮, ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ରେ ପାସ୍‌ କରିଥିବା ୨୦ରୁ ୨୫ଜଣ ଛାତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରପତି ସେମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସମ୍ମାନସୂଚକ ଡକ୍ଟରେଟ୍‌ ପାଇଥିଲେ ରାଷ୍ଟ୍ରପତି

୨୦୧୯ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଥିଲା। ସେତେବେଳେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀମାନେ ରାଷ୍ଟ୍ରପତି ଏଠାକାର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିବାରୁ ଆମେ ଗର୍ବିତ ବୋଲି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚୌଧୁରୀ କହିଛନ୍ତି। ୧୦ ତାରିଖର ସମାବତ୍ତର୍ନ ଉତ୍ସବ ବିଶ୍ବବିଦ୍ୟାଳୟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବନ୍ଧ ହୋଇ ରହିବ।

ପୁରୁଣା ପ୍ରେକ୍ଷାଳୟରେ ଉତ୍ସବ ଦେଖିବେ ପିଲା

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଏବେ ୩୫୦୦ରୁ ଅଧିକ ଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସମସ୍ତଙ୍କୁ ପ୍ରେକ୍ଷାଳୟରେ ବସିବା ଲାଗି ଅନୁମତି ଦେବା ସମ୍ଭବପର ନୁହେଁ। କାରଣ ଉକ୍ତ ପ୍ରେକ୍ଷାଳୟରେ ମାତ୍ର ୧୦୦୦ ସିଟ୍‌ ରହିଛି। ତେଣୁ ବିଶ୍ବବିଦ୍ୟାଳୟ ପୁରୁଣା ପ୍ରେକ୍ଷାଳୟରେ ବଡ଼ ସ୍କ୍ରିନ୍‌ ଲଗାଯାଇ ଉତ୍ସବର ସିଧାପ୍ରସାରଣ କରାଯିବ। ଛାତ୍ରୀମାନେ ସେଠାରେ ଉପସ୍ଥିତ ରହି ସମାବର୍ତ୍ତନ ଉତ୍ସବ ଦେଖିପାରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କୁଳପତି ପ୍ରଫେସର ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର