ଦିନକ ପରେ ହକି ବିଶ୍ବକପ୍‌, ଝଲସୁଛି ସହର, ଷ୍ଟାଡିୟମ୍‌

ରଙ୍ଗବୋଳା ସରୁନି

ଭୁବନେଶ୍ବର: ୧୩ ତାରିଖରେ ହକି ବିଶ୍ବକପ୍‌। କଳିଙ୍ଗ ଷ୍ଟାଡିୟମ୍‌ଠାରୁ ଆରମ୍ଭ କରି ପୂରା ସହର ରଙ୍ଗିନ୍‌ ଆଲୋକମାଳାରେ ଝଲସୁଛି। ଫ୍ଲାଏଓଭର୍‌ ତଳେ ଭଳିକି ଭଳି ଥିମ୍‌କୁ ନେଇ ଅଙ୍କା ହୋଇଥିବା ଚିତ୍ର ସାଙ୍ଗକୁ ସଂଧ୍ୟାରେ ସହର ଓ ଷ୍ଟାଡିୟମ୍‌ରେ ଚିକିମିକି ଆଲୁଅ ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି। ପୂରା ଭୁବନେଶ୍ବର ନୂଆ ଦିଶୁଛି। କିନ୍ତୁ ଏସବୁ ସତ୍ତ୍ବେ ପୂର୍ଣ୍ଣାଙ୍ଗ କାମ ସରିପାରିନି। ଗତ ୫ ତାରିଖରୁ କଣ୍ଟ ପୂରି ଯାଇଥିଲେ ହେଁ ଏବେ ବି ବିଭିନ୍ନ ସ୍ଥାନରେ ରଙ୍ଗବୋଳା, ଲାଇଟ୍‌ ଲଗା, ଗଛଲଗା ଆଦି ଯାବତୀୟ କାମ ଚାଲିଛି।

ବିଶ୍ବକପ୍‌ ପାଇଁ ଗତ ନଭେମ୍ବରରୁ ରାଜଧାନୀର ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଥିଲା। ହକି ବିଶ୍ବକପ୍‌ ସମୟରେ ରାଜଧାନୀକୁ ଆସିବାକୁ ଥିବା ପର୍ଯ୍ୟଟକ ତଥା ଦର୍ଶକ କିଛି କ୍ଷଣ ଲାଗି ଯେପରି ଗୋଟିଏ ସ୍ଥାନରେ ଅଟକି ରହିବେ, ତାହାକୁ ନଜରରେ ରଖି ରୂପରେଖ ପ୍ରସ୍ତୁତ ହୋଇଥିଲା। ବିଏମ୍‌ସି, ବିଡିଏ, ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ବର ସ୍ମାର୍ଟସିଟି ଲିମି‌ଟେଡ୍‌(ବିଏସ୍‌ସିଏଲ୍‌), ଏନ୍‌ଏଚ୍‌ଏଆଇ, ଟିପିସିଓଡିଏଲ୍‌, ଇ ଆଣ୍ଡ ଆଇଟି ବିଭାଗ, କ୍ରୁଟ୍‌, ୱାଟ୍‌କୋ, ଗେଲ୍‌ ଓ ପୁଲିସ ବିଭାଗ ମିଳିତ ଭାବେ ବିକାଶ କାର୍ଯ୍ୟରେ ସାମିଲ ହୋଇଥିଲେ।

ଜାନୁଆରି ୧୧ରେ ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ କଟକରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୩ରୁ ଭୁବନେଶ୍ବର ଓ ରାଉରକେଲାରେ ମ୍ୟାଚ୍‌। କେଉଁଠି ସାଇକେଲ୍‌ ଟ୍ରାକ୍‌ରେ ରଙ୍ଗ ଲଗାଯାଉଛି ତ ଆଉ କେଉଁଠି ଫୁଲଗଛ ପୋତା ଚାଲିଛି। କାନ୍ଥରେ ଚିତ୍ର ଆଙ୍କିବା କାର୍ଯ୍ୟ ଦୁଇ ମାସ ଧରି ଚାଲିଥିଲେ ମଧ୍ୟ ସରୁନି। ଆଜି ବି ସହରର ବିଭିନ୍ନ କାନ୍ଥରେ ଚିତ୍ର ଅଙ୍କା ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ କେବେ ସରିବ ସୌନ୍ଦର୍ଯ୍ୟୀକରଣ? କିଭଳି ଅନୁଭୂତି ନେଇ ଫେରିବେ ଦେଶ ବିଦେଶର ଦର୍ଶକ ତାହା ସ୍ପଷ୍ଟ ଅନୁମେୟ।

ଖୋଲିଲାନି ପର୍ଯ୍ୟଟନ ସୂଚନା କେନ୍ଦ୍ର

ପର୍ଯ୍ୟଟକଙ୍କ ଲାଗି ଜାନୁଆରି ୫ ସୁଦ୍ଧା ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ସୁବିଧା ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଜାନୁଆରି ୫ରୁ ୩୧ ଯାଏ ଅସ୍ଥାୟୀ ପର୍ଯ୍ୟଟକ ସୂଚନା କେନ୍ଦ୍ର ଖୋଲିବାକୁ ବି କୁହାଯାଇଥିଲା। ମାତ୍ର ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ।

ସୂଚନା କେନ୍ଦ୍ର ଖୋଲିବା ଦୂରରେ ଥାଉ, ଭୁବନେଶ୍ବର ରେଳ ଷ୍ଟେସନରେ ଥିବା ପର୍ଯ୍ୟଟନ ସୂଚନା କେନ୍ଦ୍ର ଆଜି ପର୍ଯ୍ୟନ୍ତ ଖୋଲିପାରିଲା ନାହିଁ। ପୂର୍ବରୁ ତାଲା ପଡ଼ିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏବେ ମରାମତି ଚାଲିଛି। କେବେ କାମ ସରିବ ଏବଂ ପୁଣିଥରେ ଖୋଲିବ, ସେନେଇ କାହା ପାଖରେ ଖବର ନାହିଁ। ଯେତେବେଳେ କି ଟ୍ରେନ୍‌ ଯୋଗେ ବହୁସଂଖ୍ୟକ ଦର୍ଶକ ଦେଶର ବିଭିନ୍ନ ସ୍ଥାନରୁ ଭୁବନେଶ୍ବର ଆସୁଛନ୍ତି ଏବଂ ରାଉରକେଲା ଓ ଭୁବନେଶ୍ବର ମଧ୍ୟରେ ଚଳପ୍ରଚଳ କରୁଛନ୍ତି।

ଗଛ ଲଗା ସରିଲାନି

ଜାନୁଆରି ୫ ସୁଦ୍ଧା ସହରର ୮୦ କିମି ମେଡିଆନ୍‌, ରାସ୍ତାପାର୍ଶ୍ବ ଓ ୩୦ଟି ଛକର ଲ୍ୟାଣ୍ଡସ୍କେପ୍‌ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ସରିଲା ନାହିଁ। ବିମାନବନ୍ଦରରୁ ନାଲକୋ ଛକ ପର୍ଯ୍ୟନ୍ତ ରାସ୍ତାରେ ଆଜି ବି ଗଛ ଲଗା ଚାଲିଛି। ବିମାନବନ୍ଦର ଛକ ରାସ୍ତାପାର୍ଶ୍ବ ପାଚେରିର ଲୁହା ବାଡ଼ରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପକ୍ଷରୁ ଭଳିକି ଭଳି ବିଦେଶୀ ଫୁଲ ଗଛ ରୋପଣ ହେଉଛି, ଯାହାକି ସୌନ୍ଦର୍ଯ୍ୟୀକରଣକୁ ଦ୍ବିଗୁଣିତ କରୁଛି। ସହରର ୧୦ କିମି ରାସ୍ତା ପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ଓଏଫ୍‌ଡିସିକୁ ଦିଆଯାଇଥିବା ବିଭିନ୍ନ ଘରୋଇ ସଂସ୍ଥାକୁ ବାକି କାର୍ଯ୍ୟ ଦିଆଯାଇଛି। ସେମାନେ ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଧାର୍ଯ୍ୟ ସମୟରେ ସରି ପାରିନାହିଁ। କେବେ ଚୂଡ଼ାନ୍ତ ରୂପ ନେବ, ସେ ‌ସମ୍ପର୍କରେ କାହା ପାଖରେ ଖବର ନାହିଁ।

ଜାତୀୟ ରାଜପଥ ମରାମତି କଲେନି

ଭୁବନେଶ୍ବର ମଧ୍ୟରେ ଜାତୀୟ ରାଜପଥ-୧୬ର ୨୧ କିମି ରାସ୍ତା ବିକାଶ କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ସାରିବାକୁ ଏନ୍‌ଏଚ୍‌ଏଆଇକୁ କୁହାଯାଇଥିଲା। ରାଜପଥରେ ଥିବା ରାସ୍ତାପାର୍ଶ୍ବ ଗାତ ଓ ଲାଇଟ୍‌ଗୁଡ଼ିକର ମରାମତି, କାର୍ପେଟିଂ, ଲେନ୍‌ ମାର୍କିଂ, ଡ୍ରେନ୍‌ କଭର୍‌ ମରାମତି ଓ ଲଗାଇବା, ସାଇନ୍‌ଏଜ୍‌ ମରାମତି ଓ ସଂଯୋଗୀକରଣ, ଷ୍ଟ୍ରିଟ୍‌ଲାଇଟିଂ କାମ କରିବାକୁ ନିର୍ଦ୍ଦେଶ ଥିଲା। ମାତ୍ର ଆଜି ସୁଦ୍ଧା ଅଧିକାଂଶ ସ୍ଥାନରେ ଜାତୀୟ ରାଜପଥ ମରାମତି ହୋଇନାହିଁ। ବାଣୀବିହାର-ଜୟଦେବ ବିହାର ଓଭରବ୍ରିଜ୍‌ ଉପର ରାସ୍ତାରେ ପିଚୁ ଉଠି ଯାଇଛି। ବହୁ ଦିନ ହେଲା ଏଭଳି ସମସ୍ୟା ହୋଇଥିଲେ ମଧ୍ୟ ହକି ବିଶ୍ବକପ୍‌ ସମୟରେ ବି ମରାମତି କରାଗଲାନାହିଁ। ରାଜପଥ ପାର୍ଶ୍ବରେ ଅଚଳ ହୋଇଥିବା ଷ୍ଟ୍ରିଟ୍‌ ଲାଇନ୍‌ଗୁଡ଼ିକ ମଧ୍ୟ ମରାମତି କରାଯାଇନାହିଁ। ବହୁ ସ୍ଥାନରେ ଡ୍ରେନ୍‌ କଭର୍‌ ମରାମତି ହୋଇ ନ ଥିବା ଦେଖିବାକୁ ମିଳିଛି।

‘ମୋ ସାଇକେଲ୍‌’କୁ ନାକ ଟେକୁଛନ୍ତି

ପୂର୍ତ୍ତ ବିଭାଗ ପକ୍ଷରୁ ୮୦ କିମି ରାସ୍ତାର ସାଇକେଲ୍‌ ଟ୍ରାକ୍‌ ମରାମତି, ପେଣ୍ଟିଂ, ସାଇନ୍‌ ମାର୍କିଂ, ସାଇନ୍‌ ଏଜ୍‌ ମରାମତି, ଗାଲିଚା ବିଛା, ଲେନ୍‌ ମାର୍କିଂ ଆଦି କରାଯିବାର ଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଏବେ ବି ସାଇକେଲ୍‌ ଟ୍ରାକ୍‌ରେ ରଙ୍ଗବୋଳା ଚାଲିଛି। ଆଜି ମଧ୍ୟାହ୍ନରେ ଜୟଦେବବିହାର ଛକ, ବିଧାନସଭା ସମ୍ମୁଖରେ ସାଇକେଲ୍‌ ଟ୍ରାକ୍‌ ଚିହ୍ନଟ ହେଉଥିବା ଦେଖିବାକୁ ମିଳିଥିଲା। ଟ୍ରାକ୍‌ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ‘ମୋ ସାଇକେଲ୍‌’ ଏବେ ଆଣ୍ଠେଇଛି। କେଉଁଠି ଭାଙ୍ଗି ତଳେ ପଡ଼ିଛି କେଉଁଠି ଟ୍ରାକ୍‌ରେ ବାଲିର ଆସ୍ତରଣ। ବିମାନବନ୍ଦର ନିକଟ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ଥୁଆ ଯାଇଥିବା ‘ମୋ ସାଇକେଲ୍‌’କୁ ଦେଖି ପର୍ଯ୍ୟଟକ ନାକ ଟେକୁଛନ୍ତି।

ରେଳଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌ରେ ସୁରକ୍ଷା ଢିଲା

ଦେଶ ବିଦେଶର ହକି ଦର୍ଶକ ଆସୁଥିବାରୁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା କୁହାଯାଉଛି। ମାତ୍ର ଗମନାଗମନର ପ୍ରମୁଖ ସ୍ଥାନ ଯଥା ଭୁବନେଶ୍ବର ରେଳଷ୍ଟସନ ଓ ବସ୍‌ଷ୍ଟାଣ୍ଡରେ ସବୁ କିଛି ଢିଲା। ରେଳ ଷ୍ଟେସନ୍‌ରେ ଲଗେଜ୍‌ ସ୍କାନର ବହୁ ଦିନ ହେଲା ଅଚଳ ପଡ଼ିଛି। ୬ ନମ୍ବର ପ୍ଲାଟଫର୍ମ ପରେ ଏବେ ୧ ନମ୍ବର ପ୍ଲାଟଫର୍ମ ଲଗେଜ୍‌ ସ୍କାନର୍‌ ଅଚଳ ହୋଇପଡ଼ିଛି। କିଏ ବ୍ୟାଗ୍‌ରେ କ’ଣ ନେଉଛି, ତାହାର ଯାଞ୍ଚ ହେଉନାହିଁ। ଯେଉଁମାନେ ଟ୍ରେନ୍‌ରୁ ଓହ୍ଲାଉଛନ୍ତି, ସେମାନଙ୍କର ବି ଯାଞ୍ଚ କରାଯାଉନାହିଁ।

ସହରରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ହେଉଥିଲେ ମଧ୍ୟ ଯେଉଁଭଳି ସୁରକ୍ଷା ରହିବା କଥା, ତାହା ଆଜି ଦେଖିବାକୁ ମିଳିନଥିଲା। ପ୍ରବେଶ ପଥରେ ଥିବା ପୁଲିସ ଟେଣ୍ଟ ହାଉସ୍‌ ଖାଲି ପଡ଼ିଥିଲା। ରେଲୱେ ‌ପୁଲିସ କିମ୍ବା ଓଡ଼ିଶା ପୁଲିସର କୌଣସି ଜଣେ ବି ହେଲେ କର୍ମଚାରୀ ଉପସ୍ଥିତ ନଥିଲେ। ଉଭୟ ବରମୁଣ୍ଡା ରାଜ୍ୟସ୍ତରୀୟ ବସ୍‌ଷ୍ଟାଣ୍ଡ୍‌ ଓ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ସିଟି ବସ୍‌ଷ୍ଟାଣ୍ଡ୍‌ ଅବସ୍ଥା ସମାନ। ଜଣେ ବି ହେଲେ ପୁଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା। ଅବଶ୍ୟ ଆଶ୍ବସ୍ତିର ବିଷୟ ହେଉଛି କି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସିଆର୍‌ପିଏଫ୍‌ ଯବାନ ଜଗି ରହିଛନ୍ତି। ତା’ପରେ ବି ଓଡ଼ିଶା ପୁଲିସର ବହୁ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ଆଜି ଉପସ୍ଥିତ ରହିଥିବା ଦେଖିବାକୁ ପାଇଥିଲୁ।

ସମ୍ବନ୍ଧିତ ଖବର