ବାଲିପାଟଣା/ବାଲିଅନ୍ତା: ପ୍ରାୟ ମାସକ ପୂର୍ବରୁ ଯେତେବେଳେ ଚାଷୀ ବର୍ଷା ଖୋଜୁଥିଲା, ହେଲା ନାହିଁ। ତେଣୁ ଗର୍ଭଧାରଣ କରୁଥିବା ଧାନ ଗଛ ଉପଯୁକ୍ତ ପରିମାଣ ନ ପାଇବାରୁ ପ୍ରଭାବିତ ହେଲା। ଏବେ ଅମଳ ସମୟ। ବିଲରେ ଯେତିକି ଧାନ ବଞ୍ଚିଛି, ସେତକ ଖଳାକୁ ଆଣିବାର ବେଳ। କିନ୍ତୁ ଅଦିନିଆ ବର୍ଷା ଚାଷୀର ମୁଣ୍ଡ ବିଗାଡ଼ିଲାଣି। ବାତ୍ୟା ମିଗଜୋମ୍ ଯୋଗୁଁ ବୁଧବାର ସକାଳୁ ଆରମ୍ଭ ହୋଇଥିବା ବର୍ଷାରେ ପାଚିଲା ଧାନ କ୍ଷତିଗ୍ରସ୍ତ ହେବାକୁ ବସିଛି। କଟା ହୋଇ ବିଲରେ ପଡ଼ିଥିବା ଧାନ କଚଡ଼ା ଓ କଟା ହୋଇନଥିବା ଧାନ ଏହି ବର୍ଷା ଯୋଗୁଁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଯଦି ଏହି ବର୍ଷା ଲାଗିରହେ, ଚାଷୀ ବିଲରୁ ପାଚିଲା ଧାନ ଅମଳ କରି ଖଳାକୁ ଆଣିବା ସମ୍ଭବ ହେବ ନାହିଁ। ବିଲରେ ହିଁ ପାଚିଲା ଧାନ ନଷ୍ଟ ହୋଇଯିବ। ଫଳରେ ବର୍ଷକର ଭାତହାଣ୍ଡି ଉଜୁଡ଼ିଯିବାକୁ ବସିଛି। ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍ ଅଞ୍ଚଳର ଚାଷୀମାନେ ଏଭଳି ଦୁର୍ଦ୍ଦଶା ଭୋଗିବା ଆଶଙ୍କା ଦେଖାଯାଇଛି। କେବଳ ସେତିକି ନୁହେଁ, ଏହି ବର୍ଷା ଯୋଗୁଁ ପରିବା ଚାଷ ପ୍ରଭାବିତ ହେବ। ପରିବା ଚାଷୀ କ୍ଷତିଗ୍ରସ୍ତ ହେବା ସାଙ୍ଗକୁ ପରିବା ବଜାରରେ ନିଆଁ ଲାଗିଯିବ।
ଚାଷୀମାନଙ୍କ ସୂଚନାନୁସାରେ ଏବେ ସବୁ ଅଞ୍ଚଳରେ ଧାନ ପାଚି ଯାଇଛି। ମାତ୍ର ଶତକଡା ୧୦ ଭାଗ ଅମଳ ହୋଇଛି। ଯେଉଁ ୧୦ ଶତକଡ଼ା ଧାନ ଅମଳ ହୋଇଛି, ସେସବୁ ଚାଷୀ ଘରକୁ ଆଣିପାରିନାହିଁ। ବିଲରେ କଟା ହୋଇ କଚଡ଼ା ପଡ଼ିଛି। ଆଜି ବର୍ଷାରେ ବିଲରେ ପାଣି ଜମିଲାଣି। ଫଳରେ କଚଡ଼ା ବୁଡ଼ିବାକୁ ବସିଛି। ଯଦି ବର୍ଷା ଲାଗି ରୁହେ, କଚଡ଼ା ସବୁ ବୁଡ଼ିଯିବ ଏବଂ ଧାନ ନଷ୍ଟ ହୋଇଯିବ। ସେହିଭଳି ଯେଉଁ ବିଲରେ ଧାନ କଟା ହୋଇନାହିଁ, ପବନରେ ପାଚିଲା ଗଛ ଭାଙ୍ଗିପଡୁଛି। ସେସବୁ ଜମି ଖାଲୁଆ ହୋଇଥିବାରୁ ଅଳ୍ପ ଅଳ୍ପ ପାଣି ଅଛି। ଆଉ ଅଧିକ ବର୍ଷା ହେଲେ ଜମିଥିବା ପାଣି ବଢ଼ିବ। ଭାଙ୍ଗି ପଡ଼ିଥିବା ଗଛର ଅଗ୍ରଭାବ ପାଣିରେ ବୁଡ଼ିଯିବ ଏବଂ ପାଚିଲା ଧାନ ଗଜା ହେବାର ଆଶଙ୍କା ରହିଛି। ସେତିକି ନୁହେଁ, ବିଲରେ ପାଣି ଜମିରହିଲେ, ଅମଳ ପାଇଁ ମେସିନ୍ ପଶିବା ସମ୍ଭବ ହେବ ନାହିଁ। ଶ୍ରମିକ ଲଗାଇ କାଟିବାକୁ ପଡ଼ିବ। ଫଳରେ ମଜୁରି ବାବଦରେ ଅଧିକ ଖର୍ଚ୍ଚ ହେବ।
ସେହିପରି ପରିବା ଚାଷ ମଧ୍ୟ ବେଶି ପ୍ରଭାବିତ ହେବ ବୋଲି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଶୀତଦିନିଆ ପରିବା ଯଥା କୋବି, ବାଇଗଣ, କଲରା, ଝୁଡ଼ୁଙ୍ଗ, ମୂଳା, ଆଳୁ, ପିଆଜ, କାଙ୍କଡ଼, କୋଶଳା, ଧନିଆ ପ୍ରଭୃତି ଫସଲର ଏବେ ଅମଳ ସମୟ। ଲଗାଣ ବର୍ଷା ହେଲେ ବହୁ ପରିବା ଗଛରେ ପୋକ ମାଡ଼ିଯିବେ। ବିଶେଷକରି କୋବି ଚାଷ ଛାରଖାର ହୋଇଯିବ। ଆଜି ଦିନକରେ ଯେତିକି ବର୍ଷା ହେଇଛି, କୋବି ଚାଷକୁ ନଷ୍ଟ କରିବା ଯଥେଷ୍ଟ। ଭଲ ରୋଜଗାର ଦେବା ବେଳକୁ ବର୍ଷା କୋବି ଚାଷୀଙ୍କ ତଣ୍ଟିରେ ଠିଆ ହୋଇଛି। ହଜାର ହଜାର ଟଙ୍କା ବ୍ୟୟ ସାଙ୍ଗକୁ ଚାଷୀର ଅକ୍ଳାନ୍ତ ପରିଶ୍ରମ ସବୁ ପାଣିରେ ଯିବ ବୋଲି ପରିବା ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ବଜାର ଦର ଯେମିତି ବାଧୁଛି, ଏହି ବର୍ଷା ଯୋଗୁଁ ପରିବା ବଜାରରେ ନିଆଁ ଲାଗିବ ବୋଲି ବଜାର ବିଶେଷଜ୍ଞମାନେ କହିଲେଣି।
ବାଲିଅନ୍ତା ବ୍ଲକ୍ର ଚାଷୀମାନଙ୍କ କହିବା କଥା କିଛି ଚାଷୀ ମେସିନ୍ରେ ଧାନ ଅମଳ କରିଥିଲେ ହେଁ ତାହା ଶୁଖିନାହିଁ। କଞ୍ଚା ବା ଓଦା ଧାନ ବସ୍ତାରେ ରହିଲେ, ଫିମ୍ପିମାରି ଗମ ହୋଇଯିବ। ବହୁ ଚାଷୀ ଧାନ ଛଣ ଅମଳ କରିବା ଆଶାରେ ହାତରେ ଧାନ କାଟି ବିଲରେ କଚଡ଼ା ପକାଇଛନ୍ତି। ବୁଧବାର ବର୍ଷାରେ କଚଡ଼ା ସବୁ ଭିଜିଯାଇଛି। ଏହି ବ୍ଲକ୍ରେ ଚଳିତ ବର୍ଷ ଭଲ ପନିପରିବା ଚାଷ ହୋଇଛି। କିନ୍ତୁ ବର୍ଷା ଯୋଗୁଁ ବାଇଗଣ, ଫୁଲକୋବି ଓ ବନ୍ଧାକୋବି ଆଦି ଫସଲକୁ ପୋକ ବିନ୍ଧିବା ନିଶ୍ଚିତ।