ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଜାପାନ ସହିତ ଦିନଟିଏ’

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ମାନବ ବିଜ୍ଞାନ ବିଭାଗ ପରିସରରେ ଜାପାନୀ ଭାଷା ଶିକ୍ଷା ପ୍ରକଳ୍ପ ତରଫରୁ ‘ଜାପାନ ସହିତ ଦିନଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଡ. କାହ୍ନୁଚରଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର ଯୋଗଦେଇ ଜାପାନରେ ତାଙ୍କ ଦୀର୍ଘ ରହଣି କାଳର ଅନୁଭୂତି ଆଧାରରେ ଜାପାନୀ ଭାଷା, ସଂସ୍କୃତି ଓ ଜୀବନଶୈଳୀର ବିଶେଷତା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଗତ ଦୁଇ ସପ୍ତାହ ଧରି ଜାପାନୀ ଭାଷା ଶିକ୍ଷା ଦେଉଥିବା ଅତିଥି ଅଧ୍ୟାପିକା ନିଷ୍ଠା ଆହୁଜା ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ନବୀନ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କର ମାର୍ଗଦର୍ଶନ କରାଇଥିବା ବେଳେ ଜାପାନରୁ ଆଭାସୀ ମାଧ୍ୟମରେ ସିଧାସଳଖ ଯୋଗଦେଇ ସେଠାରେ ଅବସ୍ଥାପିତ ଓଡ଼ିଆ ଉଦ୍ୟୋଗୀ ପଲକ ତ୍ରିପାଠୀ ନିଜର ଅନୁଭୂତି ବାଣ୍ଟିଥିଲେ।

ପ୍ରାଧ୍ୟାପକ ପ୍ରସନ୍ନ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଜାପାନୀ କଳା ଓରିଗାମି, ଚପଷ୍ଟିକରେ ଖାଦ୍ୟ ଖାଇବା ଓ ଜାପାନୀ ଲୋକନୃତ୍ୟ (ବୋନ ଓଦୋରି) ଆଦି ପରିବେଷଣ କରାଯାଇଥିଲା। ମାନବ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଫେସର୍‌ ଉପାଲି ଅପରାଜିତା ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ଓ ଅତିଥି ଅଧ୍ୟାପିକାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧିତ ଖବର