ଭୁବନେଶ୍ବର: ଚଳିତ ବର୍ଷ ନୂଆପଲ୍ଲୀ ଦୁର୍ଗାପୂଜା ସମିତି ଏହାର ୩୮ତମ ପୂଜା ପାଳନ କରିବାକୁ ଯାଉଛି। ପୂଜାକୁ ଆଉ ମାସେରୁ କମ୍ ସମୟ ଥିବାରୁ ଏବେଠାରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏଥର ନୂଆପଲ୍ଲୀ ପୂଜାମଣ୍ଡପ ଗେଟ୍ର ତୋରଣକୁ ‘କୁଚିପୁଡ଼ି ନୃତ୍ୟ’ର ରୂପ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ତୋରଣ ଶ୍ରଦ୍ଧାଳୁଙ୍କ ମନରେ ସମୃଦ୍ଧ ଭାରତୀୟ ସଂସ୍କୃତିର ଛାପ ଛାଡ଼ିବ। ୮୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ତୋରଣ ରାଜଧାନୀର ବିଭିନ୍ନ ପ୍ରମୁଖ ପୂଜାମଣ୍ଡପର ତୋରଣଠାରୁ ଅଧିକ ଆକର୍ଷଣୀୟ ହେବ ବୋଲି କମିଟି ପକ୍ଷରୁ ଦାବି କରାଯାଇ୍ରାଛି।
ତୋରଣର ଉଚ୍ଚତା ୭୫ ଫୁଟ ରହିଥିବା ବେଳେ ଏହାର ଚଉଡ଼ା ୧୨୦ ଫୁଟ ରହିଛି। ୪୦ଜଣ ବଙ୍ଗୀୟ କାରିଗର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନୁରୂପ ଭାବେ ମା’ଙ୍କ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ ଓ ମେଢ଼ର ଉଚ୍ଚତା ୨୨ ଫୁଟ ରହିବ। ପଶ୍ଚିମବଙ୍ଗର ଅଭିଜ୍ଞ ମୂର୍ତ୍ତି ନିର୍ମାତା ଶକ୍ତି ଦାଦା ମୂର୍ତ୍ତି ନିର୍ମାଣ ଭାର ନେଇଛନ୍ତି। ପୂଜାମଣ୍ଡପରେ ୪ଟି ଫାଟକ ରହିବ। ସବୁଠାରୁ ଆକର୍ଷଣୀୟ ହେବ ଆଲୋକୀକରଣ ବ୍ୟବସ୍ଥା। ଦୁଇକିମି ବ୍ୟାପୀ ଏହି ଆଲୋକ ସାଜସଜ୍ଜା କରାଯିବ। ୭୦ଟି ଏଲ୍ ସାଇଜ୍, ୭୦ଟି ସିଙ୍ଗଡ଼ା ସାଇଜ୍ ଓ ରାଇସ୍ ମାଳ ଆଲୋକରେ ନୂଆପଲ୍ଲୀ ଅଞ୍ଚଳ ଚମକିବ।
ସମୃଦ୍ଧ ଭାରତୀୟ ସଂସ୍କୃତିର ଛାପ ଛାଡ଼ିବ
ବିନା ବାଣରେ ଜଳିବ ୫୦ଫୁଟର ରାବଣ
ଭସାଣିରେ ଭାଗନେବେ ୨୨ ମେଢ଼
୨କିମି ବ୍ୟାପୀ ଆଲୋକସଜ୍ଜା
ଏଥିରେ ୯ଟି ବଡ଼ ଗେଟ୍ ମଧ୍ୟ ରହିବ। ନୂଆପଲ୍ଲୀ ଥାନା ଛକଠାରୁ କଳିଙ୍ଗଷ୍ଟାଡିୟମ୍ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବକୁ ଆଲୋକମାଳାରେ ସଜ୍ଜାଯିବ। ମନୋରଂଜନ ପାଇଁ ମୀନାବଜାର ସହିତ ୧୨୦ଟି ଷ୍ଟଲ୍ ଓ ହସ୍ତତନ୍ତର ବିକାଶ ଲାଗି ‘ନାବାର୍ଡ’ ସହଯୋଗରେ ୯ଟି ଷ୍ଟଲ୍ ପଡ଼ିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଇଦିନ ଭଜନ, ଦୁଇଦିନ ମେଲୋଡ଼ି ଓ ଗୋଟିଏ ଦିନ ରେକର୍ଡ ଡ୍ୟାନ୍ସ ଅନୁଷ୍ଠିତ ହେବ। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା କରାଯିବ। ରାବଣପୋଡ଼ି ଉତ୍ସବ ମଣ୍ଡପ ସମ୍ମୁଖ କସ୍ତୁରବା ପଡ଼ିଆରେ ଅନୁଷ୍ଠିତ ହେବ। ବିନା ବାଣରେ ୫୦ଫୁଟର ରାବଣ ପୋଡ଼ାଯିବ।
ବିଏମ୍ସି ପକ୍ଷରୁ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା କରାଯିବା ସହିତ କ୍ୟାପିଟାଲ୍ ହସ୍ପିଟାଲ୍ ସହଯୋଗରେ ଅସ୍ଥାୟୀ ଫାଷ୍ଟଏଡ୍ ରୁମ୍, ପୁଲିସ ସହାୟତା କେନ୍ଦ୍ର ରହିବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୭୦ଟି ସିସି କ୍ୟାମେରା ଓ ବଡ଼ବଡ଼ ଡିଜିଟାଲ୍ ଏଲ୍ଇଡି ୱିଣ୍ଡୋରେ ଲାଇଭ୍ ଚାଲିବ। ୨ଶହରୁ ଅଧିକ ଭଲ୍ୟୁଣ୍ଟିୟର୍, ଏସ୍ଏଚ୍ଜି ଗ୍ରୁପ୍ ଓ କିନ୍ନର ସଂଘ ସହଯୋଗ କରିବେ। ସେହିପରି ଶ୍ରଦ୍ଧାଳୁମାନଙ୍କ ପାଇଁ କସ୍ତୁରବା ପଡ଼ିଆରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯିବ। ମଣ୍ଡପ ନିକଟ ପଡ଼ିଆରେ ରାଜଧାନୀ ଭସାଣି ସୁରକ୍ଷା କମିଟି ଆନୁକୂଲ୍ୟରେ ହେବାକୁ ଥିବା ଭସାଣି ଉତ୍ସବରେ ୨୨ଟି ମେଢ଼ ଅଂଶଗ୍ରହଣ କରିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥିରେ ପାରମ୍ପରିକ ବାଦ୍ୟ, ନୃତ୍ୟ ପରିବେଷଣ କରାଯିବ। ଚଳିତ ବର୍ଷ ଶୃଙ୍ଖଳିତ ଢଙ୍ଗରେ ପୂଜା ଆୟୋଜନ ଲାଗି ନୂଆପଲ୍ଲୀ ଦୁର୍ଗାପୂଜା ସମିତିର ପ୍ରତିଷ୍ଠାତା ସନାତନ ବେହେରାଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ଅଣ୍ଟା ଭିଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/03/dgdaggddga-2025-09-03-05-26-18.jpg)