ବିଏମ୍‌ସି ପରିଦର୍ଶନରେ ପାଟନା ମହାନଗର ନିଗମ ପ୍ରତିନିଧି

ଭୁବନେଶ୍ବର: ସାରା ଦେଶରେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଭୁବନେଶ୍ବରରେ କ’ଣ ସବୁ ଭଲ କାମ ହେଉଛି, ତାହା ଦେଖିବା ପାଇଁ ବିହାରର ପାଟନା ମହାନଗର ନିଗମର ଚାରି ଜଣିଆ ପ୍ରତିନିଧି ଦଳ ଭୁବନେଶ୍ବର ଆସିଛନ୍ତି। ବିଏମ୍‌ସିର କ’ଣ ସବୁ ଭଲ ଅଭ୍ୟାସ ଅଛି, କାର୍ଯ୍ୟ ପଦ୍ଧତି, ନାଗରିକ ସଂଯୋଗ, ଗୋଷ୍ଠୀ ସହଭାଗିତା, ବର୍ଜ୍ୟ ପରିଚାଳନା ଆଦି ବିଷୟରେ ବୁଝିବା ସହ ଏଗୁଡ଼ିକୁ ବୁଲି ଦେଖିଛନ୍ତି ଏହି ପ୍ରତିନିଧି ଦଳ।

ପାଟନା ମହାନଗର ନିଗମର ଅତିରିକ୍ତ କମିସନର୍‌ ଦେବେନ୍ଦ୍ର ପ୍ରସାଦ ତିୱାରୀଙ୍କ ସହ ନିଗମର ଷ୍ଟାଣ୍ଡିଂ କମିଟି ସଦସ୍ୟ ମନୋଜ କୁମାର ଜସୱାଲ, ଆଶିଷ ସିହ୍ନା, ବିକାଶ କୁମାର ମେହେଟ୍ଟା ପ୍ରମୁଖ ଆସିଥିବା ବେଳେ ସେମାନଙ୍କୁ ବିଏମ୍‌ସି କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଏମ୍‌ସି ଅତିରିକ୍ତ କମିସନର୍‌ ସୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିସନର ଶୁଭେନ୍ଦୁ ସାହୁ ପ୍ରମୁଖ ଏହି ପ୍ରତିନିଧି ଦଳକୁ ଭୁବନେଶ୍ବରରେ କିପରି ବର୍ଜ୍ୟବସ୍ତୁର ବିଜ୍ଞାନସମ୍ମତ ପ୍ରକ୍ରିୟାକରଣ ହେଉଛି, ଗୋଷ୍ଠୀ ସହଭାଗିତାରେ କୋଭିଡ-୧୯ ନିୟନ୍ତ୍ରଣ କରାଯାଉଛି, ବସ୍ତି ଅଞ୍ଚଳ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି, ମଳ ଉପଚାର, ସେସ୍‌ପୁଲ୍‌ ସେବା, ସ୍ମାର୍ଟ ଜନପଥ, ସ୍ମାର୍ଟ ଟଏଲେଟ୍‌, ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍, ବାସୁଆଘାଇ ସ୍ବେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ, କମ୍ପୋଷ୍ଟ ପ୍ଲାଣ୍ଟ, ଯାନ୍ତ୍ରିକ ସଫେଇ, ଶିଶୁଉପଯୋଗୀ ସହରର ପରିକଳ୍ପନା ଓ ଅଗ୍ରଗତି, ପାର୍କ ପରିଚାଳନା, ସୋସିଆଲି ସ୍ମାର୍ଟ ପ୍ରକଳ୍ପ ଇତ୍ୟାଦି ବୁଲାଇ ଦେଖାଇବା ସହ ସବିଶେଷ ବୁଝାଇଛନ୍ତି। ଏହାସହ ବିଏମ୍‌ସି କିପରି ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରୁଛନ୍ତି ଓ ସମାଧାନ କରୁଛି ତାହା ଦେଖିଥିଲେ।

ସମ୍ବନ୍ଧିତ ଖବର