ଭିନ୍ନ ଏକ କୁଟୀର ଶିଳ୍ପ: ସୋସିଆଲ୍‌ ମିଡିଆରେ ୩ ଯାଆଙ୍କ ‘ସ୍ମାଇଲ୍‌ ପିଠା’

ଭୁବନେଶ୍ବର: ଆଜିକାଲିର ଅତ୍ୟାଧୁନିକ ଜୀବନ‌ଶୈଳୀରେ ବି ଓଡ଼ିଆ ଘରେ ବହୁ ପୁରୁଣା ପରମ୍ପରା ବଞ୍ଚି ରହିଛି। ପୋଷାକରେ ପ୍ଲାଜୋ, ଟ୍ୟୁବ୍‌ଟପ୍‌, ଏ-ଲାଇନ୍‌ ଡ୍ରେସ୍‌ ପ୍ରବେଶ କରିଥିଲେ ବି ଶାଢ଼ିର ସ୍ଥାନ ପୂର୍ବ ଭଳି ସେମିତି ସ୍ବତନ୍ତ୍ର ହୋଇ ରହିଛି। ଠିକ୍‌ ସେମିତି ଖାଦ୍ୟ‌ରେ ପିଜା, ବର୍ଗର ପଶି ଆସିଥିଲେ ବି ପିଠାର ମହକ ଲିଭି ଯାଇନାହିଁ। କାକରା, ଆରିସା, ମଣ୍ଡା, ଏଣ୍ଡୁରି ଓ ପୋଡ଼ପିଠାର ସ୍ଥାନ ପୂର୍ବଭଳି ମଜଭୁତ୍ ଅଛି। ତେଣୁ ଓଡ଼ିଆ ଘରର ଏହି ପିଠା ଆଜି ଅନ୍‌ଲାଇନ୍‌ ବଜାରକୁ କବ୍‌ଜା କରିବା ଆରମ୍ଭ କରିଛି। କିଛି ଲୋକ ଏହାକୁ ଏକ କୁଟୀର ଶିଳ୍ପ ଭାବେ ଗ୍ରହଣ କରି ରୋଜଗାରର ମାଧ୍ୟମ କରିପାରିଛନ୍ତି। ରାଜଧାନୀରେ ଏମିତି ଏକ ନିଆରା ପ୍ରୟାସରୁ ଜନ୍ମ ନେଇଛି ‘ସ୍ମାଇଲ୍ ପିଠା’। ନୂଆପଲ୍ଲୀରେ ତିନି ଯାଆଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ‘ସ୍ମାଇଲ୍‌ ପିଠା’ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି।

ନୂଆପଲ୍ଲୀ ମହାନ୍ତି ପରିବାରର ଏହି ତିନି ଯାଆ ହେଲେ, ସୁଜାତା ଦାସ, ଜୟସ୍ମିତା ମହାନ୍ତି ଓ ତୃପ୍ତିମୟୀ ମହାନ୍ତି। ତିନି ଜଣଯାକ ପିଠା ତିଆରିରେ ବେଶ୍ ପାରଙ୍ଗମ। କାକରା, ଆରିସା, ଏଣ୍ଡୁରି, ମଣ୍ଡା ଭଳି ଓଡ଼ିଆ ଘରର ପିଠା ତିଆରି କରିବାରେ ସେମାନେ ବେଶ୍ ସିଦ୍ଧହସ୍ତ। କେହି କାହାଠାରୁ କମ୍ ନୁହଁନ୍ତି। ପୁର ତିଆରିଠାରୁ ଆରମ୍ଭ କରି ଜନ୍ତା ପ୍ରସ୍ତୁତ ପର୍ଯ୍ୟନ୍ତ ସମସ୍ତେ ଏକକୁ ଆରେକ ବଳି। ସେମାନଙ୍କ ଏହି କଳାକୁ ସେମାନେ ଆଉ ନିଜ ଘର ଭିତରେ ସୀମିତ ରଖିନାହାନ୍ତି। ଗତ ରାଖୀ ପୂର୍ଣ୍ଣିମାଠାରୁ ସେମାନେ ସେମାନଙ୍କ ହାତର ଏହି ଯାଦୁକୁ ଅନ୍‌ଲାଇନ୍‌ ବଜାରକୁ ଛାଡ଼ି ଦେଇଛନ୍ତି। ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କ ପିଠା ଆଜି ଛାଇ ଯାଇଛି। ତେଣୁ ବିଭିନ୍ନ ସମୟରେ ସେମାନଙ୍କ ପାଖକୁ ବରାଦ ଆସୁଛି। ତିନି ଯାଆ ଏକାଠି ବସି ପିଠା ପ୍ରସ୍ତୁତରେ ଲାଗି ପଡ଼ନ୍ତି। ବଡ଼ ଯାଆ ସୁଜାତାଙ୍କ ନିର୍ଦ୍ଦେଶ ଅନୁସାରେ, କିଏ ଜନ୍ତିବାରେ ଲାଗିପଡ଼ନ୍ତି ତ କିଏ ପୁର ତିଆରି କରନ୍ତି। ଭଲ ତେଲ, ଘିଅ ବ୍ୟବହାର କରୁଥିବା ବେଳେ ପୁର ତିଆରି ପାଇଁ ଭଲ ନଡ଼ିଆ, ଗୁଡ଼ ବା ଚିନି, ଅଳେଇଚ, ଗୁଜୁରାତି ଆଦି ମସଲା ପକାଉଛନ୍ତି। ବରାଦ ଅନୁସାରେ ପୁରରେ କାଜୁ ଖିସିମିସ୍‌ ବି ପଡ଼ୁଛି। ପିଠା ଯେମିତି ଅଧିକ ଦିନ ରହିଲେ ଖରାପ ହେବ ନାହିଁ, ସେଥିପାଇଁ ସେମାନେ ଭଲ ଘିଅ ବା ‌ତେଲ‌ରେ ଛାଣୁଛନ୍ତି। ବରାଦ ଅନୁସାରେ ଡେଲିଭରି ପାଇଁ ଦୁଇଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଫଳରେ ନିଜେ କିଛି ରୋଜଗାର କରିବା ସହ ଦୁଇଜଣ ଡେଲିଭରି ବୟଙ୍କୁ ବି ରୋଜଗାର ଦେଇ ପାରିଛନ୍ତି। ଆଗକୁ ବରାଦ ବଢ଼ିଲେ, ସେମାନେ ଜମାଟୋ ବା ସ୍ବିଗି ଭଳି ସଂସ୍ଥାର ସହଯୋଗ ନେବେ ବୋଲି କହିଛନ୍ତି।

ବଡ଼ କଥା ହେଉଛି, ସେମାନଙ୍କ ଏହି ପ୍ରୟାସ ଆଉ ଏକ ଭିନ୍ନ ଦିଗର ସୂଚକ ହୋଇପାରିଛି। ଆଜିକାଲି ‌ଯୌଥପରିବାର ଭାଙ୍ଗି ପଡ଼ୁଥିବା ବେଳେ ତିନି ଯାଆଙ୍କ ଏହି ମିଳିତ ପ୍ରୟାସ ଆଜି ରାଜଧାନୀରେ ଏକ ଉଦାହରଣ ପାଲଟିଛି। ସ୍ଥାନୀୟ ଲୋକେ ତିନି ଯାଆଙ୍କୁ ବେଶ୍ ପ୍ରଶଂସା କରୁଛନ୍ତି। ଘରର ଯାବତୀୟ କାମ ପରେ ବି ତିନି ଯାଆ ମିଶି ପିଠା ତିଆରି ଭଳି କଷ୍ଟକର କାମ କରିପାରୁଛନ୍ତି ବୋଲି ସମସ୍ତେ ପ୍ରଶଂସା କରୁଛନ୍ତି। ସ୍ମାଇଲ୍‌ ପିଠା ଜରିଆରେ ସେମାନେ ନିଜ ପରିବାରରେ ସ୍ମାଇଲ୍‌(ସ୍ମିତ ହସ) ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ଉତ୍ତମ ଗୁଣମାନର ସ୍ବାଦିଷ୍ଟ ପିଠା ଦେଇ ଗ୍ରାହକଙ୍କ ମୁହଁରେ ସ୍ମାଇଲ୍‌ ଖେଳାଇବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି। ସାନ ଯାଆ ତୃପ୍ତିମୟୀଙ୍କ କହିବା କଥା, ଧୀରେଧୀରେ ତାଙ୍କ ପିଠାର ବଜାର ଚାହିଦା ବଢ଼ୁଛି। ଗତ ଜନ୍ମାଷ୍ଟମୀ ପାଇଁ ଭଲ ବରାଦ ହୋଇଥିଲା। ବିବାହ ଉତ୍ସବରେ ଭାର ଦେବା ପାଇଁ ବି କିଛି ବରାଦ ଆସିଲାଣି। ଏବେ ଗ୍ରାହକମାନେ ଦୂର ଯାତ୍ରା ବେଳେ (ରେଳଯାତ୍ରା) ରାସ୍ତାରେ ଖାଇବା ପାଇଁ ପିଠା ବରାଦ କରୁଛନ୍ତି। ତେଣୁ ଆଗକୁ ସେମାନଙ୍କ ବ୍ୟବସାୟ ଭଲ ଚାଲିବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର