ଭୁବନେଶ୍ୱର: ପାରମ୍ପରିକ ପରିବେଶରେ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ତଥା ଶିଳ୍ପୀଙ୍କୁ ସେମାନଙ୍କ ସାମଗ୍ରୀର ବ୍ୟବସାୟ ପାଇଁ ସୁଯୋଗ ଦେବାକୁ ୨୦୦୨ ମସିହାରୁ ଆରମ୍ଭ ହୋଇଥିଲା ଏକାମ୍ର ହାଟ। ସହରର ମଧ୍ୟଭାଗରେ ଗ୍ରାମ ପରିବେଶର ଝଲକ ସୃଷ୍ଟି ହେଉଥିବାରୁ ସେତେବେଳେ ଏଠାରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହେଉଥିଲା। ହେଲେ ପରିଚାଳନାଗତ ବିଭ୍ରାଟ ଓ ଯୋଜନାବଦ୍ଧ ଉଦ୍ୟମର ଅଭାବ ଯୋଗୁ ହାଟଟି ଏବେ ତା’ର ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଇଛି। ହାଟ ମଧ୍ୟରେ ଥିବା ଗ୍ରାମ୍ୟ ପରିବେଶ ଆଉ ଦେଖିବାକୁ ମିଳୁନାହିଁ। ଏଠି ଆଉ ନିୟମିତ କଳା ପ୍ରଦର୍ଶନୀ ହେଉନି। ଯେଉଁ ଷ୍ଟଲ୍କୁ ଯିବ ସବୁଠି ତାଲା। ହାତଗଣତି କିଛି ଦୋକାନକୁ ଛାଡ଼ି ଦେଲେ ଅଧିକାଂଶରେ ତାଲା ଝୁଲୁଛି। କେବଳ କେତୋଟି ହୋଟେଲ ପାଇଁ ହାଟ ଚାଲିଛି।
୨୦୨୦ ମସିହାରେ ଏହାର ନବୀକରଣ ସମୟରେ ହାଟ ପରିସରରେ ଗ୍ରାମ୍ୟ ପରିବେଶ ପ୍ରତି ଧ୍ୟାନ ଦିଆଗଲା ନାହିଁ। ନବୀକରଣ ଯୋଗୁଁ ମଧ୍ୟସ୍ଥଳରେ ଥିବା ଛୋଟ କୃତ୍ରିମ ପୁଷ୍କରିଣୀକୁ ଆଧୁନିକ ଫାଉଣ୍ଟେନରେ ପରିଣତ କରାଗଲା। ହେଲେ ଏହା ଅଚଳ ହୋଇ ପଡ଼ିରହିଛି। ପୂର୍ବରୁ ଏହି ପୁଷ୍କରିଣୀରେ ବହୁ ସାଂସ୍କୃତିକ ଅନୁଷ୍ଠାନ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଉଥିଲେ। ହେଲେ ବର୍ତ୍ତମାନ ତାହା ଅଚଳ ପଡ଼ିଛି। ସେହିପରି ହାଟରେ ସୌନ୍ଦର୍ଯୀକରଣ ପାଇଁ କାଠରେ କରାଯାଉଥିବା ବିଭିନ୍ନ କଳାକୃତି ତା’ର ଆକର୍ଷଣ ହରାଇଲାଣି। କାଠ ସାମଗ୍ରୀରେ କଳା ଦାଗ ମାଡ଼ିଗଲାଣି। କିଛି କାଠରେ ଉଇ ଲାଗିଗଲାଣି। କେବଳ ସେତିକି ନୁହେଁ ମୁକ୍ତାକାଶ ମଞ୍ଚ ମଧ୍ୟ ତା’ର ଆକର୍ଷଣ ହରାଇଲାଣି। ମଞ୍ଚର ଦର ହଠାତ୍ ବଢ଼ିଯାଇଥିବାରୁ କାର୍ଯ୍ୟକ୍ରମ ସଂଖ୍ୟା କମୁଛି ବୋଲି ସ୍ଥାନୀୟ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଷ୍ଟଲ୍ ଆବଣ୍ଟନରେ ସ୍ୱଚ୍ଛତା ରହୁନି। ବର୍ତ୍ତମାନ ଏହାର ଦାୟିତ୍ୱ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍)ର ହାତରେ ରହିଛି।
ସଂଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜାଙ୍କ କହିବା ଅନୁଯାୟୀ ନବୀକରଣ ପରେ ଗ୍ରାମ୍ୟ ସୌନ୍ଦର୍ଯ୍ୟକୁ ସମୂର୍ଣ୍ଣ ନଷ୍ଟ କରି ଦିଆଯାଇଛି। ପୁଣି ମଞ୍ଚର କୌଣସି ସୌନ୍ଦର୍ଯୀକରଣ ବା ବିକାଶ ନ କରି ଦୁଇଗୁଣ ଭଡ଼ା ବୃଦ୍ଧି ହୋଇଛି। ଏଠାରେ ଥିବା ଷ୍ଟଲ୍ଗୁଡ଼ିକର ଭଡ଼ାରେ ମଧ୍ୟ ଅହେତୁକ ବୃଦ୍ଧି କରାଯାଇଛି। ମଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଜଟିଳ ହୋଇପଡ଼ିଛି। କେବଳ ସେତିକି ନୁହେଁ ଖାଦ୍ୟ ଷ୍ଟଲ ପାଇଁ ଆବେଦନ ସମୟରେ ଅନାବଶ୍ୟକ କାଗଜ ପତ୍ର ମାଗୁଛନ୍ତି ଏବଂ ଯିଏ ଦେଲେ ସେମାନଙ୍କୁ ମଧ୍ୟ ଷ୍ଟଲ ଆବଣ୍ଟନ କରା ଯାଉନାହିଁ। ସିଡାକ୍ କର୍ତ୍ତୃପକ୍ଷଙ୍କ ଇଛା ଉପରେ ଏକାମ୍ର ହାଟ ଭଳି ଏକ ସୁନ୍ଦର ସ୍ଥାନର ଭାଗ୍ୟ ଛାଡ଼ି ନଦେଇ ସରକାର ଏ ବିଷୟରେ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି। ତେବେ ଏନେଇ ସିଡାକ୍ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ହାଟର ଉନ୍ନତୀକରଣ ପାଇଁ ଯୋଜନା ଚାଲିଛି। ହାଟରେ ସୁନ୍ଦର ପଥର ମୂର୍ତ୍ତି ଶୋଭା ପାଇବ। ସେହିପରି ଷ୍ଟଲ୍ର ଆବଣ୍ଟନ ପାଇଁ ମଧ୍ୟ ନୂଆ ନିୟମ ପ୍ରଣୟନ କରାଯିବ ବୋଲି ଅଧିକାରୀଜଣକ କହିଛନ୍ତି।