ଚନ୍ଦ୍ରଶେଖରପୁର : ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ଓ ମେସେଞ୍ଜର ଚାଟ୍‌ ଭଳି ସୋସିଆଲ୍‌ ମିଡିଆରେ ବନ୍ଧୁତା କରି ଜଣେ ନକଲି ଡାକ୍ତର ୨ ଯୁବତୀଙ୍କୁ ଲୁଟିଛି। ଅନ୍‌ଲାଇନ୍‌ ପ୍ରେମ ଦୁଇ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଯୁବତୀମାନେ ପ୍ରତ୍ୟେକ ୨୦ ହଜାର ଟଙ୍କା ଲେଖାଏଁ ହରାଇଥିବା ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ନକଲି ଡାକ୍ତର ଆକାଶ ଦାସକୁ ଖୋଜୁଛି।

Advertisment

ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଆକାଶ ଦାସ ବୋଲି ପରିଚୟ ଦେଇ ଠକ ସୋସିଆଲ୍‌ ମିଡିଆରେ ଆଇଡି ଖୋଲିଥିଲା। ସେ ପଟିଆ ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲ୍‌ରେ ନିଯୁକ୍ତି ପାଇଥିବା ତା’ ଷ୍ଟାଟସ୍‌ରେ ଲେଖିଥିଲା। ଡାକ୍ତର ବେଶରେ ଫଟୋ ଅନ୍‌ଲୋଡ୍‌ କରି ସେ ଫସାଉଥିବା ଯୁବତୀଙ୍କ ମନରେ କୌଣସି ସନ୍ଦେହ ସୃଷ୍ଟି ହେବାକୁ ମଉକା ଦେଉନଥିଲା। ତେବେ ଚାଟିଂ ମାଧ୍ୟମରେ ସେ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇବା ପରେ ନିଜର ସମସ୍ୟା ଦର୍ଶାଇ କିଛି ଟଙ୍କା ଧାର ମାଗୁଥିଲା। ଏମିତିରେ ଅଭିଯୋଗକାରିଣୀ ଦୁଇ ଯୁବତୀ ଠକ ଆକାଶକୁ ଅନ୍‌ଲାଇନ୍‌ରେ ୨୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଠକ ଆକାଶର ଆକାଉଣ୍ଟ ବ୍ଲକ୍‌ ହୋଇଯାଇଥିଲା। ଏମିତିକି ତା ଫୋନ୍‌ ନମ୍ବର ବନ୍ଦ ହୋଇଯାଇଥିଲା। ଠକାମିର ଶିକାର ହୋଇଥିବା ନିଶ୍ଚିତ ହେବା ପରେ ଦୁଇ ଯୁବତୀ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।