ଚନ୍ଦ୍ରଶେଖରପୁର : ଧୂର୍ତ୍ତ ନିଜକୁ ଜଣେ ଡାକ୍ତର ଓ ସମାଜସେବୀ ବୋଲି ପରିଚୟ ଦେଲା। କଥାବାର୍ତ୍ତା, ବେଶଭୂଷାରୁ କିଛି ସନ୍ଦେହ କରିବାର ନଥିଲା। ଦାମୀ କ‌ାର୍‌, ଦାମୀ ପୋଷାକ ସାଙ୍ଗକୁ ଦାମୀ କଥାବାର୍ତ୍ତାରେ ଫର୍ଣ୍ଣିଚର୍‌ ଦୋକାନୀଙ୍କୁ ବଶୀଭୂତ କଲା। ତା’ ପରେ ୮୦ ହଜାର ଟଙ୍କାର ଆସବାବପତ୍ର ନେଇ ଛୁ’ ମାରିଲା। ଆଜି ଚନ୍ଦ୍ରଶେଖରପୁରରେ ଘଟିଥିବା ଏଭଳି ଠକାମି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଦିନ ଦି’ପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ଦୋକାନୀଙ୍କୁ ଭାଲୁ ଧରାଇ ଚମ୍ପଟ ମାରିଥିବା ଧୂର୍ତ୍ତକୁ ଧରିବା ପାଇଁ ଏବେ ପୁଲିସ ଅଣ୍ଡାଳି ହେଉଛି।

Advertisment

ଘଟଣାଟି ଥିଲା ଏମିତି। ଗୁରୁବାର ଦିନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଫର୍ଣ୍ଣିଚର୍‌ ଦୋକାନକୁ ଜଣେ ଯୁବକ କାର୍‌ରେ ଆସିଥିଲେ। ସାଙ୍ଗରେ ଏକ ମିନିଟ୍ରକ୍‌ ବି ଆଣିଥିଲେ। କାର୍‌ ଓ ମିନିଟ୍ରକ୍‌କୁ ବାହାରେ ରଖି ସେ ଦୋକାନ ଭିତରକୁ ଯାଇଥିଲେ। ନିଜକୁ ଡାକ୍ତର ବିକାଶ ବୋଲି ପରିଚୟ ଦେବା ସହ ଜଣେ ସମାଜସେବୀ ବୋଲି ମଧ୍ୟ କହିଥିଲେ। ଘର ପାଇଁ କିଛି ଉପକରଣ କିଣିବାକୁ ସେ ପ୍ରଥମେ ଦେଖାଦେଖି କରିଥିଲେ। ବାଛିବାଛି ଭଲ ଚେୟାର, ଡାଇନିଂ ସେଟ୍‌ ଓ ଅନ୍ୟାନ୍ୟ ଉପକରଣ ପସନ୍ଦ କରିଥିଲେ। ଦର ମୂଲଚାଲ ପରେ ମୋଟ୍ ୮୦ ହଜାର ଟଙ୍କାର ରସିଦ୍ କଟାଯାଇଥିଲା ଏବଂ ଧୂର୍ତ୍ତ ସେସବୁକୁ ମିନି ଟ୍ରକ୍‌ରେ ଲଦିଦେବାକୁ କହିଥିଲେ। ଦୋକାନୀଙ୍କ କର୍ମଚାରୀମାନେ ମିନିଟ୍ରକ୍‌ ଲଦି ଦେଇଥିଲେ ଏବଂ ଟ୍ରକ୍‌ଟି ଚାଲି ଯାଇଥିଲା।

ଠକ ଭିତରେ ରହି ମୋବାଇଲ୍‌ ଜରିଆରେ ଅନ୍‌ଲାଇନ୍‌ ପେମେଣ୍ଟ କରିଥିଲା। ମାତ୍ର ଥରେ ଦି’ଥର ଚେଷ୍ଟା କରିବା ପରେ ଅନ୍‌ଲାଇନ୍‌ ପେମେଣ୍ଟ ହୋଇପାରୁନାହିଁ ବୋଲି କହିଥିଲା। ତେଣୁ କାର୍‌ରେ ଥିବା‌ ନଗଦ ଟଙ୍କା ଆଣିବାକୁ କହି ବାହାରକୁ ଯାଇଥିଲା। ଏତିକିବେଳେ ସନ୍ଦେହ କରି ଦୋକାନୀ ମାଲିକ ଓ ଜଣେ କର୍ମଚାରୀ ତା’ ପଛେ ପଛେ କାର୍‌ ନିକଟକୁ ଯାଇଥିଲେ। କିନ୍ତୁ ଧୂର୍ତ୍ତ କାର୍‌ ଭିତରେ ପଶିବା ମାତ୍ରେ ଗାଡ଼ି ଷ୍ଟାର୍ଟ କରି ଦ୍ରୁତବେଗରେ ପଳାଇଥିଲା। ମାଲିକ ଓ କର୍ମଚାରୀ ଅନ୍ୟ ଏକ ବାଇକ୍‌ ଧରି ତାକୁ ପିଛା କରିଥିଲେ ମଧ୍ୟ ସେ ଅନ୍ତର୍ଧାନ ହୋଇଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ତଦନ୍ତ ଚଳାଇଛି।