ଚନ୍ଦ୍ରଶେଖରପୁର: ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଯୋଗାଉଥିବା ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କେହି ଲକ୍‌ଡାଉନ୍‌/ସଟ୍‌ଡାଉନ୍‌ ସମୟରେ ବାହାରକୁ ବାହା‌ରି ପାରିବେ ନାହିଁ। ଧରାପଡ଼ିଲେ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ୍‌ ଏପରି ଚରମବାଣୀ ଶୁଣାଇବା ସହ ଛକ ଛକ‌‌ରେ ନାକା କରି ଅନବରତ ଚେକିଂ କରୁଛି। କିନ୍ତୁ ଏହା ପରେ ମଧ୍ୟ ରାଜଧାନୀରେ ଚୋରି, ଲୁଟ୍‌, ରାହାଜାନି ଭଳି ଘଟଣା ଘଟୁଛି। ତେବେ କେମିତି ଅପରାଧୀମାନେ ଖୋଲାରେ ବୁଲି ଏଭଳି ଆପରାଧିକ କାଣ୍ଡ ଘଟାଉଛନ୍ତି, ସେନେଇ ପୁଲିସ ଦୀର୍ଘ ଦିନ ଧରି କସରତ ଚଳାଇଥିବା ବେଳେ ଡମଣାରୁ ଆଜି ଏକ ନକଲି ପରିଚୟପତ୍ର ଦୋକାନ ଠାବ କରିବା ପରେ ସମ୍ଭବତଃ ଏହାର କାରଣ ଖୋଜି ପାଇଛି।

Advertisment

ଏହି ଦୋକାନରୁ ଶହଶହ ନକଲି ପରିଚୟପତ୍ର ଠାବ ହୋଇଛି, ଯାହାକୁ ବ୍ୟବହାର କରି ଅମାନିଆ ଓ ଅପରାଧୀମାନେ ନିର୍ଦ୍ବନ୍ଦ୍ବରେ ସହର ସାରା ଘୂରି ବୁଲୁଛନ୍ତି। ଏହି ଘଟଣାରେ ପୁଲିସ ଆଜି ଦୋକାନୀ ସୁବାସ ବେହେରା (୪୯)କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହାସହ ଦୋକାନରୁ ପୁଳାପୁଳା ନକଲି ପରିଚୟପତ୍ର ଜବତ କରିଛି। ଏହି ନକଲି ପରିଚୟପତ୍ରକୁ ସୁବାସ ୫୦ରୁ ଆରମ୍ଭ କରି ୩୦୦ ଟଙ୍କାରେ ବିକ୍ରି କରୁଥିଲା। ତେବେ କେଉଁମାନେ ସୁବାସଠାରୁ ଏପରି ପରିଚୟପତ୍ର କିଣୁଥିଲେ, ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୁବାସର ଘର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ଥାନା ଅଧୀନ ମଣିଜଙ୍ଗା ଓରଡ଼ ଗାଁରେ। ସେ ଏଠାରେ ନୀଳାଦ୍ରିବିହାର ସେକ୍ଟର-୨ରେ ସପରିବା‌ରେ ରହୁଥିବା ବେଳେ ଡମଣାରେ ‘ଜଗନ୍ନାଥ ପ୍ରେସ୍ ଷ୍ଟୋର୍‌’ ନାମରେ ତା’ର ଏକ ଗ୍ରାଫିକ୍‌ ପ୍ରିଣ୍ଟିଂ ପ୍ରେସ ରହିଛି।
ତେବେ ଏହି ଗୋଟିଏ ଦୋକାନ ଠାବ ହେବା ପରେ ଏବେ ପୁଲିସର ଚିନ୍ତା ବଢ଼ି ଯାଇଛି। ସହରରେ ଆହୁରି ମଧ୍ୟ କେତେକ ସ୍ଥାନରେ ଏପରି ବେଆଇନ କାରବାର ଚାଲୁଥିବା ନେଇ ପୁଲିସ ଅନୁମାନ କରିଛି। ତେଣୁ ସେଗୁଡ଼ିକୁ ଖୋଜି ବାହାର କରିବା ପାଇଁ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ସାମ୍ବାଦିକଙ୍କ ଫଟୋ ଧରାଇଦେଲା
‘ସମ୍ବାଦ’ରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କ ଫଟୋ ଆଜି ସୁବାସକୁ ଧରାଇ ଦେଇଥିଲା। ଉକ୍ତ ସାମ୍ବାଦିକଙ୍କ ଫଟୋ ଥିବା ଏକ ନକଲି ପରିଚୟପତ୍ର ତିଆରି କରି ସେଥିରେ ‘ଚିଲିକା ଫ୍ରେସ’ର କର୍ମଚାରୀ ବୋଲି ଉଲ୍ଲେଖ କରି ସୁବାସ ଜଣଙ୍କୁ ବିକିଥିଲା। ନାକା ଗେଟ୍‌ରେ ଉକ୍ତ ବ୍ୟକ୍ତିଙ୍କୁ ଚେକିଂ କରିବା ସମୟରେ କାର୍ଯ୍ୟରତ ପୁଲିସ କର୍ମଚାରୀଜଣଙ୍କ ଉକ୍ତ ସାମ୍ବାଦିକଙ୍କ ଫଟୋ ଚିହ୍ନି ଦେଇଥି‌ଲେ। ପରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ସବୁ ଘଟଣା ପଦାକୁ ଆସିଥିଲା। ଉକ୍ତ ବ୍ୟକ୍ତିଙ୍କ ସୂଚନା ଆଧାରରେ ପୁଲିସ ଆଜି ମଧ୍ୟାହ୍ନରେ ସୁବାସର ଦୋକାନ ଉପରେ ଚଢ଼ଉ କରିଥିଲା।

ସୂଚନାଯୋଗ୍ୟ, ସୁବାସ ଦୋକାନରୁ ଜବତ ହୋଇଥିବା ନକଲି ପରିଚୟପତ୍ରଗୁଡ଼ିକ ବିଭିନ୍ନ ସୁକ୍ୟୁରିଟି ଗାର୍ଡ ସଂସ୍ଥା, ମଲ୍‌, ନର୍ସିଂ, ଗାଡ଼ି ମରାମତି କାରଖାନା ଓ ଡାକ୍ତରଖାନା ନାମରେ ତିଆରି ହୋଇଥିଲା।