ନନ୍ଦନକାନନରେ ବଢ଼ିଲାନି ବବୁନ୍‌ ବଂଶ, ଏକାନ୍ତବାସରେ ଜଗା

ବାରଙ୍ଗ: ଦିନେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ଥିଲେ ବବୁନ୍। ସିଂହ ଭଳି ଦେଖାଯାଉଥିବା ଏହି ପ୍ରାଚୀନ ମାଙ୍କଡ଼ ପ୍ରଜାତିର ହାମାଦ୍ର୍ୟାସ୍ ବବୁନ୍‌କୁ ଦେଖିବାକୁ ୫୩ ନମ୍ବର ଖୁଆଡ଼ ନିକଟରେ ପ୍ରବଳ ଭିଡ଼ ଲାଗୁଥିଲା। ମାତ୍ର ଗତ କିଛି ବର୍ଷ ହେଲା ନନ୍ଦନକାନନରେ ଥିବା ଦୁଇ ବବୁନ୍‌ ଗୋପନବାସ‌ରେ ଅଛନ୍ତି। ପ୍ରାୟ ୬ ମାସ ହେଲା ସେମାନଙ୍କୁ ଦେଖିବାକୁ ମିଳୁନାହିଁ। ନୂଆ ଖୁଆଡ଼ ନିର୍ମାଣ କରାଯାଉଥିବା ବାହାନାରେ ସେମାନଙ୍କୁ ଅଲଗା ରଖାଯାଇଥିବାରୁ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିବାରୁ ବଞ୍ଚିତ ହେଉଛନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଠାରେ ବବୁନ୍‌ ବଂଶ ବୃଦ୍ଧି ଆଶା ସ୍ବପ୍ନରେ ରହିଯାଇଛି। ୨୦୧୦ ମସିହାରୁ ଏଠାରେ ଆଉ ବବୁନ୍ ଶାବକ ଜନ୍ମ ହୋଇନାହାନ୍ତି। ଏବେ ଏଠାରେ ଥିବା ଅଣ୍ଡିରା ବବୁନ୍‌ ‘ଜଗା’(୩୨ ବର୍ଷ ବୟସ) ବୁଢ଼ା ହୋଇଯାଇଥିବା ବେଳେ ମାଈ ବବୁନ୍‌ଟି(୧୫ ବର୍ଷ) ତା’ଠାରୁ ବୟସରେ ବହୁ କମ୍‌। ତେଣୁ ସେମାନଙ୍କ ମିଳନ ହୋଇପାରୁନି। ବହୁ ବର୍ଷ ହେଲା ଜଗା ଏକୁଟିଆ ରହୁଥିବାରୁ ଆଗକୁ ଏମାନଙ୍କଠାରୁ ବବୁନ୍‌ ଶାବକ ଜନ୍ମ ହେବାର ସମ୍ଭାବନା ନାହିଁ। ତେଣୁ ଆଗକୁ ନନ୍ଦନକାନନରେ ବବୁନ୍‌ ବଂଶର ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୯୯୩ ମସିହାରେ ମାଡ୍ରାସ ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୪ଟି ବବୁନ୍‌ଙ୍କୁ ଅଣାଯାଇଥିଲା। ବବୁନ୍‌ ବଂଶ ବୃଦ୍ଧି ଲକ୍ଷ୍ୟରେ ନନ୍ଦନକାନନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଥିଲେ। କର୍ତ୍ତୃପକ୍ଷଙ୍କ ପଦକ୍ଷେପ ମଧ୍ୟ ଫଳପ୍ରଦ ହୋଇଥିଲା। ୨୦୦୬ ମସିହାରେ ୨ଟି ଶାବକ ଜନ୍ମ ନେଇଥିଲେ। ବବୁନ୍‌ ଜଗା ଔରସରୁ ଜନ୍ମିତ ଏହି ଦୁଇ ଶାବକ କିନ୍ତୁ ବଞ୍ଚିନଥିଲେ। ମା’ ବବୁନ୍‌ର ଯତ୍ନ ଅଭାବରୁ ସେମାନେ ମରି ଯାଇଥିଲେ। ପରେ ୨୦୦୭ ଓ ୨୦୦୮ ମସିହାରେ ଆଉ ଦୁଇଟି ଶାବକ ଜନ୍ମ ହୋଇଥିଲେ। ୨୦୧୦ ମସିହାରେ ଏଥିରୁ ଗୋଟିଏ ୨ ବର୍ଷର ଅଣ୍ଡିରା ଛୁଆ ବୁଢ଼ା ବବୁନ୍‌ ଜଗା ଆକ୍ରମଣରେ ଆହତ ହୋଇ ମରିଯାଇଥିଲା।

ପରେ ପରେ ମା’ ବବୁନ୍‌ ମଧ୍ୟ କୌଣସି କାରଣରୁ ମୃତ୍ୟୁବରଣ କରିଥିଲା। ସେହିଦିନରୁ ବଞ୍ଚିଥିବା ମାଈ ବବୁନ୍‌କୁ ଜଗାଠାରୁ ଅଲଗା କରି ରଖାଯାଇଛି। ନିୟମାନୁସାରେ ମାଈ ବବୁନ୍‌ ୫ ବର୍ଷରୁ ଅଧିକ ହେଲେ ଯାଇ ଗର୍ଭଧାରଣ କରିବାକୁ ଯୋଗ୍ୟ ହୋଇଥାଏ। କିନ୍ତୁ ପୂର୍ବରୁ ଏଠାରେ ଜନ୍ମ ନେଇଥିବା ମାଈ ବବୁନ୍‌ଗୁଡ଼ିକ ଉପଯୁକ୍ତ ବୟସ ପୂର୍ବରୁ ଜଗା ଆକ୍ରମଣର ଶିକାର ହୋଇଥିଲେ। ତେଣୁ ଜଗାର ଏଭଳି ଆଚରଣ ପାଇଁ ୨୦୧୦ ମସିହାରୁ ଜଗାକୁ ଏକାନ୍ତବାସରେ ପୃଥକ କରି ରଖାଯାଇଛି। ଏବେ ଏଠାରେ ଥିବା ମାଈ ବବୁନ୍‌ର ବୟସ ୧୫ ବର୍ଷ ବୟସ ହେଲାଣି। କିନ୍ତୁ ତାକୁ ଜଗା ସହ ମିଳନ କରାଇବାକୁ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରିନାହାନ୍ତି। ବଡ଼ କଥା ହେଉଛି ବବୁନ୍‌ର ଆୟୁଷ ୩୫ରୁ ୪୦ ବର୍ଷ ବୟସ ହୋଇଥିବାରୁ ୩୨ ବର୍ଷୀୟ ଜଗା ଆଉ ପ୍ରଜନନକ୍ଷମ ହୋଇନାହିଁ। ତେଣୁ ଏବେ କେବଳ ଅନ୍ୟ ଚିଡ଼ିଆଖାନାରୁ ଯୁବ ବୟସର ବବୁନ୍‌ ଆଣିଲେ ହିଁ ଏଠାରେ ବଂଶବୃଦ୍ଧି ଆଶା କରାଯାଇପାରେ। ମାତ୍ର କର୍ତ୍ତୃପକ୍ଷ ଏଭଳି ଯୋଜନା କରିନାହାନ୍ତି।

ତେବେ ବବୁନ୍‌ଙ୍କ ପାଇଁ ପୁରୁଣା ଢାଞ୍ଚାର ଖୁଆଡ଼କୁ ଭାଙ୍ଗି ନୂଆ ଖୁଆଡ଼ ନିର୍ମାଣ କାର୍ଯ୍ୟ ଚାଲିଛି। ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂଆ ଢାଞ୍ଚାର ଖୁଆଡ଼ ନିର୍ମାଣ ଆରମ୍ଭ ହୋଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା କାମ ସରିବ ବୋଲି ଧାର୍ଯ୍ୟ ହୋଇଥିଲା। ମାତ୍ର ଠିକା ସଂସ୍ଥାର ବିଳମ୍ବ ହେତୁ ପ୍ରକଳ୍ପର ଅଧା ବି ସରିପାରିନାହିଁ। ଫଳରେ ପର୍ଯ୍ୟଟକମାନେ ବବୁନ୍‌ ଦେଖିବାରୁ ବଞ୍ଚିତ ହେଉଥିବା ବେଳେ ବଂଶବୃଦ୍ଧି ଆଶା ମଧ୍ୟ କ୍ଷୀଣ ହେବାରେ ଲାଗିଛି।

୧୫ ଦିନର ଜଳହସ୍ତୀ ଛୁଆକୁ ମାରିଦେଲେ

ବାରଙ୍ଗ/ତ୍ରିଶୁଳିଆ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୫ ଦିନର ଜଳହସ୍ତୀ ଶାବକର ମୃତ୍ୟୁ ହୋଇଯାଇଛି। ୬୨ ନମ୍ବର ଖୁଆଡ଼ରେ ରହୁଥିବା ଏହି ମାଈ ଛୁଆଟି ଏକ ବୟସ୍କ ଅଣ୍ଡିରା ଜଳହସ୍ତୀ ଆକ୍ରମଣରେ ମରିଥିବା ଜଣାପଡ଼ିଛି। ଚଳିତ ମାସ ୪ ତାରିଖରେ ଜନ୍ମଲାଭ କରିଥିବା ଏହି ଛୁଆଟି ଆରମ୍ଭରୁ ହିଁ ଅଣ୍ଡିରା ଜଳହସ୍ତୀର ଆକ୍ରୋଶର ଶିକାର ହୋଇଆସୁଥିଲା। ତେଣୁ ଭୟରେ ସେ ଲୁଚିବା ପାଇଁ ବହୁ ସମୟରେ ମା’ଠାରୁ ଦୂରେଇ ରହୁଥିଲା। ଆଜି ସକାଳୁ ତା’ର ମୃତଦେହ ପାଣି‌ରେ ଭାସୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର କରିବା ପରେ ତା’ ଦେହରେ ଥିବା କ୍ଷତଚିହ୍ନରୁ ତାକୁ ଅଣ୍ଡିରା ଜଳହସ୍ତୀ ମାରି ଦେଇଥିବା ସ୍ପଷ୍ଟ ହୋଇଥିଲା। ଏବେ ନନ୍ଦନକାନନର ଜଳହସ୍ତୀ ସଂଖ୍ୟା ୧୧ ରହିଛି। ତନ୍ମଧ୍ୟରେ ୬ଟି ମାଈ ଓ ୫ଟି ଅଣ୍ଡିରା ଅଛନ୍ତି।

ସମ୍ବନ୍ଧିତ ଖବର