ଖଣ୍ଡଗିରି/ବାରଙ୍ଗ: ନୂଆବର୍ଷ ଆସୁଛି। ବିଳମ୍ବରେ ହେଲେ ବି ଶୀତ ପଡ଼ିଲାଣି। ଅର୍ଥାତ୍ ଏବେ ବଣଭୋଜିର ସମୟ। ଏ ମାହୋଲ ଅତିକମ୍ରେ ଜାନୁଆରି ଶେଷ ପର୍ଯ୍ୟନ୍ତ ଜାରି ରହିବ। ନିତିଦିନିଆ ସହରୀ ଜୀବନରୁ ଦିନଟିଏ ବିରତି ନେଇ ପ୍ରିୟଲୋକଙ୍କ ମେଳରେ ମଉଜ କରିବାଲାଗି ପ୍ରାୟ ସମସ୍ତଙ୍କର ଯୋଜନା ସରିଲାଣି। ତେବେ ଗୋଟିଏ ଭଲକଥା ହେଉଛି, ବଣଭୋଜି ପାଇଁ ଭୁବନେଶ୍ବରବାସୀଙ୍କୁ କେଉଁ ଦୂର ପାହାଡ଼ୀ ଇଲାକାର ତଥାକଥିତ ବଣ ଭିତରକୁ ଯିବାକୁ ପଡ଼ିବନି। ଭୁବନେଶ୍ବର ସହର ଭିତରେ ଏବଂ ଅତିବେଶୀରେ ସହରକୁ ଲାଗିକରି ଥିବା ଏକାଧିକ ସ୍ଥାନରେ ବଣଭୋଜିର ପୂରା ଅନୁଭବ ପାଇବାର ବିସ୍ତୃତ ଆୟୋଜନ ଓ ସୁବିଧା ରହିଛି। ସେସବୁ ବଣଭୋଜି ସ୍ଥଳ ପ୍ରସ୍ତୁତ ହୋଇ ରହିଛି ଆପଣଙ୍କୁ ସ୍ବାଗତ କରିବାଲାଗି। ସବୁଠି ଏବେଠାରୁ ଡିସେମ୍ବର ୩୧ ଓ ଜାନୁଆରି ପହିଲା ବା ନୂଆବର୍ଷ ସହିତ ଅନେକ ଦିନ ପାଇଁ ବୁକିଙ୍ଗ୍ ଆରମ୍ଭ ହୋଇ ଗଲାଣି।
ଶିଖରଚଣ୍ଡୀ
ପାହାଡ଼ ଉପରେ ବଣଭୋଜି କରିବାର ମଜା ନିଆରା। ରାଜଧାନୀରେ ସେଭଳି ନିଆରା ସୁଯୋଗ ରହିଛି ମା’ ଶିଖରଚଣ୍ତୀଙ୍କ ମନ୍ଦିର ଅଞ୍ଚଳରେ। କାହିଁ କେଉଁ କାଳରୁ ଏ ସ୍ଥାନଟି ସେଥିପାଇଁ ପ୍ରସିନ୍ଧି ଲାଭ କରିଛି। ବଣଜଙ୍ଗଲ ଘେରା ପାହାଡ଼ ମଧୢରେ ବଣଭୋଜି କରିବାକୁ ଏଠାରେ ୩୦ଟି ପିଣ୍ତି ରହିଛି। ବିକାଶ କାର୍ଯ୍ୟ ଚାଲିଥିବାରୁ କିଛି ପିଣ୍ଡି ଅବଶ୍ୟ ଭଙ୍ଗା ଯାଇଛି, ତଥାପି ବଣଭୋଜି ପାଇଁ ସମସ୍ତ ପ୍ରକାର ଆବଶ୍ୟକ ସୁବିଧା ସୁଯୋଗ ସେଠାରେ ଅଛି। ବଣଭୋଜି କରିବା ପାଇଁ ଦଳପିଛା ଏଠାରେ ଦେୟ ମାତ୍ର ୨୦୦ ଟଙ୍କା। ପର୍ଯ୍ୟାପ୍ତ ପାନୀୟ ଜଳର ସୁବିଧା ରହିଛି। ରୋଷେଇ ସାମଗ୍ରୀ ମଧ୍ୟ ପାହାଡ଼ତଳେ ଉପଲବ୍ଧ। ପାହାଡ଼ ତଳୁ ଆବଶ୍ୟକ ଉପକରଣ, ଗ୍ୟାସ ଓ କାଠ ଆଦି ନେଇ ଆପଣ ପାହାଡ଼ ଉପରେ ଥିବା କୌଣସି ପିଣ୍ଡିରେ ରୋଷେଇ କରିପାରିବେ।
ଡେରାସ
ଶାନ୍ତ ସ୍ନିଗ୍ଧ ଓ ପ୍ରକୃତିର ଅନୁପମ ବାତାବରଣକୁ ନେଇ ଡେରାସ୍ ବଣଭୋଜି ପାଇଁ ସବୁ ଦୃଷ୍ଟିରୁ ଉତ୍କୃଷ୍ଟ ସ୍ଥାନ। ସହରକୁ ଲାଗି ଚନ୍ଦକା ଅଭୟାରଣ୍ୟ ମଧୢରେ ଥିବା ଡେରାସ ଡ୍ୟାମ୍ରେ ଜଳ ପ୍ରବାହ ସାଙ୍ଗକୁ ଜଙ୍ଗଲୀ ପକ୍ଷୀଙ୍କ କଳରବର ଅନୁଭବ ଅବର୍ଣ୍ଣନୀୟ। ବରମୁଣ୍ତା ବସ୍ଷ୍ଟାଣ୍ଡରୁ ୨୦ କିମି ଭିତରେ ଥିବା ଏହି ସ୍ଥାନରେ ଭୋଜି ପାଇଁ ୧୯ଟି ପିଣ୍ତି ରହିଛି। ବଡ଼ ପିଣ୍ଡିର ମୂଲ୍ୟ ୪୦୦ ଟଙ୍କା ରହିଥିବା ବେଳେ ଛୋଟ ପିଣ୍ଡି ପାଇଁ ୨୦୦ ଟଙ୍କା ଦେୟ ରଖା ଯାଇଛି। ଭୋଜି ପାଇଁ ଆବଶ୍ୟକ ଗ୍ୟାସ, ଚୂଲା, ଦରି, ପାଣି ଓ ରୋଷେଇ ସାମଗ୍ରୀ ଏଠାରେ ଭଡ଼ାରେ ମିଳିବ। ତେବେ ସହର ଭିତରୁ ଯିବାବେଳେ ସାଙ୍ଗରେ ଗ୍ରସୋରି ସମେତ ଅନ୍ୟାନ୍ୟ ଜିନିଷ ନେଇଗଲେ ଭଲ। ଏଠାରେ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଜଣଙ୍କ ପିଛା ପ୍ରବେଶ ଶୁଳ୍କ ୪୦ ଟଙ୍କା। ଛାତ୍ରଛାତ୍ରୀ କିମ୍ବା ଦଳରେ ଭିତରକୁ ଗଲେ ମୁଣ୍ଡପିଛା ଶୁଳ୍କ ୧୦ରୁ ୨୫ ଟଙ୍କା ପଡ଼ିବ। ଡେରାସ୍ ଡ୍ୟାମ୍ରେ ବୋଟିଂ ପାଇଁ ଦେୟ ୧୦୦ ଟଙ୍କା ରଖା ଯାଇଛି। ସେଥିରେ ବୋଟ୍ରେ ଜଳଭଣ୍ଡାର ଭିତରେ ବୁଲିବାର ସୁବିଧା ପାଇବେ। ଜଙ୍ଗଲ ଭିତରେ ବୁଲିବା ପାଇଁ ମଧ୍ୟ ସଫାରି ବ୍ୟବସ୍ଥା ଉପଲବ୍ଧ। ସେଥିପାଇଁ ସ୍ବତନ୍ତ୍ର ଦେୟ ଦେବାକୁ ପଡ଼ିବ। ଡେରାସ ଡ୍ୟାମ୍ର ୪ କିମି ଦୂରରେ ଥିବା ଝୁମୁକା ମଧ୍ୟ ଏକ ବଣଭୋଜି ସ୍ଥଳ। ସେଠାରେ ବଣଭୋଜି ପାଇଁ ଆବଶ୍ୟକ ପିଣ୍ଡି ଓ ପାଣିର ସୁବିଧା ରହିଥିବାରୁ ଏବେଠାରୁ ଲୋକଙ୍କ ଭିଡ଼ ଲାଗି ଗଲାଣି।
ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ
ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି ସଜେଇ ହୋଇଛି ନନ୍ଦନକାନନ ସ୍ଥିତ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଚଳିତ ବର୍ଷ ଯୋଡ଼ା ଯାଇଛି ୩ଟି ନୂଆ ମନୋରଞ୍ଜନର ମାଧ୍ୟମ। ଏହା ମଧ୍ୟରେ ଅଛି ବଣ ଭୋଜି ସ୍ଥଳ ପାଖରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅଣାଯାଇ ସୃଷ୍ଟି କରାଯାଇଥିବା ବାଉଁଶ ଉଦ୍ୟାନ। ସେଠାରେ ଝଙ୍କାଳିଆ ଘଞ୍ଚ ବାଉଁଶ ବୁଦାମୂଳରେ ବସି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ସେଡ୍ ନିର୍ମାଣ କରାଯାଇଛି। ପ୍ରତିବର୍ଷ ଏହି ସମୟରେ ବିଭିନ୍ନ ପ୍ରକାର ରଙ୍ଗୀନ ଫୁଲରେ ଭରପୂର ହୋଇ ଉଠୁଥିବା ମୋଗଲ ଗାର୍ଡେନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାଏ। ଚଳିତ ବର୍ଷ ସେଠାରେ ୪୮ ପ୍ରକାର ନୂଆ କଇଁ, ପଦ୍ମ ଓ ଅନ୍ୟ ଜଳଉଦ୍ଭିଦ ରୋପଣ କରାଯାଇଥିବାରୁ ଏହାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି। ଏଥିସହିତ ଦୀର୍ଘ ୧୨ବର୍ଷ ବନ୍ଦ ରହିବା ପରେ ଗତ ନଭେମ୍ବର ୧୬ରୁ ନବକଳେବର କରି ପୁଣି ଥରେ ନନ୍ଦନକାନନର ଅନ୍ୟତମ ବଡ଼ ଆକର୍ଷଣ ରୋପ୍ୱେ’କୁ ଚାଲୁ କରାଯାଇଛି। ଏ ସମସ୍ତ ସହିତ ରାଜ୍ୟ ଉଦ୍ଭିଦ ଉଦ୍ୟାନର ଅର୍କିଡ ହାଉସ, ଜାପାନୀ ଗାର୍ଡେନ, ଔଷଧିୟ ଉଦ୍ୟାନ, ବୁଦ୍ଧ ପାର୍କ, କୃତ୍ରିମ ଚିଡିଆଖାନା, ଶିଶୁ ଉଦ୍ୟାନ, ଗ୍ରୀନ ହାଉସ, ବିବର୍ତ୍ତନ ଉଦ୍ୟାନ, ହେରିଟେଜ୍, ହାତୀ ମୁଣ୍ଡିଆ ପରିସର, କାଗଜ ଫୁଲ ଉଦ୍ୟାନ, ପ୍ରଜାପତି ଉଦ୍ୟାନ, ତାଳ ଜାତୀୟ ଉଦ୍ୟାନ, କାଚଘର, ଭୂଭାଗ ଦୃଶ୍ୟ, ବଣଭୋଜି ସ୍ଥଳ ଓ ବଣଭୋଜି ଲାଗି ହଲିଉଡ୍ କଟେଜ୍, ଏଫାରଏଚ୍ କଟେଜ, ଗବେଷଣା ଲାଗି ଆର୍ବୋରେଟ ଉଦ୍ୟାନ, ଶାଗୁଣା ପ୍ରଜନନ କେନ୍ଦ୍ରକୁ ମିଶାଇ ମୋଟ୍ ୨୫ଟି ମନୋରଞ୍ଜନର ମାଧ୍ୟମ ରହିଛି। ବୁଲି ଦେଖିବା ଓ ଭୋଜି କରିବା ପାଇଁ ଧାର୍ଯ୍ୟ ମୂଲ୍ୟର ଟିକେଟ ବ୍ୟବସ୍ଥା ରହିଛି। ୧୨ ବର୍ଷରୁ କମ୍ ପିଲାମାନଙ୍କୁ ପ୍ରବେଶ ଟିକେଟ ଛାଡ କରାଯାଇଛି। ତା’ଠୁ ଅଧିକ ବୟସ୍କଙ୍କ ପାଇଁ ପ୍ରବେଶ ଟିକେଟ ମୂଲ୍ୟ ୨୦ଟଙ୍କା, ୨ ଓ ୩ ଚକିଆ ଯାନ ପ୍ରବେଶ ଦେୟ ୩୦ ଟଙ୍କା, ୪ ଚକିଆ ହାଲୁକା ଯାନ ପାଇଁ ୧୦୦, ୪ ଚକିଆ ଉପରକୁ ଭାରିଯାନ ପାଇଁ ୨୦୦ ଟଙ୍କା, ଡିଜିଟାଲ କ୍ୟାମେରା ପାଇଁ ୨୦ ଟଙ୍କା, ହ୍ୟାଣ୍ଡି କ୍ୟାମେରା ପାଇଁ ୧୦୦ ଟଙ୍କା, ଭିଡିଓ କ୍ୟାମେରା ପାଇଁ ୫୦୦ଟଙ୍କା ଦେବାକୁ ପଡ଼ିବ। ଭୋଜି ପ୍ରକୋଷ୍ଠ-୧ ପାଇଁ ୩,୧୦୦ ଟଙ୍କା ଓ ୨ ପାଇଁ ୨,୬୦୦ ଟଙ୍କା ଦେୟ ରଖା ଯାଇଛି। ଏସବୁ ପାଇଁ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ବୁକିଂ କରିବାକୁ ପଡ଼ିବ। ଏଫ୍ଆର୍ଏଚ୍-୧ (୪୦୦ ବର୍ଗ ଫୁଟ୍) ଓ ଏଫ୍ଆର୍ଏଚ୍-୨ (୩୦୦ ବର୍ଗ ଫୁଟ୍) ରେ ମଧ୍ୟ ଭୋଜି କରା ଯାଇ ପାରିବ। ଏହା ଭିତରେ ଗୋଟିଏ ହାଇନିଂ ହଲ, ସଭା ପାଇଁ ସ୍ଥାନ ଓ ପାଇଖାନା ରହିଛି। ସେଥିପାଇଁ ୨,୬୦୦ ଟଙ୍କା ଦେୟ ଦେବାକୁ ପଡ଼ିବ। ଉଭୟ ଟିକେଟ ଘରୁ ଓ ଅନ୍ଲାଇନ୍ରେ ଏହାର ବୁକିଂ କରିହେବ। କାଞ୍ଜିଆ ହ୍ରଦ କୂଳରେ ୫୦୦ ବର୍ଗଫୁଟ୍ ବିଶିଷ୍ଟ ହଲିଡେ କଟେଜ୍ରେ ମଧ୍ୟ ଭୋଜି କରିବାର ସମସ୍ତ ସୁବିଧା ଅଛି। ସେଥିପାଇଁ ମଧ୍ୟ ଟିକେଟ୍ ଦର ୨,୬୦୦ଟଙ୍କା। ଏହା ସହିତ ଉଦ୍ଭିଦ ଉଦ୍ୟାନ ଭିତରେ ବଣଭୋଜି ପାଇଁ ୧୨ଟି ଛୋଟ ପିଣ୍ଡି, ୫୪ଟି ବଡ ଖୋଲାପିଣ୍ଡି ଏବଂ କାଞ୍ଜିଆ ହ୍ରଦ କୂଳରେ ୮ଟି ପିକ୍ନିକ୍ ସେଡ୍ ରହିଛି। ଛୋଟ ପିଣ୍ଡିର ଦେୟ ୩୦୦ ଟଙ୍କା, ବଡ ପିଣ୍ଡିର ୫୫୦ ଟଙ୍କା ଓ ପିକ୍ନିକ୍ ସେଡ୍ର ଦେୟ ୧୨୦୦ଟଙ୍କା ରଖା ଯାଇଛି।
ଜୟଦେବ ବାଟିକା
ଭୁବନେଶ୍ବରରେ ଥିବା ପର୍ଯ୍ୟଟନ ସ୍ଥଳ ଭିତରୁ ଜୟଦେବ ବାଟିକା ରାଜଧାନୀବାସୀଙ୍କ ପାଇଁ ସ୍ବତନ୍ତ୍ର। ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ ପକ୍ଷରୁ ୧୨୦ ଏକର ପରିମିତ ଅଞ୍ଚଳରେ ଗଢ଼ା ଯାଇଥିବା ଏହି ବାଟିକା ବଣଭୋଜି ପାଇଁ ଭୁବନେଶ୍ବରିଆଙ୍କର ପ୍ରିୟସ୍ଥାନ ହୋଇ ଯାଇଛି। ନୂଆବର୍ଷ ପାଇଁ ଏଠାରେ ଆଗୁଆ ବୁକିଂ ହେବା ସହ ଭୋଜିଭାତ ଆରମ୍ଭ ହୋଇଗଲାଣି। ୨ କୃତ୍ରିମ ଝରଣା କଳାମଞ୍ଚ କଦମ୍ବ ବନ ପରିବେଷ୍ଟିତ ଏବଂ ଘାସ ଗାଲିଚା ଆଚ୍ଛାଦିତ ‘ଯମୁନା ନଈ’ କୂଳରେ ସମୟ ବିତାଇବାର ଅନୁଭବ ଖୁବ୍ ନିଆରା। ଏଥିସହ ଜୟଦେବଙ୍କ ଗୀତ ଗୋବିନ୍ଦର କଥାବସ୍ତୁକୁ ନେଇ ନିର୍ମିତ ୧୨ଟି କଳାକୃତି ସମସ୍ତଙ୍କୁ କିଛି ସମୟ ଅଟକିଯିବାକୁ ବାଧୢ କରିବ। ଦୀର୍ଘ ଲନ୍ ସମେତ ଏଠି ବଣଭୋଜି ପାଇଁ ୨୨ଟି ପିଣ୍ଡି ଏବଂ ୧୧୦ଟି ବଣଭୋଜି ସ୍ଥଳ ରହିଛି। କେବଳ ସେତିକି ନୁହେଁ, ୨ଟି ସଭାଗୃହ ମଧ୍ୟ ରହିଛି। ଅବଶ୍ୟ ଏଥର ପୂର୍ବ ଅପେକ୍ଷା ଅଧିକ ଦର ଦେବାକୁ ପଡ଼ିବ। ପିଣ୍ଡି ପାଇଁ ଚଳିତ ବର୍ଷ ୨,୦୦୦ ଟଙ୍କା ଦେୟ ଥିବାବେଳେ ସେଥିରେ ୧୮ ପ୍ରତିଶତ ଜିଏସ୍ଟି ଓ ୨ଜଣ ଲୋକଙ୍କ ଆଗୁଆ ଟିକେଟ୍ ମିଶାଇ ସମୁଦାୟ ୨,୪୪୦ଟଙ୍କା ପଇଠ କରିବାକୁ ହେବ। ବଣଭୋଜି ସ୍ଥଳ ପାଇଁ ୧,୦୦୦ ଟଙ୍କା ଦେୟ ଥିବା ବେଳେ ସେଥିରେ ୧୮ ପ୍ରତିଶତ ଜିଏସ୍ଟି ଓ ୨ ଜଣ ଲୋକଙ୍କ ଆଗୁଆ ଟିକେଟ୍ ମିଶାଇ ୧,୨୬୦ ଟଙ୍କା ପଇଠ କରିବାକୁ ହେବ। ସଭାଗୃହ ବା କନ୍ଫରେନ୍ସ ହଲ୍ ପାଇଁ ସମୁଦାୟ ୩,୬୬୦ ଟଙ୍କା ପଇଠ କରିବାକୁ ହେବ। ଏଥିସହିତ ଭିତରେ ପ୍ରବେଶ ପାଇଁ ୧୨ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ମୁଣ୍ତପିଛା ୪୦ ଟଙ୍କା ଟିକେଟ୍ ରଖାଯାଇଥିବା ବେଳେ ୧୨ବର୍ଷ ତଳକୁ ଶିଶୁଙ୍କ ପାଇଁ ଦର ୨୦ ଟଙ୍କା ଅଛି। ୪ଚକିଆ ପାଇଁ ୧୦୦ଟଙ୍କା, ୩ଚକିଆ ପାଇଁ ୫୦ ଟଙ୍କା, ୨ଚକିଆ ବାଇକ୍ ଆଦି ପାଇଁ ୩୦ ଟଙ୍କା ଓ ସାଇକେଲ ପାଇଁ ୫ଟଙ୍କା ଫି’ ରଖା ଯାଇଛି। ବିଦେଶୀଙ୍କ ପାଇଁ ଟିକେଟ୍ ମୂଲ୍ୟ ୨୦୦ ଟଙ୍କା ବୋଲି ବାଟିକାର ଇନ୍ଚାର୍ଜ ଦୟାନିଧି ଦାସ ସୂଚନା ଦେଇଛନ୍ତି।
ଧଉଳି
ବଣଭୋଜି ମାମଲାରେ ଧଉଳିର ସ୍ଥାନ ସ୍ବତନ୍ତ୍ର। ଭୋଜି ରନ୍ଧାବଢ଼ା ଚାଲିବା ଭିତରେ ଧଉଳି ଶାନ୍ତିସ୍ତୂପ ଦେଖିବା ସହ ଅଶୋକ ସ୍ତମ୍ଭ ଓ ବୁଦ୍ଧ ପାର୍କ ମଧୢ ବୁଲି ମଜା ଉଠାଇ ହେବ। ଭୋଜି ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଅଶୋକ ସ୍ତମ୍ଭ ପାଖରେ ୧୦ଟି ପିଣ୍ଡି ଓ ବସ୍ ଷ୍ଟାଣ୍ଡ ପାଖରେ ଆଉ ୧୦ ଟି ପିଣ୍ଡି ଅଛି। ଏହା ସହ ଶୌଚାଳୟ ଓ ପାଣି ସୁବିଧା ମଧ୍ୟ ଉପଲବ୍ଧ। ପାହାଡ଼ ନିକଟରେ କେତେକ ବ୍ୟକ୍ତିବିଶେଷ ନିଜ ଘରୋଇ ଜାଗାରେ ମଧ୍ୟ ପିଣ୍ଡି ତିଆରି କରି ଭଡ଼ା ଆକାରରେ ଦେଉଛନ୍ତି। ଏଥିପାଇଁ ୩୦୦ରୁ ୭୦୦ ଟଙ୍କା ନେଉଛନ୍ତି। ପାହାଡ଼ ପାଦଦେଶରେ ଭୋଜି ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଗ୍ରସୋରି ଓ ରୋଷେଇ ସରଞ୍ଜାମ ମିଳୁଛି। ପାଖରେ ଥିବା ଦୟାନଦୀ କୂଳର ଖୋଲା ସ୍ଥାନରେ ମଧ୍ୟ ଭୋଜି କରିପାରିବେ। ତେବେ ସେଠାରେ ଶୌଚାଳୟରେ ପାଣି ଉଠିବା ପାଇଁ ଜେନେରେଟର ବ୍ୟବସ୍ଥା ନଥିବାରୁ ଲାଇନ୍ କଟିଲେ ସମସ୍ୟା ଭୋଗିବାକୁ ହେବ ବୋଲି ସ୍ଥାନୀୟ ଲୋକେ କହନ୍ତି।
କେତେ ସୁରକ୍ଷିତ
ଜୟଦେବ ବାଟିକା ଓ ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ: ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ପର୍ଯ୍ୟଟକଙ୍କ ପାଇଁ ୧୨ ଜଣ ସୁରକ୍ଷା କର୍ମଚାରୀ ଥିବା ବେଳେ ୮ ଜଣ ଅନ୍ୟ କର୍ମଚାରୀ ଦିନ ୮ ଟାରୁ ରାତି ୮ ପର୍ଯ୍ୟନ୍ତ ବାଟିକା ଭିତରେ ରହିଥା’ନ୍ତି। ତେବେ ଡିସେମ୍ବର ଓ ଜାନୁଆରି ମାସରେ ପର୍ଯ୍ୟଟକଙ୍କ ଗହଳି ଦେଖି ସ୍ଥାନୀୟ ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ପୁଲିସ ନିୟୋଜିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବାଟିକା ପକ୍ଷରୁ ପାଟ୍ରୋଲିଂ ପାଇଁ ମଧ୍ୟ ଅନୁରୋଧ କରା ଯାଇଛି। ସେହିପରି ନନ୍ଦନକାନନ ଉଦ୍ଭିଦ ଉଦ୍ୟାନ ନିଜସ୍ବ ଆବଦ୍ଧ ପରିସରରେ ମଧ୍ୟରେ ଥିବାରୁ ତାହାକୁ ସଂପୂର୍ଣ୍ଣ ସୁରକ୍ଷିତ କହିଲେ ଭୁଲ୍ ହେବନାହିଁ। ତେବେ ସେଠାରେ ମଧ୍ୟ କେବେ କେବେ ଅଘଟଣ ଘଟେ, ଯାହାକୁ କର୍ତ୍ତୃପକ୍ଷ ଓ ପୁଲିସ ଚାହିଲେ ଅତି ସହରରେ ଏଡ଼ାଇ ପାରିବେ। ତେଣୁ ତା’କୁ ନେଇ ଚିନ୍ତା କରିବା ଆବଶ୍ୟକ ନୁହେଁ।
ଧଉଳି: ଏଠାରେ କୌଣସି ଅଭାବନୀୟ ପରିସ୍ଥିତି ନ ଉପୁଜିବା ପାଇଁ ସ୍ବତନ୍ତ୍ର ଚେକ୍ ପୋଷ୍ଟ୍ ତିଆରି ହୋଇଥିବା ବେଳେ ମଝିରେ ମଝିରେ ପୁଲିସ ପାଟ୍ରୋଲିଂ ମଧ୍ୟ କରା ଯାଉଛି।
ଶିଖରଚଣ୍ଡୀ ଓ ଡେରାସ: ଏହି ଉଭୟ ସ୍ଥଳ ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ ହେଲେ ମଧ୍ୟ ଏଠାରେ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନାହିଁ। ସେଠାକୁ ବଣଭୋଜି ଋତୁରେ ପ୍ରତିଦିନ ହଜାର ହଜାର ଲୋକ ଯାଉଥିଲେ ହେଁ କୌଣସି ଅପ୍ରୀତିକର ପରିସ୍ଥିତିକୁ ରୋକିବାଲାଗି ପୁଲିସ କିମ୍ବା ସୁରକ୍ଷା କର୍ମୀ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/fhfsfhfhfh.jpg)