୩ ହାଇୱାରୁ ୮୦ ହଜାର ଟଙ୍କା ତଣ୍ଡ, ୯ବାଲି ଗାଡ଼ିରୁ ୪ ଲକ୍ଷ ଟଙ୍କା ଜରିମାନା

ବାଲିପାଟଣା: ଆଜି ବାଲିପାଟଣା ତହସିଲ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ବାଲି ଚାଲାଣ କରୁଥିବା ଗାଡ଼ିମାନଙ୍କରୁ ଜରିମାନା ଆଦାୟ କରାଯାଇଛି। ବେଆଇନ ଭାବେ ବାଲ ଚାଲାଣ କରୁଥିବା ୩ ଟି ହାଇୱାରୁ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସୂଚନାନୁସାରେ, ଆଜି ତହସିଲ ସ୍କ୍ୱାଡ୍‌ ବାଲିପାଟଣା ରାସ୍ତାରେ ବାଲି ବୋଝେଇ ହାଇୱା ଗାଡ଼ିକୁ ଅଟକାଇଥିଲେ। ଏତିକିବେଳେ ଗୋଟିଏ ଗାଡ଼ିର ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ତାକୁ ଖୋଜାଖୋଜି କରି ଧରିବା ପରେ ସେ ପୁଣି ଖସି ପଳାଇଥିଲା। ତେଣୁ ସ୍କ୍ବାଡ୍‌ର କର୍ମଚାରୀମାନେ ତାକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ସ୍କ୍ବାଡ୍‌କୁ ନାକେଦମ କରିଥିବାରୁ ଉକ୍ତ ଗାଡ଼ିକୁ ଅଧିକ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିଥିଲା।

ଧଉଳି: ଆଜି ଭୁବନେଶ୍ବର ତହସିଲ ପକ୍ଷରୁ ଧଉଳି ଅଞ୍ଚଳରେ ଚଢ଼ଉ କରାଯାଇ ଚୋରାରେ ବାଲି ଚାଲାଣ କରୁଥିବା ଗାଡ଼ିଗୁଡ଼ିକରୁ ବିପୁଳ ଜରିମାନା ଆଦାୟ କରାଯାଇଛି। ୯ଟି ବାଲି ବୋଝେଇ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରେ ୪ଟି ହାଇୱା, ୪ଟି ଟ୍ରକ୍‌ ଓ ଗୋଟିଏ ଟିପ୍ପର ରହିଛି। ସୂଚନାନୁସାରେ ଆଜି ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁଙ୍କ ନେତୃତ୍ବରେ ଏକ ସ୍କ୍ବାଡ୍‌ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ଏବଂ ପୁରୀ-କଟକ ବାଇପାସ୍‌ରେ ଅତର୍କିତ ଚଢ଼ଉ କରିଥିଲେ। କୁଆଖାଇରୁ ବେଆଇନ ଭାବେ ବାଲି ନେଇ ଯାଉଥିବା ଏହି ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ଏହି ଅତର୍କିତ ଚଢ଼ଉ ବାବଦରେ ଗାଡ଼ି ମାଲିକ ବା ଚାଳକମାନେ ଜାଣି ନପାରିବାରୁ ଏକକାଳୀନ ଏତେଗୁଡ଼ିଏ ଗାଡ଼ି ଧରା ପଡ଼ି ଯାଇଥିଲା। ଗାଡ଼ିଗୁଡ଼ିକରୁ ଜରିମାନା ବାବଦରେ ୪ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ପ୍ରତାପରୁଦ୍ରପୁରସ୍ଥିତ ଜୟଦେବ ସେତୁ ଉପରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ। ଉକ୍ତ ଟ୍ରାକ୍ଟର ମାଲିକଙ୍କଠାରୁ ୧୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ଏହି ଧରପଗଡ଼ ଆଜି ସ୍ଥାନୀୟ ଅଞ୍ଚଳରେ ଗାଡ଼ି ମାଲିକମାନଙ୍କୁ ହରଡ଼ଘଣାରେ ପକାଇଛି।

ସମ୍ବନ୍ଧିତ ଖବର