୨ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ଏକର ବାଉଁଶବୁଦା

ଲକ୍ଷାଧିକ ଟଙ୍କାର କାଜୁ ଜଙ୍ଗଲ ନଷ୍ଟ, ଡେରି ହୋଇଥିଲେ ବସ୍ତି ଜଳିଥା’ନ୍ତା

ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓ ଛକ ନିକଟ ଓୟୁଏଟି ଭେଟେରିନାରି ଫାର୍ମ ଓ ପାଇକରାପୁର ଗୋଠପାଟଣାସ୍ଥିତ କାଜୁ ଜଙ୍ଗଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ୩ଏକରର ବାଉଁଶବୁଦା ସମେତ ଲକ୍ଷାଧିକ ଟଙ୍କାର କାଜୁ ଫସଲ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବାର କାରଣ ସଂପର୍କରେ ଜଣାପଡ଼ି ନଥିଲେ ହେଁ କେହି ଦୁର୍ବୃତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

ସୂଚନା‌ ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଓୟୁଏଟିର‌‌ ଭେଟେରିନାରି ଫାର୍ମରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ବାଉଁଶ ବୁଦାଗୁଡ଼ିକ ଜଳିବାରୁ ନିଆଁ ସାଂଘାତିକ ରୂପ ନେଇଥିଲା। ଏହା ଦେଖି ଆଖପାଖ ଅଞ୍ଚଳବାସୀ ଛାନିଆ ହୋଇଯାଇଥିଲେ। ବିଶେଷକରି ଏହି ଫାର୍ମକୁ ଲାଗି ଦୁଇଟି ବସ୍ତି ଥିବାରୁ ସେମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇ ଗୋଟିକ ପରେ ଗୋଟିଏ, ଏମିତି ଭାବେ ବରମୁଣ୍ଡା, କଳ୍ପନା ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀର ୩ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା। ତେବେ ସେତେବେଳକୁ ପ୍ରାୟ ୨ ଏକରରୁ ଊର୍ଧ୍ବ ବାଉଁଶ ଜଙ୍ଗଲ ପୋଡ଼ି ନଷ୍ଟ ହୋଇ ସାରିଥିଲା। ୨ମହଲା ଉଚ୍ଚ ନିଆଁକୁ ଦେଖି ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ପ୍ରଥମେ ଶଙ୍କାରେ ପଡ଼ି ଯାଇଥିଲେ। ତେବେ ଦୀର୍ଘ ୫ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ସଂପୂର୍ଣ୍ଣ କାବୁ କରିଥିଲେ।
ସ୍ଥାନୀୟ ବସ୍ତିବାସିନ୍ଦାଙ୍କ କହିବା ମୁତାବକ, ନିଆଁର ପ୍ରକୋପ ଏତେ ଥିଲା ଯେ କିଛି ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳରେ ଗରମ ପବନ ପ୍ରବାହିତ ହୋଇଥିଲା। ତେବେ ଅଗ୍ନିଶମ ବିଭାଗ ପହଞ୍ଚିବାରେ ଆଉ ଟିକିଏ ବିଳମ୍ବ ହୋଇଥିଲେ ସେମାନଙ୍କ ବସ୍ତି ବି ପୋଡ଼ି ଛାରଖାର ହୋଇଯାଇଥା’ନ୍ତା। କିନ୍ତୁ ଏପରି ବଡ଼ ଅଘଟଣ ଘଟିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା।

ସୂଚନାଯୋଗ୍ୟ, ନିଆଁ ଲାଗିଥିବା ଜଙ୍ଗଲ ସମ୍ମୁଖରେ ଏକ ମଦ ଦୋକାନ ରହିଛି। ସେଠାରେ ଅସାମାଜିକ ଯୁବକମାନେ ଅନବରତ ରୁଣ୍ଡ ହେବା ସହ ନିଶା ସେବନ କରିଥା’ନ୍ତି। ତେଣୁ ସେମାନଙ୍କ ମଧ୍ୟରୁ କେହି ସିଗାରେଟ୍‌ କିମ୍ବା ଗଂଜେଇ ଖାଇବା ପରେ ଜଙ୍ଗଲ ମଧ୍ୟକୁ ଫୋପାଡ଼ି ଦେବାରୁ ଏମିତି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ଅପରପକ୍ଷେ ପାଇକରାପୁର ଗୋଠପାଟଣାସ୍ଥିତ କାଜୁ ଜଙ୍ଗଲରେ ମଧ୍ୟ ଆଜି ମଧ୍ୟାହ୍ନରେ ନିଆଁ ଲାଗି ପ୍ରାୟ ଦୁଇ ଏକରରୁ ଅଧିକ କାଜୁ ଜଙ୍ଗଲ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କାଜୁ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର