ଭୁବନେଶ୍ବର: ଅନଲାଇନରେ ଚାକିରି ଲୋଭ ଦେଖାଇ ଜାଲ ବିଛାଉଥିଲେ। ବେକାରୀ ଯୁବକଯୁବତୀଙ୍କୁ ଟାର୍ଗେଟ କରି କୋଟି କୋଟି ଟଙ୍କା ଲୁଟୁଥିଲେ। ସବୁ ଠକେଇ ପଛରେ ବ୍ୟବହାର କରୁଥିଲେ ପୂର୍ବରୁ ଅନ୍ୟ ନାଁରେ ଆକ୍ଟିଭେଟ୍ ହୋଇଥିବା ସିମ୍ କାର୍ଡ। ଟଙ୍କା ଠକିବା ପରେ ସିମକାର୍ଡକୁ ନଷ୍ଟ କରି ଦେଉଥିଲେ। ପୁଲିସ ପାଖରେ ଅଭିଯୋଗ ପହଞ୍ଚୁଥିଲେ ମଧ୍ୟ ସହଜରେ ସ୍କାନରକୁ ଆସୁ ନଥିଲେ। ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରି ୪ ଜଣଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ଗିରଫ ଅଭିଯୁକ୍ତଙ୍କଠାରୁ ୭୨ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ, ଦୁଇଟି କମ୍ପ୍ୟୁଟର୍ ଓ ସିପିୟୁ, ୧୧ଟି ମୋବାଇଲ ଫୋନ୍, ପ୍ରିଣ୍ଟର୍, ଜାଲ୍ ନିଯୁକ୍ତିପତ୍ର, ବିଭିନ୍ନ ସଂସ୍ଥାର ଜାଲ୍ ପରିଚୟପତ୍ର, ୧୬ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ, ୪୯ଟି ଏଟିଏମ୍ କାର୍ଡ ଓ ୫୬ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ କାଗଜପତ୍ର ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ କଟକ ବାଦାମବାଡ଼ି ଥାନା ଶଙ୍କରପୁର ଉପରସାହିରେ ରହୁଥିବା ବାଲେଶ୍ବର ଜଳେଶ୍ବର ଥାନା ପଞ୍ଚୁଘାଣ୍ଟର ମୂଳ ବାସିନ୍ଦା ଅରୁଣ ଘୋଷ, ସହଯୋଗୀ କଟକ ସିଡିଏ ଫେଜ୍-୨ ସେକ୍ଟର-୧୦ରେ ରହୁଥିବା କମ୍ପ୍ୟୁଟର ଦୋକାନୀ ସ୍ମୃତିରଞ୍ଜନ ମହାନ୍ତି, କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ପ୍ରି-ଆକ୍ଟିଭେଟେଡ୍ ସିମ୍ ରିଟେଲର୍ ଜଗତସିଂହପୁର ବାଲିକୁଦା ଅଞ୍ଚଳର ବାନାମ୍ବର ପ୍ରଧାନ ଓ ଅନୁଗୁଳ କୋଲିଆରୀ ଥାନା ହାଣ୍ଡିଧୁଆ ତେଲିସାହିର ବାସିନ୍ଦା ଭୋଡାଫୋନ୍ ଟେରିଟୋରିଆଲ୍ ସେଲ୍ସ ମ୍ୟାନେଜର୍ ଚୁନିଲାଲ ପୃଷ୍ଟି।
ପ୍ରି ଆକ୍ଟିଭେଟ୍ ସିମକାର୍ଡ ଜରିଆରେ କରୁଥିଲେ ଫୋନ୍ କଲ୍
ଠକେଇ ଟଙ୍କାରେ ୫୬ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍
୧୬ ଜାଲ୍ ବ୍ୟାଙ୍କ ଆକାଉଣ୍ଟ, ୪୯ ଏଟିଏମ୍ କାର୍ଡ ଜବତ
କମ୍ପ୍ୟୁଟର, ମୋବାଇଲ ଫୋନ୍, ସିମ୍ କାର୍ଡ ଜବତ
ପୁଲିସ ସୂଚନା ଅନୁସାରେ, କନ୍ଧମାଳ ରାଇକିଆ ଅଞ୍ଚଳର ରୂପେଶ ଦିଗାଲ ଭୁବନେଶ୍ବରରେ ରହି ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି। ଏହା ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି। ୨୦୨୧ ଏପ୍ରିଲ ୯ ତାରିଖରେ ତାଙ୍କ ମୋବାଇଲ ଫୋନକୁ ଏକ ନମ୍ବର(୭୦୦୮୬୯୨୭୭୮)ରୁ ଫୋନ କରି କଥା ହୋଇଥିଲା ଅରୁଣ। ନିଜକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବଲାଙ୍ଗୀର ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ପରିଚୟ ଦେଇଥିଲା। ବ୍ୟାଙ୍କରେ ଅଫିସ୍ ଆସିଷ୍ଟାଣ୍ଟ ପୋଷ୍ଟ ଖାଲି ଥିବା କହି ଏକ ଇମେଲ୍ ଆଇଡି ଲିଙ୍କ୍ ପଠାଇଥିଲା।
ଫର୍ମ ପୂରଣ କରି ସେଥିରେ ପଠାଇବା ପାଇଁ କହିଥିଲା। ରୂପେଶ ଫର୍ମ ପୂରଣ କରି ପଠାଇଥିଲେ। ଅରୁଣ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଏକ ଆକାଉଣ୍ଟ ନମ୍ବର ଦେବା ସହ ରେଜିଷ୍ଟ୍ରେସନ୍ ଫି, ସିକ୍ୟୁରିଟି ଫି, ନିଯୁକ୍ତିପତ୍ର ଦେବା ପୂର୍ବରୁ ଟଙ୍କା ପୈଠ କରିବାକୁ ପଡ଼ିବ କହି ୧୧ଟି କିସ୍ତିରେ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ୧ ଲକ୍ଷ ୧୦ ହଜାର ୬ ଶହ ଟଙ୍କା ଲୁଟିଥିଲା। ଏହା ପରେ ଅରୁଣ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିଲା। ଗତ ମାର୍ଚ୍ଚ ୨୬ ତାରିଖରେ ଏନେଇ ରୂପେଶ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
୨ ସେକେଣ୍ଡ୍ ସିମକାର୍ଡ ବ୍ୟବହାର ପାଇଁ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ଠକେଇର ଶିକାର ହେବା ପରେ ରୂପେଶ କାନମୁଣ୍ଡା ଆଉଁସି ଚୁପ୍ ହୋଇ ରହି ଯାଇଥିଲେ। କିନ୍ତୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଦେଖା ହେବା ପରେ ଘଟଣା ପଦାକୁ ଆସିଥିଲା। ଗଜପତି ଜିଲ୍ଲା ଆର୍. ଉଦୟଗିରି ଅଞ୍ଚଳର ସୁମନ୍ତ ରଇତା ସିଆରପି ଛକରେ ରହୁଥିବା ଭଉଣୀଙ୍କ ଘରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସେ ବି ସମାନ ଢଙ୍ଗରେ ଠକ ହାବୁଡ଼ରେ ପଡ଼ିଥିଲେ। ତାଙ୍କ ପାଖକୁ ମଧ୍ୟ ଫୋନ୍ କଲ୍ କରିଥିଲା ଅରୁଣ। ଗ୍ରାମୀଣ ବ୍ୟାଙ୍କରେ ଚାକିରି ଦେବାକୁ କହି ବିଭିନ୍ନ ପର୍ଯ୍ୟାୟରେ ୭୮ହଜାର ଟଙ୍କା ଲୁଟି ନେଇଥିଲା।
କିଛି ଦିନ ତଳେ ସାଙ୍ଗ ରୂପେଶଙ୍କ ସହ ସୁମନ୍ତଙ୍କର ଦେଖା ହୋଇଥିଲା। କଥାବାର୍ତ୍ତା ଭିତରେ ଦୁଇଜଣ ସମାନ ଧରଣର ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ସୁମନ୍ତ କିନ୍ତୁ ଠକର ଫୋନ କଲ୍ ରେକର୍ଡ ରଖିଥିଲେ। ଠକ ନିଯୁକ୍ତିପତ୍ର ଦେବା ପାଇଁ ତାଙ୍କୁ ଆହୁରି ୪୦ ହଜାର ଟଙ୍କା ମାଗୁଥିଲା। ଏହା ପରେ ସେମାନେ ଗତ ମାର୍ଚ୍ଚ ୨୬ରେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।
ପୁଲିସ ପରାମର୍ଶ ଅନୁସାରେ ୪୦ ହଜାର ଟଙ୍କା ଦେବାକୁ କହି ସୁମନ୍ତ ଦିନ ଗଡ଼ାଇ ଚାଲୁଥିଲେ। ପୁଲିସ ସମ୍ପୃକ୍ତ ମୋବାଇଲ ଫୋନ୍ ଆଇଏମ୍ଇଆଇ ନମ୍ବର ହାସଲ କରିଥିଲେ ମଧ୍ୟ ବେନାମୀ ସିମ୍ ବ୍ୟବହାର ହେଉଥିବାରୁ ସୁରାକ୍ ପାଉ ନ ଥିଲା। ଅରୁଣ ଯେଉଁ ଘରେ ଭଡ଼ା ରହୁଥିଲା, ତାହାର ମାଲିକ ନିଜର ମୋବାଇଲ ଫୋନ ହ୍ୟାକ୍ ହେବାରୁ ସିମ୍ ଯାଞ୍ଚ କରିଥିଲେ। ମାତ୍ର ଦୁଇ ସେକେଣ୍ଡ ପାଇଁ ଅରୁଣର ମୋବାଇଲ ଫୋନରେ ପକାଇଥିଲେ। ଟ୍ରାକ୍ କରୁଥିବା ପୁଲିସକୁ ମିଳି ଯାଇଥିଲା ସୁରାକ୍। ମୋବାଇଲ ଲୋକେସନ୍ ପାଇବା ପରେ ଅରୁଣକୁ ଗିରଫ କରିଥିଲା। ପରେ ଅନ୍ୟମାନଙ୍କୁ ଧରିଥିଲା।
ବେନାମୀ ଆକାଉଣ୍ଟରେ ଟଙ୍କା ନେଇ ନିଜ ନାଁରେ ଫିକ୍ସଡ୍ ଡିପୋଜିଟ୍ କରୁଥିଲା
ଅରୁଣ ବିଭିନ୍ନ ବ୍ୟାଙ୍କରେ ଖୋଲିଥିବା ବେନାମୀ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ପାଇଁ ଚାକିରି ଆଶାୟୀଙ୍କୁ କହୁଥିଲା। ଏହି ବ୍ୟାଙ୍କ ଆକାଉଣ୍ଟ କେମିତି ଖୋଲୁଥିଲା, ତାହାର ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଲୋକଙ୍କ ଆଧାର ଓ ପାନ୍ କାର୍ଡ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲା। ପ୍ରି-ଆକ୍ଟିଭେଟେଡ୍ ସିମକାର୍ଡ ନମ୍ବରକୁ ଆକାଉଣ୍ଟ ସହ ସଂଯୋଗ କରୁଥିଲା। ତେଣୁ ନିଜ ହାତରେ କାରବାର ରହୁଥିଲା। ବ୍ୟାଙ୍କ ଆକାଉଣ୍ଟକୁ ଠକେଇ ଟଙ୍କା ଆସିବା ପରେ ନିଜ ନାଁରେ ଫିକ୍ସଡ୍ ଡିପୋଜିଟ୍ ତିଆରି କରୁଥିଲା। କେମିତି ବିନା ଯାଞ୍ଚରେ ଆକାଉଣ୍ଟ ଖୋଲୁଥିଲା, ତାହା ଜାଣିବା ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ଯାଇ ପୁଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି।
କନସଲଟାନ୍ସି ଅଫିସ କର୍ମଚାରୀରୁ ପାଲଟି ଯାଇଥିଲା ଠକ
ଅରୁଣ ୨୦୧୮ ମସିହାରେ କଟକର ଏକ ନିଯୁକ୍ତ କନସଲଟାନ୍ସି ଅଫିସରେ କାମ କରୁଥିଲା। ୨୦୧୯ରେ ଚାକିରି ଛାଡ଼ି ଦେଇଥିଲା। କିନ୍ତୁ ସେଠାରେ ରେଜିଷ୍ଟ୍ରେସନ୍ କରିଥିବା ପିଲାଙ୍କ ତଥ୍ୟ, ସଂଗ୍ରହ କରାଯାଉଥିବା ତଥ୍ୟକୁ ଚୋରି କରି ନେଇ ଆସିଥିଲା। ନିଜେ ଅନଲାଇନ୍ରେ ଚାକିରି ଠକେଇ ଜାଲ ବିଛାଇଥିଲା। ୨୦୧୯ରୁ ୨୦୨୨ ମଧ୍ୟରେ ୩୦ରୁ ଅଧିକ ଚାକିରି ଆଶାୟୀଙ୍କୁ ଠକେଇ କରିଥିବା ପୁଲିସ ଜାଣିବାକୁ ପାଇଛି। ତଦନ୍ତ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଜାଲ୍ ନିଯୁକ୍ତିପତ୍ର, କାଗଜପତ୍ର ପ୍ରସ୍ତୁତ କରିବା ପାଇଁ କମ୍ପ୍ୟୁଟର ଦୋକାନୀ ତଥା ଅନ୍ୟତମ ସହଯୋଗୀ ସ୍ମୃତି ରଞ୍ଜନ ମହାନ୍ତିର ସହାୟତା ନେଉଥିଲା।