ଭୁବନେଶ୍ବର: ବହୁ ଦିନ ଧରି ରାଜଧାନୀରେ ସକ୍ରିୟ ଥିବା ଏକ ଲୁଟେରା ଗ୍ୟାଙ୍ଗ୍କୁ କମିସନରେଟ୍ ପୁଲିସ ଠାବ କରିଛି। ମୋ’ ବସ୍ରେ ଯାତ୍ରୀଙ୍କୁ ଲୁଟୁଥିବା ଏହି ଗ୍ୟାଙ୍ଗ୍ର ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ସେକ୍ ରାଜା(୪୫), ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ରାକେଶ ପଣ୍ଡା(୩୯) ଓ କଟକ ଓଲଟପୁର ଅଞ୍ଚଳର ମୁନା ସ୍ବାଇଁ ଓରଫ ମୁନା(୩୨)। ପୁଲିସ ସେମାନଙ୍କ ନିକଟରୁ ୨୫୦୦ ଟଙ୍କା, ୧୦ଟି ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ଜବତ କରିଛି। ଏହି ଗ୍ୟାଙ୍ଗ୍ର ଆହୁରି କିଛି ସଦସ୍ୟ ଥିବା ପୁଲିସକୁ ସୂଚନା ମିଳିଛି। ଏମିତିକି ଏହି ଗ୍ୟାଙ୍ଗ୍କୁ ପରିଚାଳନା କରୁଥିବା ଜଣେ ମାଷ୍ଟରମାଇଣ୍ଡ ଥିବା ମଧ୍ୟ ଜଣାପଡ଼ିଛି। ତେଣୁ ସେମାନଙ୍କୁ ଠାବ କରିବାକୁ ପୁଲିସ ତନାଘନା ଜାରି ରଖିଛି। ଅଧିକ ତଦନ୍ତ ପାଇଁ ଏମାନଙ୍କୁ ରିମାଣ୍ଡ୍ରେ ଆଣିବାକୁ ଯୋଜନା କରାଯାଇଛି।
ଚୋରି ଜିନିଷ ବିକ୍ରି ବେଳେ ଧରାପଡ଼ିଲେ
ଗତ ୮ ତାରିଖ ଦିନ ଶ୍ରୀଧର ମହାଳିକ ନାମକ ଜଣେ ବ୍ୟକ୍ତି ଏମ୍ସରୁ ମୋ’ ବସ୍ରେ ଜୟଦେବବିହାର ଆସିଥିଲେ। ଏହି ସମୟରେ ଲୁଟେରା ଗ୍ୟାଙ୍ଗ୍ ଚତୁରତାର ସହ ତାଙ୍କ ପର୍ସ ଓ ମୋବାଇଲ୍ ନେଇଯାଇଥିଲେ। ବସ୍ରୁ ଓହ୍ଲାଇବା ପରେ ମୋବାଇଲ୍ ଓ ପର୍ସ ଚୋରି ହୋଇଥିବା ଜାଣି ତୁରନ୍ତ ପୁଲିସକୁ ଜଣାଇଥିଲେ। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ବସ୍ ନମ୍ବର ଠାବ ପରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍ରୁ ପୁଲିସ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ତେବେ ଆଜି ସକାଳେ ଲୁଟେରାମାନେ ଚୋରି ମୋବାଇଲ୍କୁ ସିଆର୍ପି ପ୍ରିୟଦର୍ଶିନୀ ମାର୍କେଟ୍ରେ ବିକ୍ରି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ପୁଲିସର ଏକ ଟିମ୍ ସେଠାରେ ଚଢ଼ଉ କରି ୩ଜଣଙ୍କୁ କାବୁ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ଏକାଧିକ ମୋବାଇଲ୍ ଫୋନ୍ ଜବତ କରିଥିଲା।
ଟାର୍ଗେଟ୍ରେ ବୟସ୍କ ବ୍ୟକ୍ତି
ଏହି ଗ୍ୟାଙ୍ଗ୍ର ଟାର୍ଗେଟ୍ରେ ରହୁଥିଲେ ବୟସ୍କ ଓ ବୋକା ଲୋକ। ଯେଉଁ ମୋ’ ବସ୍ରେ ବେଶୀ ଭିଡ଼ ରହୁଥିଲା, ସେମାନେ ସେଥିରେ ଏକାଠି ହୋଇ ଉଠୁଥିଲେ। ଭିଡ଼ ଭିତରେ ବୟସ୍କ ଲୋକଙ୍କୁ ଚିହ୍ନଟ କରି ତାଙ୍କ ନିକଟକୁ ଯାଉଥିଲେ। ସେମିତି ଯେଉଁ ଲୋକର ଚାଲିଚଳଣି ନିରୀହ ବା ବୋକା ଭଳି ଲାଗୁଥିଲା ସେମାନଙ୍କ ନିକଟକୁ ମଧ୍ୟ ଯାଉଥିଲେ। ସେମାନଙ୍କ ଚାରିକଡ଼ରେ କୃତ୍ରିମ ଭିଡ଼ ସୃଷ୍ଟି କରୁଥିଲେ। ତାଙ୍କୁ ହିଁ ଟାର୍ଗେଟ୍ କରି ବସ୍ ଭିତରେ ଘେରି ରହନ୍ତି। ମଉକା ଦେଖି ତାଙ୍କ ପର୍ସ ଓ ମୋବାଇଲ୍ ଲୁଟି ନିଅନ୍ତି। ଏହାପରେ ସେମାନେ ପରବର୍ତ୍ତୀ ବସ୍ଷ୍ଟପ୍ରେ ଓହ୍ଲାଇପଡ଼ନ୍ତି।
ଡେରା ବଦଳାଉଥିଲେ
ଏହି ଗ୍ୟାଙ୍ଗ୍ ରାଜଧାନୀରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ରହୁନଥିଲେ। ପୁଲିସକୁ ଚକ୍ମା ଦେବା ପାଇଁ ବାରମ୍ବାର ଡେରା ବଦଳାଉଥିଲେ। କେତେବେଳେ ବସ୍ଷ୍ଟପ୍ ନିକଟସ୍ଥ ଫୁଟ୍ପାଥ୍ରେ ତ କେବେ ପୁଣି ରେଲୱେ ଷ୍ଟେସନ୍ରେ ସେମାନଙ୍କ ଡେରା ପଡ଼ୁଥିଲା। ସେହିଭଳି ଓଭରବ୍ରିଜ୍ ତଳ ଓ କୌଣସି ପରିତ୍ୟକ୍ତ ଘର ଦେଖି ସେଠାରେ ରହୁଥିଲେ। ସକାଳୁ ଉଠିଲେ, ଲୁଟ୍ ପାଇଁ ଯୋଜନା କରୁଥିଲେ। ଚୋରା ମୋବାଇଲ୍କୁ ସେମାନେ ବିଭିନ୍ନ ବସ୍ତି କିମ୍ବା ଛୋଟଛୋଟ ମୋବାଇଲ୍ ଷ୍ଟୋର୍ରେ ବିକ୍ରି କରୁଥିଲେ।