ଭୁବନେଶ୍ବର: ରାଜଧାନୀରେ ଡକାୟତି କରୁଥିବା ଏକ କୁଖ୍ୟାତ ଗ୍ୟାଙ୍ଗ୍କୁ ଗତକାଲି ରାତିରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। କୋଳଥିଆ ରୋଡ୍ରେ ଏହି ଗ୍ୟାଙ୍ଗ୍ ଏକ ବଡ଼ଧରଣର ଡକାୟତି କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଛି। ସେମାନେ ହେଲେ ଗ୍ୟାଙ୍ଗ୍ର ସର୍ଦ୍ଦାର ତଥା ଘାଟିକିଆ ଅଞ୍ଚଳର ଅମିତ୍ ନାୟକ(୨୮), ଦେବଜ୍ୟୋତି ନାୟକ ଓରଫ୍ ତୁଷାର(୨୦), ରଂଜନ ନାୟକ(୩୪), ରାଜା ନାୟକ(୨୦) ଏବଂ ଯଦୁପୁର ଅଞ୍ଚଳର ଶେଖ୍ ସତ୍ତର୍(୨୦)। ପୁଲିସ ସେମାନଙ୍କଠାରୁ ଦୁଇଟି ବାଇକ୍, ୮ଟି ଚୋରା ମୋବାଇଲ୍, ଖଣ୍ଡା, ଲୁହାରଡ୍ ଆଦି ମାରଣାସ୍ତ୍ର ଜବତ କରିଛି।
ପୁଲିସ ସୂଚନା ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଖଣ୍ଡଗିରି ପାହାଡ଼ ତଳେ ଏକାଠି ହୋଇଥିବା ନେଇ ଏକ ଖବର ବିଶ୍ବସ୍ତସୂତ୍ରରୁ ମିଳିଥିଲା। ସର୍ଦ୍ଦାର ଅମିତ୍ ଗ୍ୟାଙ୍ଗ୍ ଏକ ବଡ଼ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିବା ଖବର ମିଳିଥିଲା। ଦୀର୍ଘ ଦିନ ଧରି ଡକାୟତ ସର୍ଦ୍ଦାର ଅମିତ୍କୁ ଖୋଜୁଥିବା ପୁଲିସ କାଳ ବିଳମ୍ବ ନକରି ଘଟଣାସ୍ଥଳକୁ ଛୁଟିଥିଲା। ପୁଲିସର ଦୁଇଟି ଟିମ୍ ଅତର୍କିତ ଭାବେ ଘଟଣାସ୍ଥଳକୁ ଦୁଇ ପଟୁ ଘେରିଯାଇଥିଲା। ଅଚାନକ ପୁଲିସକୁ ଦେଖି ଅମିତ୍ ସେଠାରୁ ଜଙ୍ଗଲ ଭିତରକୁ ଡେଇଁ ପଳାଇବାକୁ ଉଦ୍ୟମ କରିଥିଲା। ମାତ୍ର ତାକୁ ଟାର୍ଗେଟ୍ କରିଥିବା ପୁଲିସ ଟିମ୍ ହାବୁଡ଼ରୁ ସେ ବର୍ତ୍ତିନଥିଲା। ପୁଲିସ ସୂଚନାନୁସାରେ ସମ୍ପ୍ରତି ଗତ କିଛି ବର୍ଷ ହେଲା ଖଣ୍ଡଗିରି ଅଞ୍ଚଳରେ ଏକାଧିକ ବଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।
ଭୁବନେଶ୍ବର ଏମ୍ସ, ଆମ୍ରି, ସମ୍ ହସ୍ପିଟାଲ୍ ଭଳି ଆହୁରି କିଛି ଘରୋଇ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ତେଣୁ ଏହି ଅଞ୍ଚଳକୁ ରୋଗୀ ସମ୍ପର୍କୀୟମାନଙ୍କ ଯାତାୟାତ ଲାଗି ରହୁଛି। ଏମିତିକି ବାହାରୁ ଗାଡ଼ିଚାଳକମାନେ ରୋଗୀ ଛାଡ଼ିବାକୁ ଏହି ଅଞ୍ଚଳକୁ ଆସୁଛନ୍ତି। ତେଣୁ ସେମାନଙ୍କୁ ଏହି ଡକାୟତ ଗ୍ୟାଙ୍ଗ୍ ଟାର୍ଗେଟ୍ କରୁଥିଲା ଏବଂ ଟଙ୍କପଇସା, ବାଇକ୍, ମୋବାଇଲ୍ ଫୋନ୍ ଆଦି ଲୁଟି ନେଉଥିଲା। କେବଳ ସେତିକି ନୁହେଁ, ବହୁ ସମୟରେ ଏହି ଗ୍ୟାଙ୍ଗ୍ ୧୬ ନମ୍ବର ଜାତୀୟ ରାଜପଥରେ ଡେରା ପକାଇ ମାଲବାହୀ ଟ୍ରକ୍ମାନଙ୍କୁ ଅଟକାଇ ଚାଳକଙ୍କୁ ଲୁଟୁଥିଲେ। କୁବେରପୁରୀକୁ ଆସୁଥିବା ବାହାର ରାଜ୍ୟର ଟ୍ରକ୍ ଚାଳକମାନଙ୍କୁ ଆକ୍ରମଣ କରି ଟଙ୍କା ପଇସା ଛଡ଼ାଇ ନେଉଥିଲେ। ସର୍ଦ୍ଦାର ଅମିତ୍ ନାଁରେ ୧୦ରୁ ଅଧିକ ମାମଲା ଥିବା ବେଳେ ରଂଜନ ନାଁରେ ୪, ରାଜା ଓ ତୁଷାର ନାଁରେ ଗୋଟିଏ ଲେଖାଏଁ ମାମଲା ରହିଛି।