ଭୁବନେଶ୍ବର: ସକାଳୁ ସକାଳୁ ଗୋଟିଏ ଗ୍ଲାସ୍‌ ହର୍ବାଲ ଜୁସ୍‌ ପିଇ ଦେଲେ ଦେହମନ ବେଶ୍‌ ତାଜା ହୋଇଯାଏ। ପାର୍କରେ ଜଗିଂ, କସରତ କରିସାରିଲା ପରେ ପାର୍କ ବାହାରେ ମିଳୁଥିବା ହର୍ବାଲ ଜୁସ୍‌ ପିଇବାକୁ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳୁଛି। ଏ ଆଗ୍ରହ କେବଳ ଆଜିର ନୁହେଁ, ପ୍ରାୟ ୨୫ ବର୍ଷ ତଳେ ହର୍ବାଲ ଜୁସ୍‌ ପ୍ରତି ଯେଉଁ ଆକର୍ଷଣ ଥିଲା, ସମୟ ଚକ୍ରରେ ଏହି ଆକର୍ଷଣ ବଢ଼ିଛି ସିନା କମିନାହିଁ। କେବଳ ସେତିକି ନୁହେଁ, ଏହା ମଧ୍ୟ କେତେଜଣଙ୍କୁ ଜୀବିକା ‌ଯୋଗାଇ ଦେଇଛି।  ସହରୀ ଜୀବନ ଓ ଅସନ୍ତୁଳିତ ଖାଦ୍ୟପେୟ  ରକ୍ତଚାପ, ମଧୁମେହ, କୋଷ୍ଠକାଠିନ୍ୟ, ବଦହଜମି ଭଳି ରୋଗ ବଢ଼ାଉଛି। ଏଥିପାଇଁ ଯଦିଓ ବିଭିନ୍ନ ପ୍ରକାର ‌ଔଷଧ ଅଛି, ତଥାପି ଶାରୀରିକ ବ୍ୟାୟାମ ଓ ପ୍ରାକୃତିକ ଖାଦ୍ୟ ଏହି ସବୁ ରୋଗର ଏକ ବିକଳ୍ପ ପଥି ହୋଇଥିବାରୁ ଏହି ହର୍ବାଲ ଜୁସ୍‌ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି।  

Advertisment

ରାଜଧାନୀର ପ୍ରାୟ ସମସ୍ତ ପାର୍କ ସମ୍ମୁଖରେ ଏଭଳି ହର୍ବାଲ୍ ଜୁସ୍‌ସେଣ୍ଟର୍‌ ଦେଖିବାକୁ ମିଳୁଛି। ଲୋକେ ବ୍ୟାୟାମ କରିବା ପରେ ଏହି ଜୁସ୍ ଦୋକାନ ନିକଟରେ ପହଞ୍ଚି ନିଜ ପସନ୍ଦର ହର୍ବାଲ ଜୁସ୍ ପିଉଛନ୍ତି। କିଏ ଗ୍ୟାଷ୍ଟ୍ରିକ୍ ପାଇଁ ତ କିଏ ଡାଇବେଟିସ୍ ପାଇଁ ତ ଆଉ କିଏ ରକ୍ତଚାପ ପାଇଁ, ଏହି ସ୍ଥାନରେ ମିଳିଯାଉଛି ଭଳିକି ଭଳି ଔଷଧୀୟ ପତ୍ର ଓ ଚେରମୂଳିର ଜୁସ୍‌। ଗ୍ଲାସେ କିମ୍ବା ୨ ଗ୍ଲାସ୍ ପିଇଦେଇ ଚାଲିଯାଉଛନ୍ତି।  ଇନ୍ଦିରାଗାନ୍ଧୀ ପାର୍କ ସମ୍ମୁଖରେ ଜୁସ୍ ଷ୍ଟଲ୍ ଦେଇଥିବା ଭବେଶ ବେହେରା କୁହନ୍ତି, ଏହି ସ୍ଥାନରେ ସେ ୧୯ ବର୍ଷ ହେଲାଣି ଜୁସ୍ ବିକ୍ରି କରିଆସୁଛନ୍ତି। ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ହେଉଥିବା ଏହି ଜୁସ ରକ୍ତଚାପ, ମଧୁମେହକୁ ନିୟନ୍ତ୍ରଣ କରିବା ସହିତ ଗ୍ୟାଷ୍ଟ୍ର୍ରିକ୍ ଭଳି ମାରାତ୍ମକ ରୋଗରୁ ଉପଶମ ଦେଇଥାଏ। ତ୍ରିଫଳା, କଞ୍ଚାହଳଦୀ, ଲାଉ, କଲରା, ନିମ୍ବ, ମେଥି, ଗୁଡ଼ମାରି, ତୁଳସୀ, ବେଲପତ୍ର, ପୋଦିନା, ପସାରୁଣି, ଜୁଆଣି, ବାସଙ୍ଗ, ଗଙ୍ଗଶିଉଳି, ବିଟ୍, ଗାଜର, ପାନମଧୁରି, ନାଣ୍ଡିବଗୁଲି ଆଦି ବିଭିନ୍ନ ପ୍ରକାରର ଜୁସ୍ ପ୍ରସ୍ତୁତ କରୁଛନ୍ତି ଭବେଶ। ଏଥିପାଇଁ ସେ ପ୍ରତିଦିନ ଜୁସ ସେଣ୍ଟର ବନ୍ଦ କରିବା ପରେ ଲାଗିପଡ଼ନ୍ତି ଔଷଧୀୟ ପତ୍ର ଓ ଚେରମୂଳି ଖୋଜିବାରେ। ସୂର୍ଯ୍ୟାସ୍ତ ପୂର୍ବରୁ ସେ ଏହି ଔଷଧୀୟ ସାମଗ୍ରୀ ସଂଗ୍ରହ କରିଥାନ୍ତି। ବିଭିନ୍ନ ଜୁସ୍ ପ୍ରସ୍ତୁତି ଲାଗି ନିର୍ଦ୍ଦିଷ୍ଟ ସମୟ ରହିଛି। କିଛି ଜୁସ ପାଇଁ ପୂର୍ବରାତିରୁ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ସକାଳ ୬ଟାରୁ ଜୁସ ସେଣ୍ଟର ଖୋଲିବା ମାତ୍ରେ ଗ୍ରାହକଙ୍କ ଭିଡ଼ ଜମିଯାଏ। ସବୁଠାରୁ ଅଧିକ ଚାହିଦା ରହୁଥିବା ମିକ୍ସ ଜୁସର ଦାମ୍ ଦେଢ଼ ଗ୍ଲାସକୁ ୩୦ଟଙ୍କା ରହିଥିବା ବେଳେ ହ୍ବିଟ୍ ଗ୍ରାସ୍‌ର ମୂଲ୍ୟ ୪୦ଟଙ୍କା ରହିଛି। ବେପାର ବଡ଼କଥା ନୁହେଁ ଲୋକଙ୍କ ସହିତ ମିଶିବା ବଡ଼ କଥା ବୋଲି ଭବେଶ କୁହନ୍ତି। ପ୍ରତିଦିନ ଇନ୍ଦିରାଗାନ୍ଧୀ ପାର୍କକୁ ପ୍ରାତଃଭ୍ରମଣ ପାଇଁ ଆସୁଥିବା ସାଗର ପାତ୍ର କୁହନ୍ତି, ପୂର୍ବରୁ ତାଙ୍କର ମଧୁମେହ ନିୟନ୍ତ୍ରଣରେ ରହୁନଥିଲା। ମାତ୍ର ଏବେ ସେ ନିୟମିତ ବ୍ୟାୟାମ କରିବା ସହିତ ସକାଳୁ ହର୍ବାଲ ଜୁସ୍‌ ପିଉଛନ୍ତି। ଔଷଧର ଆବଶ୍ୟକତା ପଡ଼ୁନି ବୋଲି ସେ କହିଛନ୍ତି। ସେହିପରି କଲେଜ ଛାତ୍ରୀ ଉପସନା ମହାନ୍ତି କୁହନ୍ତି, ଜୁସ୍ ପିଇବା ଦ୍ବାରା ତାଙ୍କୁ ଗ୍ୟାଷ୍ଟ୍ରିକ୍‌ଜନିତ ରୋଗରୁ ଉପଶମ ମିଳିଛି।