ଭୁବନେଶ୍ବର: ନେତାଙ୍କ ସବିଶେଷ ବିବରଣୀ ନେଇ ତିଆରି ହୋଇଥିବା ‘ଆମ ନେତା’ ଆପ୍ଲିକେସନ ଆଜି ଗୀତଗୋବିନ୍ଦ ସଦନରେ ଲୋକାର୍ପିତ ହୋଇଛି। ଏହି ଆପ୍ଲିକେସନରେ ନେତାଙ୍କ ବ୍ୟକ୍ତିଗତ, ସାମାଜିକ, ରାଜନୈତିକ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ସ୍ବାଧୀନତା ପରବର୍ତ୍ତୀ ସମୟର ଅନେକ ପୁରୁଖା ନେତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ଦିଆଯିବାର ଯୋଜନା ରହିଛି।
ଲୋକାର୍ପଣ ଉତ୍ସବରେ ଅତିଥି ଭାବେ ସମାଜସେବୀ ଜଗଦାନନ୍ଦ ଯୋଗଦେଇ କହିଲେ, ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତିନିଧି ବାଛିବା ଜନତାଙ୍କ ଅଧିକାର। କିନ୍ତୁ ସଠିକ୍ ନେତା ବାଛିବା ଜନତାଙ୍କ ହାତରେ। ଅନେକ ସମୟରେ ଜନତା ଜାଣିକି ବି ଦୁର୍ନତୀଗ୍ରସ୍ତ ନେତାଙ୍କୁ ତାଙ୍କର ପ୍ରତିନିଧି ଭାବେ ଚୟନ କରିଥା’ନ୍ତି। ତେଣୁ ପ୍ରଥମେ ଜନତାଙ୍କ ମାନସିକତାକୁ ବଦଳାଇବାକୁ ପଡ଼ିବ। ତେବେ ଯାଇ ଆମେ ଏକ ଭଲ ନେତା ପାଇ ପାରିବା ଏବଂ ସୁସ୍ଥ ଗଣତନ୍ତ୍ର ଗଠନରେ ସହଯୋଗ କରିପାରିବା। ଏହି ଆପ୍ଲିକେସନରେ ଜିତିଥିବା ନେତାଙ୍କ ବିବରଣୀ ସହ ହାରିଥିବା ନେତାଙ୍କ ବିବରଣୀକୁ ଉପସ୍ଥାପନ କରିବା ଦରକାର। ତେବେ ଯାଇ ଲୋକମାନେ ସେମାନଙ୍କ ନେତାଙ୍କ ବିଷୟରେ ଜାଣିପାରିବେ।
ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଲେ, ନେତାମାନେ କୌଣସି ଏକ ରାଜନୈତିକ ପରିବେଶ ଭିତରେ ସୀମିତ ନୁହନ୍ତି। ଯିଏ ଆମର ପ୍ରତିନିଧିତ୍ବ କରୁଛି କିମ୍ବା ଆମର ସ୍ବରକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇ ପାରୁଛି ସେ ଆମର ନେତା। ତେଣୁ ଏହି ଆପ୍ଲିକେସନରେ ସମସ୍ତ ନେତାକୁ ସାମିଲ କରିବା ଜରୁରୀ। ତେବେ ଯାଇ ଏହା ଲୋକାଦୃତ ହୋଇପାରିବ। ଅନ୍ୟତମ ଅତିଥି ଭାବେ ଆମ୍ ଆଦ୍ମୀ ପାର୍ଟି ଓଡ଼ିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର କହିଲେ, ନେତାମାନେ ଅନେକ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଆନ୍ତି। ତେଣୁ ଏହି ଆପ୍ ମାଧ୍ୟମରେ ସେମାନଙ୍କ ପ୍ରତିଶ୍ରୁତି ଏବଂ ସେହି ପ୍ରତିଶ୍ରୁତିରୁ କ’ଣ ପାଳନ କରିଛନ୍ତି ତାକୁ ନେଇ ବିବରଣୀ ଉପସ୍ଥାପନ କଲେ ଲୋକମାନେ ଜାଣିବାରେ ସହଜ ହେବ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ଓ ଆପ୍ଲିକେସନର ପ୍ରତିଷ୍ଠାତା ଓ ସମ୍ପାଦକ ଅଧିପ ନାୟକ ଉପସ୍ଥିତ ଥିଲେ।