ଚନ୍ଦ୍ରଶେଖରପୁର: ପାଣି ପାଇପ୍‌ ପକାଇବାକୁ ଭଲ ରାସ୍ତାକୁ ତଡ଼ାଯାଉଛି। ପିଚୁ ରାସ୍ତାରେ ୪ ଫୁଟ୍‌ ପର୍ଯ୍ୟନ୍ତ ଗାତ କରାଯାଇ କାମ ହେଉଛି। ୧୦ରୁ ୧୫ ଦିନ ଧରି ପାଣି ପାଇପ୍‌ କାର୍ଯ୍ୟ ଚାଲିବା ପରେ ରାସ୍ତା ମରାମତି ହେଉଛି। ପ୍ରଥମେ ମାଟି ପକାଯାଇ ଖୋଳାଯାଇଥିବା ଗାତକୁ ବନ୍ଦ କରାଯାଉଛି। କେବେ ଦିନେ ଦୁଇ ଦିନରେ ମରାମତି ହେଉଛି ତ ଆଉ କେବେ ଦୁଇ ସପ୍ତାହ ଲାଗୁଛି। ବେଳେବେଳେ ତ ମାସାଧିକ ସମୟ ଲାଗିଯାଉଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏବେ ଏଭଳି ସମସ୍ୟା ଲୋକଙ୍କ ନିଦ ହଜାଇ ଦେଲାଣି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଭଲ ପିଚୁ ରାସ୍ତା ତଡ଼ା ଯାଉଥିଲେ ‌ମଧ୍ୟ ପୂର୍ବ ସ୍ଥିତି ଅନୁଯାୟୀ ମରାମତି ହେଉ ନାହିଁ। ପିଚୁ ବଦଳରେ କଂକ୍ରିଟ୍‌ ଢଳେଇ କରି ଠିକାଦାରମାନେ ଚାଲିଯାଉଛନ୍ତି, ଆଉ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ନୀଳାଦ୍ରିବିହାର ଏଟିଏମ୍‌ ଛକରୁ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ, ଶୈଳଶ୍ରୀବିହାର, ନୀଳାଦ୍ରିବିହାର ପରି ଅଞ୍ଚଳରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। ରାସ୍ତାର ଅଧା ଅଂଶ ପିଚୁ ଥିବା ବେଳେ ଆଉ ଅଧା କଂକ୍ରିଟ୍‌ ହୋଇଥିବାରୁ ଦୁର୍ଘଟଣା ବଢ଼ୁଛି। ସ୍ଥାନେ ସ୍ଥାନେ କଂକ୍ରିଟ୍‌ ରାସ୍ତା ଖୋଳି ହୋଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୈଳଶ୍ରୀବିହାରର ପ୍ରଭାକର ମୁଦୁଲିଙ୍କ କହିବାନୁଯାୟୀ ଏଭଳି ରାସ୍ତା କାମ ପୂର୍ବରୁ କେବେ ଦେଖିବାକୁ ମିଳୁ ନ ଥିଲା। ୬ ମାସ ତଳେ ପୂର୍ତ୍ତ ବିଭାଗ ଭଲ ରାସ୍ତା କରିଥିଲା। ‌ଏବେ ୱା‌ଟକୋ ପାଣି ପାଇପ୍‌ କାମ କରିବାରୁ ତାହାକୁ ତାଡ଼ି ଦେଇଛି। ୧୦ ଦିନ ଧରି ରାସ୍ତା ମରାମତି ନ ହେବାରୁ ଆମେ ଦାବି ଉଠାଇଥିଲୁ। ତା’ପରେ ମରାମତି ହୋଇଛି। ତାହା ପୁଣି ଅଧାପନ୍ତରିଆ। ଅଧା ‌ଢଳେଇ ଉଠିଯିବାରୁ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।
ଶିଖରଚଣ୍ଡୀ ପାହାଡ଼ ପାଦଦେଶରୁ ଇନ୍‌ଫୋସିଟିକୁ ସଂଯୋଗ କରୁଥିବା ରାସ୍ତା ଏବେ ଚିନ୍ତାର କାରଣ ପାଲଟିଛି। ଦିନେ କି ଦୁଇ ଦିନ ନୁହେଁ, ବରଂ ମାସେ ହେଲା ପାଣି ପାଇପ୍‌ କାମ ପାଇଁ ଦୁଇ ଲେନ୍‌ର ଏହି ରାସ୍ତାର ଅଧା ତଡ଼ା ହୋଇଥିଲେ ମଧ୍ୟ କାମ ସରୁନାହିଁ। ଜେସିବି ସାହାଯ୍ୟରେ ଅଧା ରାସ୍ତା ତଡ଼ା ଯାଉଥିବାରୁ ଅବସ୍ଥା ଏବେ ସାଂଘାତିକ। ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ି ତାହାକୁ ଅତିକ୍ରମ କରିବା ସମ୍ଭବପର ନୁହେଁ। ଆଇଟି ହବ୍‌ ଭାବେ ପରିଚିତ ଏହି ଅଞ୍ଚଳରେ ବହୁ ଶିକ୍ଷାନୁଷ୍ଠାନ ରହିଛି। ଦୁଇଟି ପ୍ରମୁଖ ବିଶ୍ବବିଦ୍ୟାଳୟ ଏଠାରେ ମଧ୍ୟ ରହିଛି। ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଚଳପ୍ରଚଳ କରୁଥିଲେ ମଧ୍ୟ ମରାମତି ହେଉ ନ ଥିବାରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଇଟି ହବ୍‌ ଏବେ ଖାଲଖମା ଓ ଦୁର୍ଘଟଣା ହବ୍‌ ପାଲଟିଥିବା ଲୋକେ କହିଲେଣି।
ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି, କାମ କରିବାକୁ ଆମେ ଅନୁମତି ଦେବା ସମୟରେ ଚୁକ୍ତିନାମା କରିଥାଉ। କ’ଣ ସବୁ କାମ କରିବେ, କେତେ ଦିନ ଭିତରେ କାମ ସାରିବେ, କେଉଁଭଳି ଭାବେ ମରାମତି କରିବେ ଆଦି ସମ୍ପର୍କରେ ଦର୍ଶାଯାଇଥାଏ। ମାତ୍ର ତାହାକୁ ପାଳନ କରାଯାଉ ନ ଥିବା ବାରମ୍ବାର ଅଭିଯୋଗ ଆସୁଛି। ଏକାଧିକ ଥର ଚେତାବନୀ ମଧ୍ୟ ଦିଆଯାଇଛି। ତଥାପି ସେମାନେ ମନମୁଖୀ ଭାବେ କାମ କରୁଛନ୍ତି। ରାସ୍ତା ମରାମତି ସମ୍ପର୍କରେ ଖୁବ୍‌ଶୀଘ୍ର ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ।