ଖଣ୍ଡଗିରି: ବଡ଼ଦିନ ଥିବାରୁ ଆଜି ରାଜଧାନୀରେ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଦିନତମାନ ବଜାରରେ କିଣାକିଣି କରିବା ସହିତ ବିଭିନ୍ନ ପର୍ଯ୍ୟଟନସ୍ଥଳ ସହିତ ପାର୍କ ଓ ମଲ୍‌ ବୁଲ‌ା ଜମିଥିଲା। କେବଳ ସେତିକି ନୁହେଁ ସହର ଉପକଣ୍ଠରେ ବଣଭୋଜି ଆୟୋଜନ କରି ମଜା ନେଇଛନ୍ତି। ବଣଭୋଜି ପାଇଁ ବେଶି ଦୂର ଯିବାକୁ ପଡ଼ୁ ନ ଥିବାରୁ କେହି ବି ସୁଯୋଗ ହାତ ଛଡ଼ା କରି ନ ଥିଲେ। ସହର ଭିତରେ ଓ ଉପକଣ୍ଠରେ କିଛି ପିକ୍‌ନିକ୍‌ ସ୍ପଟ୍‌ରେ କିଏ ପରିବାର ସହ ତ କିଏ ସାଙ୍ଗସାଥୀଙ୍କ ସହ ବଣଭୋଜି କରିଥିଲେ। ଗତକାଲି ପରି ଆଜି ମଧ୍ୟରେ ବଣଭୋଜି ସ୍ଥଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସହର ଭିତରେ ଥିବା ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌ ଯଥା ଜୟଦେବ ବାଟିକା, ଖଣ୍ଡଗିରି-ଉଦୟଗିରି ଓ ଶିଖରଚଣ୍ଡୀ ଆଜି ଉଛୁଳି ଉଠିଥିଲା। ଉପକଣ୍ଠରେ ଥିବା ଧଉଳି, ଡେରାସ, ଝୁମୁକା, ଚଉଷଠି ଯୋଗିନୀ ଓ ନନ୍ଦନକାନନ ବଟାନିକାଲ୍‌ ଗାର୍ଡେନ୍‌ରେ ମଧ୍ୟ ବହୁ ସଂଖ୍ୟକ ଲୋକ ବୁଲାବୁଲି କରିବା ସହ‌ିତ ଭୋଜି କରିଥିଲେ।

Advertisment

ବଡ଼ଦିନ ଛୁଟି ଥିବାରୁ ସକାଳ ୮ଟାରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏଥିପାଇଁ ଆଗୁଆ ପିଣ୍ଡି ବୁକିଂ କରିଦେଇଥିଲେ ଆୟୋଜକମାନେ। ଯେଉଁଠି ପିଣ୍ଡି ବ୍ୟବସ୍ଥା ନାହିଁ, ସେଠି ଭୋର୍‌ରୁ ଲୋକ ଆସି ସରଞ୍ଜାମ ରଖି ସ୍ଥାନକୁ ଜଗି ରହିଥିଲେ। ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକର ନିକଟସ୍ଥ ଅଞ୍ଚଳରେ ରୋଷେଇ ସରଞ୍ଜାମ, ଟେଣ୍ଟ୍‌ ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଥିଲା। ଜୟଦେବ ବାଟିକାରେ ଥିବା ୨୨ଟି ପିଣ୍ଡି ସହ ବଣଭୋଜି ସ୍ଥଳ ବୁକିଂ ହୋଇଥିଲା। ହଜାରେରୁ ଅଧିକ ଲୋକ ଆଜି ଗୋଟିଏ ଦିନରେ ଭ୍ରମଣ କରିଛନ୍ତି। ଶିଖରଚଣ୍ଡୀ ପାହାଡ଼ ଉପରେ ଗତକାଲି ୧୧୦ ଦଳ ଭୋଜି କରିଥିବା ବେଳେ ଆଜି ସୋମବାର ଥିବାରୁ ମାତ୍ର ୧୧ ଦଳ ଭୋଜି କରିଛନ୍ତି। ମନ୍ଦିର ଓ ପାହାଡ଼ର ଉନ୍ନତିକରଣ କାର୍ଯ୍ୟ ଚାଲୁଥିବାରୁ ଭୋଜି କରିବାକୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସଫେଇ ଓ ସୁରକ୍ଷା ଉପରେ ଏଠାରେ ଗୁରୁତ୍ବ ଦିଆଯାଇଛି। ଡେରାସରେ ଥିବା ପିଣ୍ଡିଗୁଡ଼ିକ ବୁକିଂ ହୋଇଥିବା ବେଳେ ଝୁମୁକା ଓ ଧଉଳିରେ ୪୦ରୁ ଅଧିକ ଦଳ ବଣଭୋଜି କରିଥିବା ସୂଚନା ମିଳିଛି।

publive-image

ବାରଙ୍ଗ/ତ୍ରିଶୁଳିଆ: ବଡ଼ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି ୧୯୬୨୬ ପର୍ଯ୍ୟଟକ। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୧୨୧୫ ପର୍ଯ୍ୟଟକ ହୋଇଥିବା ଟିକେଟ ବିକ୍ରିରୁ ଜଣାପଡ଼ିଛି। ବଡ଼ଦିନ ସକାଳୁ ନନ୍ଦନକାନନରେ ଧୀରେ ଧୀରେ ଭିଡ଼ ବଢ଼ିଥିଲା। ପ୍ରବେଶ ଫାଟକ, ଟିକେଟ କାଉଣ୍ଟର, ବାଘ, ଭାଲୁ, ସିଂହ, ଜିରାଫ, ସରୀସୃପ, ସିମ୍ପାଞ୍ଜି, ହୁଲକ ଗିବନ ଓ ପକ୍ଷୀଙ୍କୁ ଦେଖିବା ପାଇଁ ଖୁଆଡ଼ ଆଗରେ ଭିଡ଼ ଲାଗିଥିଲା। ଛୋଟ ପିଲାମାନେ ଦୋଳି ଓ ଖସଡ଼ାରେ ଖେଳିବାର ମଜା ନେଇଥିଲେ। ପର୍ଯ୍ୟଟକମାନେ ପରିବାର ଓ ସାଥୀଙ୍କ ସହ ବୁଲି ଦେଖିବା ସହ କାଞ୍ଜିଆ ହ୍ରଦରେ ବୋଟିଂ ଓ ରୋପୱେ ଯାତ୍ରାର ମଜା ନେଇଥିଲେ। ଏଥିସହ ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସର ବୁଲି ଦେଖିବା ସହ ଭୋଜିସ୍ଥଳରେ ଭୋଜି ଭାତ କରି ବଡ଼ଦିନକୁ ଉତ୍ସାହର ସହ ପାଳନ କରିଥିଲେ। ତେବେ ନନ୍ଦନକାନନର ଛୁଟିଦିନ ସୋମବାରରେ ବଡ଼ଦିନ ପଡ଼ିଥିବାରୁ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକ ସଂଖ୍ୟା କମ ହୋଇଛି। ୨୦୨୧ ମସିହା ବଡ଼ଦିନରେ ୨୦,୦୧୩ ଓ ୨୦୨୨ ମସିହା ବଡ଼ଦିନରେ ୪୬,୧୪୮ ଖଣ୍ଡ ଟିକେଟ ବିକ୍ରି ହୋଇଥିଲା।