ରାଜଧାନୀରେ ନିଶା ବେପାରର ଭୟଙ୍କର ଚିତ୍ର

୮ ମାସରେ ୧୦୯ ଗିରଫ, ୨କୋଟି ଟଙ୍କାର ମାଲ୍‌ ଜବତ

ଭୁବନେଶ୍ବର: ରାଜଧାନୀରେ ନିଶା ବେପାରରେ ଲଗାମ୍ ଲାଗିପାରୁନାହିଁ। ପୁଲିସ ଗୋଡ଼େଇ ଗୋଡ଼େଇ ଯେତେ ବା‌ନ୍ଧୁଛି, ନିଶା ବେପାର ସେତେ ବଢ଼ିବାରେ ଲାଗିଛି। ଜେଲ୍‌ ଯାଉଥିବା ମାଫିଆ ବା କୁଜି ବେପାରୀ ଜାମିନରେ ମୁକୁଳି ପୁଣି ବେପାର କରୁଛନ୍ତି। କ୍ୟାପିଟାଲ ଥାନା ନାରାୟଣୀ ବସ୍ତିରେ ଘଟିଥିବା ଚନ୍ଦୁ ହତ୍ୟା ମାମଲାର ଅଭିଯୁକ୍ତ ରଞ୍ଜୁ ଜାମିନରେ ଆସି ନିଶା କାରବାର କରୁଥିବା ଏହାର ନଗ୍ନ ନମୁନା। ଥରେ ଜାମିନରେ ଆସିବା ପରେ ସେମାନେ ଅଧିକ ନିର୍ଭୟ ହୋଇପଡ଼ୁଛନ୍ତି ଓ ବେଫିକର ବେପାର କରୁଛନ୍ତି।

ହ୍ବାଇଟ୍‌ ସ୍ପାଇଡର ଅଭିଯାନରେ କମିସନରେଟ୍‌ ପୁଲିସର ଗତ ୮ ମାସର ଚଢ଼ଉ ରେକର୍ଡ ଅନୁସାରେ ୧୦୯ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ନିଶା ସାମଗ୍ରୀ ଜବତ କରାଯାଇଛି। ମୋଟ୍‌ ମାମଲା ମଧ୍ୟରୁ ୩୨ଟି ବ୍ରାଉନ୍‌ସୁଗାର ରହିଛି। ଏହି ମାମଲାରେ ୫୯ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୧ କେଜି ୩୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଏଥିସହିତ ସେମାନଙ୍କଠାରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା, ୧୨ଟି ଗାଡ଼ି ଓ ୩୬ଟି ଫୋନ୍‌ ଜବତ କରାଯାଇଛି।

ସେହିପରି ୨୭ଟି ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ ୫୦ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପାଖାପାଖି ୧୦ କ୍ବିଣ୍ଟାଲ୍‌ ଗଞ୍ଜେଇ, ନଗଦ ୩୦ ହଜାର ଟଙ୍କା, ୧୫ଟି ଗାଡ଼ି ଓ ୨୩ଟି ମୋବାଇଲ୍‌ ଜବତ କରାଯାଇଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏଣିକି ଚଢ଼ଉକୁ ଜୋରଦାର କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର