ଭୁବନେଶ୍ବର: ଆଜି କ୍ୟାପିଟାଲ୍ ହସ୍ପିଟାଲ୍ରେ ଏକ ଅଭାବନୀୟ ଦୃଶ୍ୟ ଉପସ୍ଥିତ ଲୋକଙ୍କ ଛାତି ଥରାଇଦେଇଥିଲା। ନିରାମୟ ବାରଣ୍ଡାରେ ପଡ଼ିଥିବା ଜଣେ ଯୁବକଙ୍କ ମୃତଦେହ ନିକଟରେ ତାଙ୍କ ସ୍ତ୍ରୀ ଏକୁଟିଆ ବଡ଼ ଅସହାୟ ଅବସ୍ଥାରେ କାନ୍ଦୁଥିବାର ଦୃଶ୍ୟ ଦେଖି ସମସ୍ତେ ନିର୍ବାକ୍ ହୋଇଯାଇଥିଲେ। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଅଞ୍ଚଳର ଫକୀର ଚନ୍ଦ୍ର ଦାସ(୩୮)। ଗତ କିଛି ଦିନ ହେଲା ସେ ଏହି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏବଂ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସତ୍ତ୍ବେ ଡିସ୍ଚାର୍ଜ କରିଦିଆଯାଇଥିଲା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ହସ୍ପିଟାଲରେ ଶଯ୍ୟା ଅଭାବ ଥିବା କହି ତାଙ୍କୁ ବାହାର କରିଦିଆଯିବାରୁ ସେ ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଯାଇଛି। କ୍ୟାପିଟାଲ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରହିଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ରାଜଧାନୀର ସବୁଠୁ ବଡ଼ ସରକାରୀ ହସ୍ପିଟାଲ୍ରେ ଜଣେ ଗରିବ ରୋଗୀ ବାରଣ୍ଡାରେ ପଡ଼ିପଡ଼ି ମରିବା ଭଳି ଘଟଣା ଆଜି ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ସୂଚନାନୁସାରେ ଫକୀର ଗତ କିଛି ବର୍ଷ ହେଲା ମଧୁମେହ ରୋଗରେ ପୀଡ଼ିତ ଥିଲେ।
ରୋଗ ବଢ଼ିଯିବାରୁ ସେ ଗତ କିଛି ଦିନ ପୂର୍ବେ ତାଙ୍କ ସ୍ତ୍ରୀ ତାଙ୍କୁ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିଛି ଦିନ ପାଇଁ ମେଡିସିନ ବିଭାଗରେ ତାଙ୍କୁ ଶଯ୍ୟା ମିଳିଥିଲା। କିନ୍ତୁ ପରେ ତାଙ୍କ ଦେହ ଭଲ ହୋଇନଥିଲେ ମଧ୍ୟ ତାଙ୍କୁ ଡିସ୍ଚାର୍ଜ କରିଦିଆଗଲା। ତେଣୁ ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହିଥିଲେ ଏବଂ ନିୟମିତ ବ୍ୟବଧାନରେ କ୍ୟାପିଟାଲ ହସ୍ପିଟାଲକୁ ଆସି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେଉଥିଲେ। ମାତ୍ର ପରେ ଘର ଭଡ଼ା ଦେବାକୁ ସମର୍ଥ ନ ହେବାରୁ ସେ ହସ୍ପିଟାଲ ବାରଣ୍ଡାରେ ରହିବାକୁ ବାଧ୍ୟ ହୋଇଥିଲେ। ପାଖରେ ତାଙ୍କ ସ୍ତ୍ରୀ ସେମିତି ଜଗି ରହି ଚିକିତ୍ସା କରାଉଥିଲେ। ପ୍ରାୟ ଗୋଟିଏ ସପ୍ତାହ ହେଲା ସେମାନେ ନିରାମୟ କେନ୍ଦ୍ର ବାରଣ୍ଡାରେ ରହିଥିଲେ। ବର୍ଷା ପାଗରେ ଫକୀରଙ୍କ ଦେହ ଅଧିକ ବିଗିଡ଼ିଯାଇଥିଲା। ଆଜି ଅପରାହ୍ଣ ୩ ଟା ବେଳେ ସେ ଆଖି ବୁଜିଦେଇଥିଲେ। ଏ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ହସ୍ପିଟାଲରେ ଶଯ୍ୟାର ଅଭାବ ନାହିଁ। କିନ୍ତୁ ଫକୀରଙ୍କ କ୍ଷେତ୍ରରେ କ’ଣ ଘଟିଛି, ସେନେଇ ସେ ତଦନ୍ତ କଲା ପରେ କହିପାରିବେ। ସେ କେବେ ଭର୍ତ୍ତି ହୋଇଥିଲେ, ତାଙ୍କୁ କାହିଁକି ଡିସ୍ଚାର୍ଜ କରାଗଲା, ତଦନ୍ତ ପରେ ଜଣାପଡ଼ିବ। ଏମିତି ବି ହେଉଛି ଯେ କିଛି ଲୋକ ବେଡ୍ରେ ନ ରହି ମନକୁ ମନ ବାହାରକୁ ଚାଲିଆସୁଛନ୍ତି ବୋଲି ସେ କହିଛନ୍ତି।