ଚିନ୍ତା ବଢ଼ାଇଲାଣି ସାଇବର ଅପରାଧ: ସ୍କୁଲ ପିଲା ହେବେ ‘ସାଇବର ମିତ୍ର’

ପ୍ରତି ସ୍କୁଲରେ ପ୍ରତିଷ୍ଠା ହେବ ସାଇବର କ୍ଲବ, କ୍ଲବରେ ରହିବେ ତିନି ଛାତ୍ରଛାତ୍ରୀ, ଦୁଇ ଶିକ୍ଷକ

ଭୁବନେଶ୍ବର: ସ୍କୁଲସ୍ତରରୁ ସାଇବର ଅପରାଧ ସମ୍ପର୍କରେ ସଚେତନ ହେବେ ଛାତ୍ରଛାତ୍ରୀ। ସାଇବର ଅପରାଧ କ’ଣ? ଏଥିରୁ କିଭଳି ସୁରକ୍ଷା ପାଇପାରିବେ ସେନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ବର-କଟକର ବିଭିନ୍ନ ବିଦ୍ୟାଳୟରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ପିଲାଙ୍କୁ ଅବଗତ କରାଯିବ। ଏଥିସହ ପ୍ରତି ସ୍କୁଲରେ ତିନିଜଣ ଛାତ୍ରଛାତ୍ରୀଙ୍କୁ ‘ସାଇବର ମିତ୍ର’ ଭାବେ ଚୟନ କରାଯିବ। ଯେଉଁମାନେ କି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ ଏବଂ ସାଇବର ଅପରାଧ ସମ୍ପର୍କିତ କୌଣସି ସମସ୍ୟା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଓ କମିସନରେଟ୍‌ ପୁଲିସ ଦୃଷ୍ଟିକୁ ଆଣିପାରିବେ। ଏମାନେ ଛାତ୍ରଛାତ୍ରୀ ଓ ପୁଲିସ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଗତ ଦୁଇ ଦିନ ମଧ୍ୟରେ ରାଜଧାନୀର ୩ଟି ବିଦ୍ୟାଳୟରେ ସାଇବର କ୍ଲବ ପ୍ରତିଷ୍ଠା କରାଯାଇଛି। ପର୍ଯ୍ୟାୟକ୍ରମେ ସମସ୍ତ ବିଦ୍ୟାଳୟରେ ପହଞ୍ଚିବାକୁ ଉଦ୍ୟମ କରାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି। ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସମୟରେ ସାଇବର ଅପରାଧୀଙ୍କ ଜାଲ୍‌ରେ ପଡ଼ୁଥିବା‌ ନଜରକୁ ଆସିଛି।

ମୋବାଇଲ୍‌ ମାଧ୍ୟମରେ ଆସୁଥିବା ବିଭିନ୍ନ ମେସେଜ୍‌ ଓ ଚାଟିଂ ଦ୍ବାରା ସେମାନେ ପ୍ରଭାବିତ ହୋଇ ଆଗ ପଛ ବିଚାର ନ କରି ଟଙ୍କା ଉଡ଼ାଉଛନ୍ତି। ପରିଣାମସ୍ବରୂପ ସେମାନଙ୍କ ଅଭିଭାବକଙ୍କୁ ବିଭିନ୍ନ ସମୟରେ ନାକେଦମ ହେବାକୁ ପଡ଼ୁଛି। ଯଦି ଦେଖାଯାଏ ଗତ ଦୁଇ ମାସ ମଧ୍ୟରେ କେବଳ ଭୁବନେଶ୍ବରରୁ ସାଇବର ଠକମାନେ ପାଖାପାଖି ଦୁଇ କୋଟି ଟଙ୍କା ଠକି ନେଇଛନ୍ତି। କାହାର କ୍ରେଡିଟ୍‌ କାର୍ଡ ଲିମିଟି ବଢ଼ାଇବାର ପ୍ରଲୋଭ‌ନ ଦେଖାଇ ତ କାହାକୁ କଞ୍ଚାମାଲ୍‌ କିଣିବା ଆଳରେ। ଆଉ କାହାକୁ ଷ୍ଟକ ମାର୍କେଟ୍‌ରେ ପୁଞ୍ଜିନିବେଶ ଲୋଭ ଦେଖାଇ ଠକେଇ କରିଛନ୍ତି। ଅକ୍ଟୋବରରେ ରାଜ୍ୟରେ ୩୦୨ଟି ଠକେଇ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ କେବଳ ଭୁବନେଶ୍ବରରୁ ୨୭୨ଟି ଅଭିଯୋଗ ଆସିଥିବା ବେଳେ ୯୪ଲକ୍ଷ ଟଙ୍କା ଠକେଇ ହୋଇଥିଲା। ୧୦୦ଟି ୟୁପିଆଇଜନିତ ଠକେଇ, ୮୯ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଓ ୫୭ଟି ଅନ୍‌ଲାଇନ୍‌ ଠକେଇ ରହିଥିଲା। ସେହିପରି ନଭେମ୍ବର ମାସରେ ରାଜ୍ୟରେ ମୋଟ ୩୬୫ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ କେବଳ ଭୁବନେଶ୍ବରର ୩୪୦ଟି ଥିଲା। ୧୩୧ଟି ୟୁପିଆଇଜନିତ ଠକେଇ ଥିବା ବେଳେ ୭୮ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ, ୬୪ଟି ସାମାଜିକ ଗଣମାଧ୍ୟମ ଜନିତ ଓ ୬୭ଟି ଅନ୍‌ଲାଇନ୍‌ ଠକେଇ ଜନିତ ଅଭିଯୋଗ ରହିଥିଲା। ମୋଟ ଠକେଇ ପରିମାଣ ୧ କୋଟି ୧୭ଲକ୍ଷ ୯୧ହଜାର ଟଙ୍କା ରହିଥିବା ବେଳେ ଠକଙ୍କ କବଳରୁ ୨୦ଲକ୍ଷ ୮୫ହଜାର ୬୭୫ଟଙ୍କା ଫେରସ୍ତ ଆସିଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସବୁ ମାମଲାରେ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି କିଛି ମାତ୍ରାରେ ରହିଥିବା ଦେଖିବାକୁ ମିଳିଛି। ବିଶେଷକରି ହାଇସ୍କୁଲ(୯ମ ଓ ୧୦ମ) ଓ ଯୁକ୍ତ୨ କଲେଜ(ଏକାଦଶ ଓ ଦ୍ବାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଅସାବଧାନତା ଲାଗି ସାଇବର ଅପରାଧୀମାନେ ସକ୍ରିୟ ହୋଇଥିବା ଜଣାପଡ଼ିଛି। ତେଣୁ ପିଲାଙ୍କ ମଧ୍ୟରେ ସତେଚନତା ଲାଗି ବିଭାଗ କମିସନରେଟ୍‌ ପୁଲିସ ଏଭଳି ଏକ ପଦକ୍ଷେପ ନେଇଛି। ଇତିମଧ୍ୟରେ ଭୁବନେଶ୍ବରର କ୍ୟାପିଟାଲ ହାଇସ୍କୁଲ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଓ ବିକାଶ ଆବାସିକ ସ୍କୁଲ‌ରେ କମିସନରେଟ୍‌ ପୁଲିସ ପକ୍ଷରୁ କାର୍ଯ୍ୟକ୍ରମ କରାଯିବା ସହ ସେଠାରେ ସାଇବର କ୍ଲବ ଗଠନ କରାଯାଇଛି। ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀଙ୍କୁ ‘ସାଇବର ମିତ୍ର’ ଭାବେ ଚୟନ କରାଯାଇଛି। ଉକ୍ତ ତିନିଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇଜଣ ଶିକ୍ଷକଙ୍କୁ ଉକ୍ତ କ୍ଲବରେ ସାମିଲ କରାଯାଇଛି।
ଡିସିପି ଶ୍ରୀ ସିଂ କହିଛନ୍ତି ଯେ ସ୍କୁଲ ପିଲାମାନେ ମୋବାଇଲ୍‌ ଗେମ୍‌ ସମେତ ଅନ୍ୟାନ୍ୟ ଆପ୍‌ ବ୍ୟବହାର କରି ଠକାମିର ଶିକାର ହେଉଛନ୍ତି। ବହୁ ସମୟରେ ଦେଖାଯାଉଛି ଯେ ସାଇବର ଅପରାଧରେ ଠକାମିର ଶିକାର ହୋଇଥିବା ଛାତ୍ରଛାତ୍ରୀ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅଭିଭାବକଙ୍କୁ ଜଣାଇବାକୁ ଭୟ କରିଥାନ୍ତି। ମାତ୍ର ସାଙ୍ଗ ସାଥୀଙ୍କୁ ନିଜର ଦୈନନ୍ଦିନ ଘଟଣା ସମ୍ପର୍କରେ ଅବଗତ କରାଇଥାନ୍ତି। ସେହି ଦୃଷ୍ଟିରୁ ସ୍କୁଲସ୍ତରରୁ ପିଲାଙ୍କୁ ସଚେତନ କରିବା ଲାଗି ଆମେ ଏଭଳି ପଦକ୍ଷେପ ନେଇଛୁ। କ୍ୟାମ୍ପସରେ ସାଇବର କ୍ଲବ ଗଠନ କରାଯିବା ସହ ତିନି ଜଣ ପିଲାଙ୍କୁ ସାଇବର ମିତ୍ର’ ବ୍ୟାଜ୍‌ ପ୍ରଦାନ କରୁଛୁ। ସେମାନେ ପିଲାଙ୍କ ସମସ୍ୟାକୁ ସ୍କୁଲ କର୍ତ୍ତୃପକ୍ଷ ଜଣାଇପାରିବେ। ଆମକୁ ବି ସିଧାସଳଖ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର